-
ଜରୁରୀ କାମରେ ବାହାରକୁ ବାହାରିଲେ ପୋଲିସ୍ ଠାରୁ ପାସ୍ ନେବା ବାଧ୍ୟତାମୂଳକ
ଭୁବନେଶ୍ୱର– ଲକ୍ ଡାଉନ୍ ସମୟରେ ବାହାରକୁ ଯିବାକୁ ଚାହୁଁଥିଲେ ଟ୍ୱିନ୍ ସିଟି ବାସୀଙ୍କୁ କମିଶନରେଟ୍ ପୋଲିସ୍ ନିକଟରୁ ପାସ୍ ନେବାକୁ ପଡିବ । ଏଥିପାଇଁ ବାହାରକୁ ଯିବେତ ୧୦୦ ଡାଏଲ କରିବାକୁ ହେବ । ନିୟନ୍ତ୍ରଣ କକ୍ଷରେ ବସିଥିବା ଅଧିକାରୀ ବ୍ୟକ୍ତିଙ୍କୁ କେଉଁଠିକୁ ଯିବାର ଅଛି, କି ପ୍ରକାର ଜରୁରୀ କାମ, ଏ ନେଇ ପଚରା ଉଚରା କରିବେ । ଯଦି କାମ ଜରୁରୀ ବୋଲି ସେ ଅନୁଭବ କରନ୍ତି, ତେବେ ପାସ୍ ପ୍ରଦାନ କରିବେ । ସମ୍ପୃକ୍ତ ବ୍ୟକ୍ତିର ମୋବାଇଲକୁ ଏକ ମେସେଜ୍ ଆସିବ । ଏହି ମେସେଜ୍ ହିଁ ଯାଂଚ ବେଳେ ପାସ୍ ଭାବରେ କାମ କରିବ । ବିନା କାମରେ ଏମର୍ଜେନ୍ସି କହି ଠକିବାକୁ ଚେଷ୍ଟା କରି ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏସମ୍ପର୍କରେ ସୋମବାର କମିଶନରେଟ୍ ପୋଲିସ୍ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରୀ କରାଯାଇଛି ।
ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ କୋରୋନା ମୁକାବିଲା ଯୁଦ୍ଧରେ ଆମେ ସମସ୍ତେ ଜଣେ ଜଣେ ଯୋଦ୍ଧା । ଏବେ ହିଁ ପ୍ରକୃତ ଯୋଦ୍ଧାର କାମ ଦେଖାଇବା ସମୟ ଆସିଛି । ଅତି ଜରୁରୀ କାମ ନ ଥିଲେ ଘରୁ ବାହାରନ୍ତୁ ନାହିଁ । ପରିବା ପାଇଁ ଗଲେ ଚାଲି ଚାଲି ଯାଆନ୍ତୁ । ଏହାଦ୍ୱାରା ବ୍ୟାୟାମ ହେବ ବୋଲି ପୋଲିସ୍ କମିଶନର ପରାମର୍ଶ ଦେଇଛନ୍ତି ।
ଆଗାମୀ ୭ଦିନ ପାଇଁ ତାଲା ବନ୍ଦ ସମୟରେ ହସ୍ପିଟାଲ, ବିମାନବନ୍ଦରକୁ ଅତି ଗୁରୁତ୍ୱପୂର୍ଣ୍ଣ କାମକୁ ଯାଉଥିଲେ ସମ୍ପୃକ୍ତ ବ୍ୟକ୍ତି ପୋଲିସଠାରୁ ପାସ ନେବା ବାଧ୍ୟତାମୂଳକ । ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ମେଡିକାଲ କାଗଜପତ୍ର, ଏୟାରପୋର୍ଟ ଟିକେଟ ଦେଖାଇବାକୁ ପଡ଼ିବ । ଇନ୍ସପେକ୍ଟର ଓ ଏସିପି ସ୍ତରର ଅଫିସର ଏହି ପାସ ଯୋଗାଇବେ । ନଚେତ୍ ୧୦୦ ଡାଏଲ୍ କରି ଆବଶ୍ୟକ ତଥ୍ୟ ଦେବା ପରେ ପାସ୍ ହାସଲ କରିପାରିବେ ବୋଲି ସେ କହିଛନ୍ତି ।
ଆସନ୍ତା ମାର୍ଚ୍ଚ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ତାଲା ବନ୍ଦ ରହିବ । ଯଦି କୌଣସି ଅଫିସରେ ଜରୁରୀ କାମ ଥାଏ, ତା’ହେଲେ ଯେତେ କମ୍ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାମ କରିପାରିବେ ସେହି ସମ୍ପର୍କରେ ଅଫିସ କର୍ତୃପକ୍ଷ ଦୃଷ୍ଟି ଦେବେ । ବେପରୁଆ ହେଲେ ସ୍ଥିତି ବିଗିଡ଼ିଯିବ ।ଏଭଳି ସ୍ଥିତିକୁ ନଜରରେ ରଖି ବାରାକ୍ ରେ ପୋଲିସ କର୍ମଚାରୀଙ୍କୁ ଅଧିକ ସଚେତନ ହେବା ପାଇଁ କୁହାଯାଇଛି ।