
◆ ଅସହାୟଙ୍କ ପାଇଁ କଳ୍ପାଶା ଆଶାର କିରଣ
◆ ବିଭିନ୍ନ ବର୍ଗରେ ସମ୍ମାନିତ ହେବେ ୧୬ ଯୁବ ପ୍ରତିଭ
ବାଲେଶ୍ଵର, କୃଷ୍ଣ କୁମାର ମହାନ୍ତି ଙ୍କ ଠାରୁ : ବାଲେଶ୍ଵର ସୁନ୍ଦରୀ ଭାବରେ ସହରରେ ଜଣାଶୁଣା କଳ୍ପାଶା ଅଙ୍କିତା ଶ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ହେତୁ ଭୁବନେଶ୍ୱର ଠାରେ ଆସନ୍ତାକାଲି ଓଡିଶା ୟୁଥ୍ ଆଓ୍ଵାର୍ଡ ଦ୍ଵାରା ସମ୍ମାନିତ ହେବେ। ରାଜ୍ୟର ପ୍ରମୁଖ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ‘ଓଡ଼ିଆ ମିଡିଆ’ ପକ୍ଷରୁ ଚଳିତ ମାସ ୨୨ ତାରିଖ, ରବିବାର ଦିନ ଆୟୋଜିତ ହେଉଛି ପ୍ରଥମ ଓଡ଼ିଶା ଯୁବ ସମ୍ମାନ ସମାରୋହ।
ଏହି ଅବସରରେ ୪୦ ବର୍ଷରୁ କମ୍ ଯୁବ ବର୍ଗର ୧୬ ଜଣ ପ୍ରସିଦ୍ଧ, ସଫଳ ଓ ଉଦ୍ଯୋଗୀ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇ ଉତ୍ସାହିତ କରାଯିବ ବୋଲି ଆୟୋଜନ ସଂସ୍ଥା ପକ୍ଷରୁ ପ୍ରକାଶ।
୨୦୧୨ ମସିହାରେ ବିଉଟି କଣ୍ଟେଷ୍ଟରେ ମିସ୍ ବାଲେଶ୍ଵର କ୍ରାଉନ୍ ପିନ୍ଧିଥିବା କଳ୍ପାଶାଙ୍କୁ ଏହି ୟୁଥ୍ ଆଓ୍ଵାର୍ଡ ପାଇଁ ମନୋନୀତ କରାଯାଇଥିବାରୁ ସେ ‘ଓଡ଼ିଆ ମିଡିଆ’ ସଂସ୍ଥାକୁ କୃତଜ୍ଞତା ଜଣାଇଛନ୍ତି। କୃଷ୍ଣ ମହାନ୍ତିଙ୍କ ସହ ଅନୌପଚାରିକ କଥାବାର୍ତ୍ତା ବେଳେ ସେ କହିଲେ ଯେ, ଏ ପୁରସ୍କାର ମୋତେ ସମାଜସେବା ଦିଗରେ ଆହୁରି ଯତ୍ନବାନ ଓ ଦାୟିତ୍ୱଶୀଳ କରେଇବ। ଯେକୌଣସି ପୁରସ୍କାର ପାଇଁ ମନୋନୀତ ହେଲେ ସ୍ଵାଭାବିକ ଭାବରେ ଯେଉଁ ଆନନ୍ଦ ମିଳେ, ମୁଁ ମଧ୍ୟ ଆନନ୍ଦିତ ଓ ଉତ୍ସାହିତ।
କଳ୍ପାଶାଙ୍କ ପିଲାଦିନର ସ୍ଵପ୍ନ ସେ ସମାଜରେ ନିମ୍ନବର୍ଗର ଲୋକମାନଙ୍କ ପାଇଁ ସବୁବେଳେ କାମ କରିବେ। ନିଃସହାୟ ଓ ଗରିବ ଲୋକଙ୍କ ପାଖରେ ସେ ସବୁବେଳେ ଅତି ଛୋଟ ବୟସରୁ ଛିଡା ହୋଇ ଆସୁଛନ୍ତି। ଅଙ୍କିତା ଶ ଫାଉଣ୍ଡେସନ ଗଢି ସେ ନିଜେ ଅଧ୍ୟକ୍ଷା ରହିବା ସହିତ ଆର୍ଥିକ ଦୁର୍ବଳ ଶ୍ରେଣୀର ବିଦ୍ୟାର୍ଥୀଙ୍କ ଉଚ୍ଚ ଶିକ୍ଷା ପାଇଁ ଆର୍ଥିକ ସହାୟତା ଦେଉଛନ୍ତି। ବାଲେଶ୍ଵରରେ ଏକ ଜରା ନିବାସ ନିର୍ମାଣ ସହିତ ସବୁବେଳେ ଅସହାୟ ଲୋକଙ୍କ ସାହାରା ହୋଇ ରହିବାକୁ ଚାହାନ୍ତି ସେ।
ବାପା ରବୀନ୍ଦ୍ର ନାଥ ଶ ଏବଂ ମାଆ ରଶ୍ମି ଦାଶଙ୍କ କନ୍ୟା କଳ୍ପାଶା ସବୁବେଳେ ଗୋଟେ ପରିବର୍ତ୍ତନ ଆଣିବାରେ ପ୍ରୟାସୀ।
ଭୁବନେଶ୍ୱର ଜୟଦେବ ଭବନରେ ସେପ୍ଟେମ୍ବର ୨୨ ତାରିଖ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମାନ ସମାରୋହରେ ବରିଷ୍ଠ ରାଜନୀତିଜ୍ଞ ତଥା ଲୋକସଭା ସାଂସଦ ଶ୍ରୀ ଭର୍ତୃହରି ମହତାବ ଓ ବରିଷ୍ଠ କଥାଶିଳ୍ପୀ ତଥା ଶିଶୁସାହିତ୍ୟିକ ଦାଶ ବେନହୁର ଅତିଥି ଭାବେ ଯୋଗଦେବେ।
ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଓ ସମାଜ ପାଇଁ ନୂଆ ଉଦାହରଣ ତିଆରି କରିଥିବା ଓଡ଼ିଶାର ୧୬ ଜଣ ଯୁବ ପ୍ରତିଭାଙ୍କ ମଧ୍ୟରେ ବାଲେଶ୍ଵର ମାଟିର ଝିଅ କଳ୍ପାଶା ମନୋନୀତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବାଲେଶ୍ଵର ବାସୀ।
କଳ୍ପାଶାଙ୍କ ବ୍ୟତୀତ ବିଜୁ ଜନତା ଦଳ ନେତା ତଥା ରାଜ୍ୟ ସରକାରଙ୍କ ଇଲେକ୍ଟ୍ରନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ଉପଦେଷ୍ଟା ଅନୁଭବ ପଟ୍ଟନାୟକ, ସିନେ ନାୟିକା ଅର୍ଚ୍ଚିତା ସାହୁ, ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଧାବିକା ଦୂତୀ ଚାନ୍ଦ, ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଓଡ଼ିଶୀ ନୃତ୍ୟଶିଳ୍ପୀ ଶାଶ୍ବତ ଯୋଶୀ, ‘ସମ୍ବାଦ’ର ମୁଖ୍ୟ ସାମ୍ବାଦିକ ଚୌଧୁରୀ ଅମିତାଭ ଦାସ, ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ପାଢ଼ୀ, ଇଣ୍ଟରନ୍ୟାସନାଲ ପବ୍ଲିକ୍ ସ୍କୁଲ ଫର୍ ରୁରାଲ ଇନୋଭେସନ୍ର ପ୍ରତିଷ୍ଠାତା ଅନୀଲ ପ୍ରଧାନ, ସ୍ଥାପତ୍ୟ କାରିଗର କାନ୍ତକିଶୋର ମହାରଣା, କଥାକାର ରବିନାରାୟଣ ଦାଶ, ସାମାଜିକ ଗଣମାଧ୍ୟମ କର୍ମୀ ରୁଦ୍ରପ୍ରସନ୍ନ ରଥ, ବାଜିରାଓ ଆଇଏଏସ୍ ଏକାଡେମୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶୁଭ୍ରାଂଶୁ ଶେଖର ଓଝା, ସିନେମା ଗୀତିକାର ସୁବ୍ରତ ସ୍ବାଇଁ, ପୋଷଣ ଓ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ମୃତି ମହାପାତ୍ର, ଯୁବ ଔପନ୍ୟାସିକ ଅଭିଷେକ ପାଣି ଓ ଯୁବ ଉଦ୍ୟୋଗୀ ଅନୁକୁଳ ଅଗ୍ରଓ୍ବାଲ ପ୍ରମୁଖ ଚଳିତ ବର୍ଷର ‘ଓଡ଼ିଶା ଯୁବ ସମ୍ମାନ’ ଗ୍ରହଣ କରିବେ।
ଯୁବ ପ୍ରତିଭାଙ୍କୁ ଚିହ୍ନଟ ଓ ସେମାନଙ୍କର ସଫଳତାକୁ ସ୍ବୀକୃତି ଦେବା ସହ ସେମାନଙ୍କ ପ୍ରେରଣାଦାୟୀ କାର୍ଯ୍ୟକୁ ଲୋକଲୋଚନକୁ ଆଣିବା ଏ ସମ୍ମାନ ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ବୋଲି ‘ଓଡ଼ିଆ ମିଡିଆ’ର ନିର୍ଦ୍ଦେଶକ ତଥା ଲେଖକ ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି।