-
କରୋନା ମୁକାବିଲା: ଏଣିକି ହାତ ପାହାନ୍ତାରେ ମିଳିବ ଡାକ୍ତରୀ ସେବା
-
୩୬ଜଣିଆ ଡାକ୍ତରୀ ଦଳରେ ଜିଲ୍ଲାର ୨ ପୂର୍ବତନ ବିଧାୟକ
ବ୍ରହ୍ମପୁର: କରୋନା ଭୁତାଣୁ ସଂକ୍ରମଣକୁ ନେଇ ଦେଶ ଥରହରହ । ଏଣୁ ଏହାକୁ କିଭଳି ରୋକାଯାଇପାରିବ ଏଥିଲାଗି ସବୁସ୍ତରରେ ଉଦ୍ୟମ ଜାରି ରହିଛି । ଏଭଳିସ୍ଥିତିରେ ଦେଶରେ ଲକ୍ଡାଉନ୍ ମଧ୍ୟ ଜାରି ରହିଛି । ଲକ୍ଡାଉନ୍ ପରଠାରୁ ସବୁକିଛି ଠପ୍ ହୋଇଯାଇଛି । ଏଥିରୁ ବି ବାଦ୍ପଡିନି ଗଞ୍ଜାମ ଜିଲ୍ଲା । ଜିଲ୍ଲାରେ କରୋନାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । ମେଡିକାଲ୍ଗୁଡିକୁ କରୋନା ସନ୍ଦୀଗ୍ଧଙ୍କ ଚିକିତ୍ସା ପାଇଁ ପ୍ରସ୍ତୁତ କରାଯାଉଛି । ଏଭଳିସ୍ଥିତିରେ ମେଡିକାଲ୍ରେ ଅଯଥାରେ ଗହଳି ନକରି ରୋଗୀଙ୍କୁ ଘର ନିକଟରେ ଚିକିତ୍ସାସେବା ଦେବାପାଇଁ ଜିଲ୍ଲା ପ୍ରଶାସନ ଏକ ଅଭିନବ ପଦକ୍ଷେପ ଆରମ୍ଭ କରିଛି । ଏଣିକି ରୋଗୀଙ୍କୁ ହାତ ପାହାନ୍ତାରେ ଟେଲିଫୋନ୍ କିମ୍ବା ହ୍ୱାଟସପ୍ ଜରିଆରେ ଡାକ୍ତରଙ୍କ ପରାମର୍ଶ ମିଳିପାରିବ । ଗଞ୍ଜାମ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତି ସାରା ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି । ଏହି ବ୍ୟବସ୍ଥା ଦ୍ୱାରା ଜଣେ ରୋଗୀ ମେଡିକାଲ୍କୁ ନଯାଇ ଡାକ୍ତରଙ୍କୁ ଫୋନ୍କରି ରୋଗ ସମ୍ପର୍କରେ ପରାମର୍ଶ ନେଇପାରିବେ । ଜିଲ୍ଲା ପ୍ରଶାସନ ୩୬ଜଣିଆ ଡାକ୍ତରଙ୍କ ତାଲିକା ପ୍ରସ୍ତୁତ କରିଛି ଏବଂ ଉକ୍ତ ତାଲିକାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସେୟାର କରାଯାଇଛି । ସ୍ୱେଚ୍ଛାସେବୀ ଡାକ୍ତର ପେନାଲ ଗଠନ କରାଯାଇ ବିଭିନ୍ନ ରୋଗର ବିଶେଷଜ୍ଞଙ୍କୁ ସ୍ଥାନ ଦିଆଯାଇଛି । ଜରୁରୀ ଆବଶ୍ୟକତା ନଥିଲେ ମେଡିକାଲ୍ ନଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଯେତେବେଳେ ଜରୁରୀ ଆବଶ୍ୟକତା ନଥିଲେ ମେଡିକାଲ୍ ନଯାଇ ଉପରକ୍ତ ଡାକ୍ତରଙ୍କ ସହ ଫୋନ୍ଯୋଗେ ଯୋଗାଯୋଗକରି ପରାମର୍ଶ ନେବାପାଇଁ କୁହାଯାଇଛି । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚୟନ କରାଯାଇଥିବା ଡାକ୍ତର ତାଲିକାରେ ୨ଟି ରୋଚକ କଥା ଦେଖିବାକୁ ମିଳିଛି । ଉକ୍ତ ତାଲିକାରେ ଜିଲ୍ଲାର ୨ଜଣ ପୂର୍ବତନ ବିଧାୟକ ତଥା ଶାସକ ଦଳର ୨ଜଣ ବରିଷ୍ଠ ନେତା ତଥା ଡାକ୍ତର ସ୍ଥାନ ପାଇଛନ୍ତି ।
ବ୍ରହ୍ମପୁରର ପୂର୍ବତନ ବିଧାୟକ: ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର କୋଠାବାଡି ଓ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଏ ସମ୍ପର୍କରେ ପଚାରିବାରୁ ସେ କହିଥିଲେ ଯେ, ବିଧାୟକ ଥାଇ ମଧ୍ୟ ଲୋକଙ୍କୁ ସେବା ଯୋଗାଇବାରେ କେବେବି ଅବହେଳା କରିନାହିଁ । ବର୍ତ୍ତମାନ ପ୍ରଶାସନ ପକ୍ଷରୁ ଏହି ସେବା ଯୋଗାଇବା ପାଇଁ ପରାମର୍ଶ ନେବାପରେ ମୁଁ ନିଜଆଡୁ ଲୋକଙ୍କୁ ସେବା ଯୋଗାଇବା ପାଇଁ ପ୍ରସ୍ତୁତ ଥିବା କହିଥିଲି । ଏଭଳି ବିପତି ସମୟରେ ଲୋକଙ୍କ ନିକଟରେ ନ ପହଞ୍ôଚପାରିଥିଲେ ମଧ୍ୟ ଫୋନ୍ ଯୋଗେ ସେବା ଯୋଗାଇବା ମୋ ପାଇଁ ଏକ ଗର୍ବର ବିଷୟ । ତେଣୁ ୨୪ଘଣ୍ଟା ସେବା ଯୋଗାଇବା ପାଇଁ ମୁଁ ଘରେ ଜିଲ୍ଲା ତଥା ରାଜ୍ୟ ଏପରିକି ରାଜ୍ୟ ବାହାରେ ଥିବା ଯେକୌଣସି ଲୋକେ ମୋ ସହ ଯୋଗାଯୋଗ କରିପାରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଛତ୍ରପୁରର ପୂର୍ବତନ ବିଧାୟକ ତଥା ଯୁବ ଡାକ୍ତର ପ୍ରିୟାଂଶୁ ପ୍ରଧାନ: ତାଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଏଭଳି ବିପତି ସମୟରେ ଲୋକଙ୍କ ଆବଶ୍ୟକତାକୁ ବିଚାରକୁ ନେଇ ଏଭଳି ନିଷ୍ପତ୍ତି ନେଇଛି । ରାଜନୀତି ଠାରୁ ଦୂରରେ ରହି ଲୋକଙ୍କୁ ଡାକ୍ତରୀ ସେବା ଯୋଗାଇବା ମୋର ପ୍ରାଥମିକତା । ତେଣୁ ଜିଲ୍ଲା ପ୍ରଶାସନ ସହ ଆଲୋଚନାକରି ମୁଁ ଏଭଳି ନିଷ୍ପତ୍ତି ନେଇଛି । ଗ୍ରାମାଞ୍ଚଳର ଲୋକଙ୍କୁ ଡାକ୍ତରୀ ସେବା ଯୋଗାଇବା ନେଇ ଏବେ ରାଜ୍ୟରେ ଜରୁରୀ ଥିବାବେଳେ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଓ ରୋଗୀଙ୍କୁ ସେବା ଯୋଗାଇବା ପାଇଁ ମୁଁ ଦିନକୁ ୧୨ଘଣ୍ଟା ସମୟ ଦେବି ବୋଲି ସେ କହିଛନ୍ତି । ଶନିବାର ଦିନ ସକାଳ ୯ରୁ ରାତି ୯ ପର୍ଯ୍ୟନ୍ତ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଫୋନ୍କଲ୍ ଓ ହ୍ୱାଟସପ୍ ମେସେଜ୍ ଆସିଛି । ତେଣୁ ସେମାନଙ୍କୁ ଉଚିତ ପରାମର୍ଶ ଦେଇ ଔଷଧ ମଧ୍ୟ ଖାଇବା ପାଇଁ କହିଛି । ରାଜନୀତି କରୁଥିବା ବେଳେ ଲୋକଙ୍କୁ ସେବା ଯୋଗାଉଥିଲି ଏବେ ମଧ୍ୟ ସେବା ଯୋଗାଇ ନିଜକୁ ଗର୍ବିତ ଅନୁଭବ କରୁଛି ବୋଲି ସେ କହିଥିଲେ ।