-
ଜିଲ୍ଲାପାଳଙ୍କ ଘନ ଘନ ବୈଠକ ଓ ସ୍ଥିତି ଅନୁଧ୍ୟାନ
-
ପ୍ରଥମ ପର୍ଯ୍ୟାୟରେ ଆଇସିୟୁ ସହ ଭେଣ୍ଟିଲେଟର ପ୍ରକୋଷ୍ଠ ପାଇଁ ରୂପରେଖ ପ୍ରସ୍ତୁତ
-
୭ଦିନ ମଧ୍ୟରେ କାର୍ଯ୍ୟକ୍ଷମ: ଜିଲ୍ଲାପାଳ
-
ଜିଲ୍ଲାର ୩ଟି ସ୍ଥାନରେ ଆଇସୋଲେଶନ୍ ଗୃହ
ବ୍ରହ୍ମପୁର: ମାରାତ୍ମକ କରୋନା ଭୁତାଣୁ ସଂକ୍ରମଣରେ ସାରା ବିଶ୍ୱ ଏବେ ଜର୍ଜରିତ ହେଉଥିବା ବେଳେ ଏଥିରୁ ଭାରତ ବାଦ୍ ପଡିନି । ଓଡ଼ିଶାରେ ତୃତୀୟ କରୋନା ଭୁତାଣୁ ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଦେଇଛି । ଏହି ମର୍ମରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏମ୍କେସିଜି ମେଡିକାଲ୍ କଲେଜର ବରିଷ୍ଠ ଡାକ୍ତର ଓ ବିଶେଷଜ୍ଞ ଟିମ୍ ସହ କଲେଜ ଅଧିକ୍ଷକ ଓ ଅଧ୍ୟକ୍ଷଙ୍କ ସହ ଘନ ଘନ ବୈଠକ ଓ ବିଚାର ବିମର୍ସ ଚଳାଇଛନ୍ତି । ପୂର୍ବରୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ସନ୍ଦିଗ୍ଧଙ୍କ ପାଇଁ ଆଇସୋଲେଶନ୍ ୱାର୍ଡ ରହିଥିଲା । ତେବେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ଦୈନନ୍ଦିନ ବିଭିନ୍ନ ରୋଗରେ ଶିକାର ହୋଇ ରୋଗୀମାନେ ଆସୁଥିବାରୁ ଏଠାରେ କୋଭିଡ-୧୯ ହସ୍ପିଟାଲ ନଖୋଲି ଶୀତଳାପଲ୍ଲୀସ୍ଥିତ ଟାଟା ମେଡିକୋ ହସ୍ପିଟାଲରେ କୋଭିଡ-୧୯ ହସ୍ପିଟାଲ ଖୋଲିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଟାଟା ମେଡିକୋ ହସ୍ପିଟାଲର ପ୍ରତିଷ୍ଠାତାଙ୍କ ସହ ଜିଲ୍ଲାପାଳ ନିଜେ ଆଲୋଚନାକରି ସେଠାରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ-୧୯ ହସ୍ପିଟାଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆଗାମୀ ସପ୍ତାହ ମଧ୍ୟରେ ଏହି ହସ୍ପିଟାଲ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ । ଆଇସିୟୁ ଓ ଭେଣ୍ଟିଲେଟରର ବ୍ୟବସ୍ଥା ରହିବ । ତେଣୁ ଏନେଇ ଶୁକ୍ରବାର ସନ୍ଧ୍ୟାରେ ଏମ୍କେସିଜି ମେଡିକାଲ୍ କଲେଜରେ ଜିଲ୍ଲାପାଳ ଏହାର ସମୀକ୍ଷା ବୈଠକ କରିଥିଲେ । ଏହି ସମୀକ୍ଷା ବୈଠକରେ ବିଶେଷଜ୍ଞ ଡାକ୍ତରଙ୍କ ସହ ଏମ୍କେସିଜି କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କୁ ନେଇ ଟାଟା ମେଡିକୋ ହସ୍ପିଟାଲ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ କୋଭିଡ-୧୯ ହସ୍ପିଟାଲ ଖୋଲିବା, ଆସିୟୁ ଓ ଭେଣ୍ଟିଲେଟର ଖୋଲିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ଓ ଶଯ୍ୟା ସହ ଅକ୍ସିଜେନ ଓ ଆନୁସଙ୍ଗିକ ବ୍ୟବସ୍ଥା ପୂରଣ ପାଇଁ ଆଲୋଚନା କରିଥିଲେ । ବ୍ରହ୍ମପୁର ବଡ ମେଡିକାଲ୍ ଓ ହସ୍ପିଟାଲର ବରିଷ୍ଠ ଡାକ୍ତରଙ୍କୁ ନେଇ ଟାଟା ମେଡିକୋ ହସ୍ପିଟାଲରେ ଏହି ହସ୍ପିଟାଲ ଖୋଲିବ । ପର୍ଯ୍ୟାୟକ୍ରମେ ଡାକ୍ତରୀ ଦଳ ସହ ନର୍ସମାନେ ଚିକିତ୍ସା କରିବାର ବ୍ୟବସ୍ଥା କରାଯିବ । ସେହିପରି ଜିଲ୍ଲାରେ ହିଞ୍ଜିଳିକାଟୁ, ବ୍ରହ୍ମପୁର ବିଜୁ ପଟ୍ଟନାୟକ ହୋମିଓପାଥିକ କଲେଜ ଓ ଛତ୍ରପୁର ଠାରେ ଆଇସୋଲେଶନ ୱାର୍ଡ ଖୋଲାଯାଇଥିବା ଜଣାପଡିଛି । ଯେଉଁମାନେ ବାହାର ଦେଶ ଓ ରାଜ୍ୟରୁ ଆସିଛନ୍ତି ସେମାନଙ୍କୁ ଏହି ଗୃହରେ ରଖି ୧୪ଦିନିଆ ନଜର ବନ୍ଦୀରେ ରହିବେ । ଜିଲ୍ଲାପାଳଙ୍କ ଏହି ସମୀକ୍ଷା ବୈଠକରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, କମିଶନର ଚକ୍ରବତି ସିଂ ରାଥୋଡ, ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ, ଏମ୍କେସିଜି ଅଧିକ୍ଷକ ସନ୍ତୋଷ କୁମାର ମିଶ୍ର, ଏମ୍କେସିଜି ଅଧ୍ୟକ୍ଷା ତଥା ଡିନ୍ ପ୍ରଫେସର ଦୀପ୍ତିମୟୀ ତ୍ରିପାଠୀ, ଜିଲ୍ଲା ଚିକିତ୍ସାଧିକାରୀ ଆର୍.ଜଗଦୀଶ ପଟ୍ଟନାୟକ, ଏମ୍କେସିଜି ଆଇସୋଲେଶନ୍ ୱାର୍ଡର ନୋଡାଲ ଅଧିକାରୀ ଡା. ଉମା ମିଶ୍ର, ବିଡିଏ ସଚିବ ତଥା କୋଭିଡ-୧୯ ହସ୍ପିଟାଲର ନୋଡାଲ ଅଧିକାରୀ ସମ୍ବିତ ରାଉତ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଏମ୍କେସିଜିର ପ୍ରଶାସନିକ ଅଧିକାରୀ ସଚିଦାନନ୍ଦ ନାୟକ, ଟାଟା ମେଡିକୋ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ମୋହନ ରାଓ, ଡିପିଏମ୍ଙ୍କ ସମେତ ଏମ୍କେସିଜିର ସମସ୍ତ ବିଭାଗୀୟ ମୁଖ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।