-
ଏମ୍କେସିଜି ଓ ସିଟି ହସ୍ପିଟାଲରେ ଖୋଲାଯାଇଥିବା କୋଭିଡ-୧୯ର ସ୍ଥିତି ଅନୁଧ୍ୟାନକଲେ ଜିଲ୍ଲାପାଳ
ସନ୍ଧ୍ୟା ୪ଟା ପରେ କିଛି ଦୋକାନ ଖୋଲାଥିବା ଦେଖିବାକୁ ମିଳିଛି । ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ପଜେଟିଭ ନଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛିା ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ଦିନତମାମ୍ ପାଟ୍ରୋଲିଂକରି ଲୋକଙ୍କୁ ଘୋଉଡାଉଥିବା ଦେଖିବାକୁ ମିଳିଛି । ଜିଲ୍ଲାପାଳ ବିଭିନ୍ନ ଘରୋଇ ହସ୍ପିଟାଲ ବୁଲିବା ସହ ଏମ୍କେସିଜି ମେଡିକାଲ୍ କଲେଜର ହସ୍ପିଟାଲ ପରିଦର୍ଶନକରି ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଥିଲା । ଏମ୍କେସିଜି ସୁପର ସ୍ପେଶାଲିଷ୍ଟ କୋଠାରେ କରୋନା ଆୟୁସୋଲେସନ ୱାର୍ଡ ଖୋଲିବାକୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି ।ଆବଶ୍ୟକସ୍ଥଳେ ଏଠାରେ ଆୟୁସୋଲେସନ ୱାର୍ଡ ଖୋଲିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି ଏମ୍କେସିଜି ଅଧିକ୍ଷକ ଡା. ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ସିଟି ହସ୍ପିଟାଲକୁ ଯାଇ ଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିବା ସହ କୋଭିଡ-୧୯ ଗୃହ ଓ ଆୟୁସୋଲେସନ ୱାର୍ଡର ସ୍ଥିତି ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍.ଜଗଦୀଶ ପଟ୍ଟନାୟକ, ବିଡିଏ ସଚିବ ସମ୍ବିତ ରାଉତ ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ସେପଟେ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସହରରେ ୧୦ଟି ଅସ୍ଥାୟୀ ପୋଷ୍ଟ କରାଯାଇ ପୋଲିସ କର୍ମଚାରୀମାନେ ୨୪ଘଣ୍ଟିଆ ପ୍ରହରା ଦେଉଛନ୍ତି । ସହରରେ ୧୦ପ୍ଲାଟୁନ୍ ପୋଲିସ ଫୋର୍ସ ବିଭିନ୍ନ ପ୍ରବେଶପଥ ଓ ସାହି ଗଳିକନ୍ଦିରେ ଜଗି ରହିଛନ୍ତି । ଏସ୍ପି ପିନାକ ମିଶ୍ର ନିଜେ ଦିନରାତି ଏକକରି ପାଟ୍ରୋଲିଂ କରିବା ସହ ସହରବାସୀଙ୍କୁ ଘରୁ ନ ବାହାରିବାକୁ ଅନୁରୋଧ କରୁଛନ୍ତି ।ଯଦି ଅନାବଶ୍ୟକୀୟ ଭାବେ ଘରୁ ବାହାରନ୍ତି ତେବେ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍ପି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।