-
ଦିନକର ଦରମା ଦେଲେ ଜିଲ୍ଲାରେ କାର୍ଯ୍ୟରତ ସରକାରୀ କର୍ମଚାରୀ
ବ୍ରହ୍ମପୁର: ସମଗ୍ର ବିଶ୍ୱରେ ବ୍ୟାପିଥିବା କରୋନା ମହାମାରୀର ମୁକାବିଲା କରିବା ପାଇଁ ଗତ ସୋମବାର ଦିନ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ୩ମାସର ଦରମା ରିଲିଫ୍ ପାଣ୍ଠିକୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିବାପରେ ଏହି ମର୍ମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅସାଧାରଣ ପରିସ୍ଥିତିରେ ଅସାଧାରଣ ପ୍ରତିକ୍ରିୟା ବର୍ତ୍ତମାନ ଆବଶ୍ୟକତା ପଡୁଛି । କୋଭିଡି-୧୯ ସମଗ୍ର ବିଶ୍ୱରେ ଏକ ବଡ ଆହ୍ୱାନ ହୋଇଛି । ମାନବିକତାର ଗତିବିଧି ପାଇଁ ପ୍ରଜାପ୍ତ ପରିମାଣର ଅର୍ଥ ଆବଶ୍ୟକତା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସେ ୩ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି(କୋଭିଡ-୧୯) ଫଣ୍ଡକୁ ପ୍ରଦାନ କରିଥିଲେ । ଏହି ସହାୟତା ସ୍ୱତନ୍ତ୍ର ଭାବେ କୋଭିଡ-୧୯ ପାଇଁ ବୋଲି ସେ କହିଥିଲେ । କୋଭିଡ-୧୯ରେ ପ୍ରଭାବିତ ଲୋକମାନଙ୍କୁ ମାନବିକତା ଦୃଷ୍ଟିରୁ ସ୍ୱହୃଦୟରେ ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ ମଧ୍ୟ କରିଥିଲେ । ଦଳର ସମସ୍ତ ବିଧାୟକ, ସାଂସଦ ମାନେ ସେମାନଙ୍କ ୩ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆସନ୍ତା ୨୯ତାରିଖ ସୁଦ୍ଧା ପ୍ରଦାନ କରିବା ପାଇଁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଅପିଲ୍ କରିଥିଲେ । ଏହି ମର୍ମରେ ଏକ ଭିଡିଓ ବାର୍ତ୍ତା ମଧ୍ୟରେ ଶ୍ରୀ ଦାସବର୍ମା ଦଳୀୟ କର୍ମୀମାନଙ୍କୁ ଅନୁରୋଧ କରିଥିଲେ । ବୁଧବାର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ତାଙ୍କର ୩ମାସର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଥିବା ନେଇ ଟ୍ୱିଟ ଯୋଗେ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପାଳନକରି ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀ ତାଙ୍କର ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତିକୁ ଜିଲ୍ଲାର ସମସ୍ତ କର୍ମଚାରୀ ମାନି ସେମାନଙ୍କର ଦିନକର ଦରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ତଥା କୋଭିଡ-୧୯ ସ୍ୱତନ୍ତ୍ର ପାଣ୍ଠିକୁ ପ୍ରଦାନ କରିବା ପାଇଁ ସହମତି ପ୍ରକାଶ କରିଥିଲେ । ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କ ଦିନକର ଦରମା ମୋଟ ୫କୋଟି ୧୩ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ହୋଇଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତି ଓ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା ଜଣାପଡିଛି ।