
ବ୍ରହ୍ମପୁର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭକରି ଜିଲ୍ଲା ଓ ଜିଲ୍ଲାସ୍ତରରେ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଲୋକଙ୍କ ଜନଜୀବନ ସୁରକ୍ଷାକୁ ସରକାର ଅଧିକ ଗୁରୁତ୍ୱ ଦେଉଥିବା ବେଳେ ବ୍ରହ୍ମପୁର ବିଏମ୍ସି କର୍ତ୍ତୃପକ୍ଷ ଏଥିରୁ ବାଦ୍ ପଡିନାହାଁନ୍ତି । କମିଶନର ଚକ୍ରବର୍ତ୍ତି ସିଂ ରାଥୋଡଙ୍କ ନେତୃତ୍ୱରେ ସହରର ଜନଗହଳିପୂର୍ଣ୍ଣ ଯଥା ବ୍ୟବସାୟିକସ୍ଥଳ ବିଶେଷକରି ପରିବା ବଜାର, ଗ୍ରୋସେରୀ ବଜାର ଓ ମେଡିକାଲ୍ ଓ ଅତ୍ୟାବଶ୍ୟକୀୟ ସ୍ଥଳ ଓ ରାସ୍ତାକୁ ବିଶୁଦ୍ଧିକରଣ କରିବା ପାଇଁ ଯୋଜନା ଆରମ୍ଭ କରିଛି । ଅଗ୍ନିଶମ ବାହିନୀ କମାଣ୍ଡେ ଓ ବିଏମ୍ସି କର୍ମଚାରୀଙ୍କ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଅଗ୍ନିଶମ ବିଭାଗର ୨ଟି ଗାଡି ସହାୟତାରେ ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ ବ୍ୟବହାର କରାଯାଇ ପ୍ରଥମ ପର୍ଯ୍ୟାୟରେ ଦେଶୀବେହେରା ସାହି, ପେଦ୍ରିଗାଡିଆ ବଜାର, ସିଟି ହସ୍ପିଟାଲ, ବ୍ରହ୍ମପୁର ବଡ ମେଡିକାଲ୍, ଗେଟ୍ବଜାର ଭେଣ୍ଡିଂ ଜୋନ୍, ମର୍ଦ୍ଦରାଜପୁର ଭେଣ୍ଡିଂଜୋନ୍ ଅଞ୍ଚଳରେ ବିଶୁଦ୍ଧିକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଜନବହୁଳ ଅଞ୍ଚଳ ରାସ୍ତାରେ ମଧ୍ୟ ବିଶୁଦ୍ଧିକରଣ କରାଯିବ । ଆସନ୍ତା ଦିନମାନଙ୍କରେ ଅଗ୍ନିଶମ ବିଭାଗର ଅଧିକ ଗାଡି ଓ କର୍ମଚାରୀ ବିନିଯୋଗ କରାଯିବ । ନିଗମର ଏଭଳି ନିଷ୍ପତ୍ତିକୁ ସହରବାସୀ ପ୍ରଶଂସା କରିଥିଲେ । ଅଗ୍ନିଶମ ବିଭାଗର ସହକାରୀ ଅଗ୍ନିଶମ ଅଧିକାରୀ ସନାତନ ମହାପାତ୍ର ଏହି ବିଶୋଧନ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛନ୍ତି । ଗଞ୍ଜାମସ୍ଥିତ ଗ୍ରାସୀମ ଇଣ୍ଡଷ୍ଟ୍ରି ପକ୍ଷରୁ ୧୫୦ଲିଟର ସୋଡିୟମ୍ ହାଇଡ୍ରୋ କ୍ଲୋରାଇଡ୍ ଅଣାଯାଇଛି । ୧୦୦ଲିଟର ପାଣିରେ ଗୋଟିଏ ଲିଟର ସୋଡିୟମ୍ କେମିକାଲ୍ ମିଶାଇ ବିଶୋଧନ କରାଯାଉଥିବା ସେ କହିଛନ୍ତି ।