ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ସମ୍ପୂର୍ଣ୍ଣ ଭାବେ ଲକ୍ ଡାଉନ୍୍ କରିବାକୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପ୍ରୟାସ ଜାରି ରହିଛି । କୌଣସି ବାହାନାରେ ଲୋକ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ରାସ୍ତା ଉପରକୁ ଆସୁଛନ୍ତି । ସାଧାରଣ ଲୋକ କିପରି ଘରୁ ନବାହାରିବେ ସେଥିପ୍ରତି ଦୃଷ୍ଟି ଦେଇଛି ବିଏମ୍ସି । ପ୍ରଥମେ ଆଳୁ ଓ ପିଆଜ ଘରେ ପହଞ୍ଚାଇବା ବ୍ୟବସ୍ଥା କରିବା ପରେ ପ୍ଲମ୍ବର ଓ ଇଲେଟ୍ରିସିଆନ୍ ମଧ୍ୟ ଯୋଗାଇବା ବ୍ୟବସ୍ଥା କରାଯାଇଥିଲା । ଶନିବାର ଠାରୁ ବିଏମ୍ସି ପକ୍ଷରୁ ଆରମ୍ଭ ହୋଇଛି ଅନ୍ଲାଇନ୍ରେ ଔଷଧ ପହଞ୍ଚାଇବା ବ୍ୟବସ୍ଥା । ୨୪ଘଣ୍ଟିଆ ଏହି ସେବା ଉପଲବ୍ଧ ହେବ ବୋଲି କହିଛନ୍ତି ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର । ଏଥିପାଇଁ ବିଏମ୍ସି ଏକ ନମ୍ବର ଜାରି କରିବ ଏବଂ ସେଥିରେ ଲୋକ ଫୋନ୍ କଲେ ଔଷଧ ପହଞ୍ଚାଇବା ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି । ସେହିପରି ଲକ୍ ଡାଉନ୍ ପରେ ମାର୍କେଟ୍ ଦର ମଧ୍ୟ ବଢ଼ିଥିବା ନଜରକୁ ଆସିଛି । ସାମଗ୍ରୀର ଦର ବଢ଼ୁଥିବା ଅଭିଯୋଗ ଆସିବା ପରେ ବିଏମ୍ସି ପକ୍ଷରୁ ଏକ ଦର ତାଲିକା ନିର୍ଦ୍ଧାରିତ କରାଯିବ । ମାର୍କେଟ୍କୁ ଆଧାର କରି ଦର ନିର୍ଦ୍ଧାରିତ କରାଯିବ । ଏହି ଦର ଠାରୁ ଅଧିକ ଟଙ୍କାରେ ବିକ୍ରି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ରାଠୋର କହିଛନ୍ତି । ଯେକୌଣସି ବ୍ୟକ୍ତି ସାହାର୍ଯ୍ୟ କରିବାକୁ ଚାହୁଁଛନ୍ତି ତ ସେମାନେ ବିଏମ୍ସିକୁ ଜଣାଇବେ । ଏଥିପାଇଁ ବିଏମ୍ସି ପକ୍ଷରୁ ୩ଟି ଫୋନ୍ ନମ୍ବର ଜାରି କରାଯାଇଛି । ଅନ୍ୟପକ୍ଷରେ ସହରରେ କୌଣସି ବ୍ୟକ୍ତି ଯେପରି ଭୋକରେ ରଛନ୍ତି କିମ୍ବା ଅସୁବିଧାରେ ଅଛନ୍ତି ଏହି ଫୋନ୍ ନମ୍ବର ଜରିଆରେ ଫୋନ୍ କରି ଜଣାଇବାକୁ କମିଶନର ଅନୁରୋଧ କରିଛନ୍ତି । ସେପଟେ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଲୋକଙ୍କ ଘର ନିକଟରେ ଆଳୁ ଓ ପିଆଜ ପହଞ୍ଚାଯାଉଛି । ସହରରେ ମୋଟ ୪୦ଟି ଠେଲାରେ ଆଳୁ ପିଆଜ ବିକ୍ରି କରାଯାଉଛି । ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଓ ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂହ ରାଠୋର ବିଭିନ୍ନ ଜାଗା ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ।
Related Stories
November 24, 2024
November 24, 2024