ଢ଼େଙ୍କାନାଳ – ଆଇନଜିବୀଙ୍କୁ ଜିଲ୍ଲାପାଳଙ୍କ ଦୁର୍ବ୍ୟହାରକୁ କେନ୍ଦ୍ର କରି ଆଜି ଢ଼େଙ୍କାନାଳ ଜିଲ୍ଲାପାଳ କାର୍ଯ୍ୟାଳୟ ପାଲଟିଥିଲା ରଣକ୍ଷେତ୍ର । ଆଇନଜିବୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସେଠାରେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।
ପ୍ରାପ୍ତ ସୂଚନା ମୁତାବକ, ଆଜି ଢ଼େଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେତେକ ମାମଲାର ଶୁଣାଣୀ ଥିଲା । ସେଥିପାଇଁ ଆଇନଜିବୀ ମାନଙ୍କୁ ପୂର୍ବାହ୍ନ ୧୧ ଟାରେ ଆସିବା ପାଇଁ କୁହାଯାଇଥିଲା । ନିର୍ଦ୍ଧାରିତ ସମୟରେ ଆଇନଜିବୀ ମାନେ ଜିଲ୍ଲାପାଳଙ୍କ ଅଫିସରେ ପହଂଚିଥିଲେ । ମାତ୍ର ଜିଲ୍ଲାପାଳ ସେମାନଙ୍କ ସହିତ କଥା ହେବା ପରିବର୍ତେ ସେସୁ ଓ ଅବକାରୀ ବିଭାଗ କର୍ମଚାରଙ୍କ ସହିତ ଘଂଟା ଘଂଟା ଧରି ଆଲୋଚନା କରିଥିଲେ । ଆଇନଜିବୀ ମାନେ ଦୀର୍ଘ ସମୟ ଧରି ବାହାରେ ଅପେକ୍ଷା କରିବା ପରେ ବିଳମ୍ବର କାରଣ ସମ୍ପର୍କରେ ଜିଲ୍ଲାପାଳଙ୍କୁ ପଚାରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଜିଲ୍ଲାପାଳ ଆଇନଜିବୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଯାହାର ପ୍ରତିବାଦରେ ଅପରାହ୍ନ ପ୍ରାୟ ୩ଟା ସମୟରେ ଆଇନଜିବୀ ମାନେ ଏକ ବିଶାଳ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ ଏବଂ ଅଫିସ୍ ଘେରାଉ କରିଥିଲେ । ତେବେ ଏହି ସମୟରେ ଜିଲ୍ଲାପାଳଙ୍କୁ ତାଙ୍କ ଚ୍ୟାମ୍ବରରେ ନପାଇ ଆଇନଜିବୀ ମାନେ ତାତି ଉଠିଥିଲେ । ସେଠାରେ ଫୁଲକୁଣ୍ଡ ଓ ଅନ୍ୟାନ୍ୟ ଆସବାବପତ୍ର ଭଙ୍ଗାରୁଜା କରିଥିଲେ । ଏପରିକି ଅତିରିକ୍ତ ଜିଲ୍ଲାପାଳ ଭବେଶ ନାୟକଙ୍କୁ ଠେଲାପେଲା କରିବା ସହିତ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଜିଲ୍ଲାପାଳ ତାଙ୍କ ଅଫିସ୍ କୁ ନଆସିବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଉଠିବେ ନାହିଁ ବୋଲି ନିଜ ଜିଦ୍ ରେ ଅଟଳ ରହିଛନ୍ତି ଆଇନଜିବୀ ମାନେ । ଉତେଜନାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ଅଫିସ୍ ରେ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।