-
ସହରବାସୀଙ୍କ ଅକୃଣ୍ଠ ସମର୍ଥନ
ବ୍ରହ୍ମପୁର : ଦେଶକୁ କରୋନା ଭୁତାଣୁ ଠାରୁ ଦୂରରେ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ପୂର୍ଣ୍ଣ ସମର୍ଥନ ଦେଇଛନ୍ତି ରେଶମ ସହରବାସୀ । ସକାଳ ୭ଟାରୁ ରାତ୍ର ୯ଟା ପର୍ଯ୍ୟନ୍ତ ଜନତା କର୍ଫ୍ୟୁକୁ ସହରରେ ପାଳନ କରାଯାଇଛି । ରବିବାର ଦିନ ତମାମ୍ ଲୋକେ ଘରେ ରହିଛନ୍ତି । ଜରୁରୀ କାର୍ଯ୍ୟ ନହେଲେ ଘରୁ ବାହାରୁନଥିବା ଦେଖିବାକୁ ମିଳିଛି । ଡାକ୍ତରଖାନା, ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଅନୁଷ୍ଠାନ, ଦୋକାନ ବଜାର, ଗାଡି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଛି । ଜିଲ୍ଳାର ୨୨ଟି ବ୍ଲକ୍, ୧୭ଟି ଏନ୍ଏସିରେ ମଧ୍ୟ ଏହା ବଳବତ୍ତର ରହିଛି । ସହରବାସୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ସମ୍ମାନ ଜଣାଇ ସଫଳ କରିଛନ୍ତି । ଅପରାହ୍ନ ୫ଟା ବେଳେ ଘରୁ ବାହାରି ଘଣ୍ଟ, ଥାଳି ବଜାଇ ଜରୁରୀ ସେବା ଯୋଗାଉଥିବା ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।
କର୍ଫ୍ୟୁ ପାଇଁ ସହରର ବିଭିନ୍ନ ଛକରେ ଜିଲ୍ଲା ପୋଲିସ ପକ୍ଷରୁ ପୋଲିସ ଫୋର୍ସ ମୁତୟନ ରହିଥିଲା । ସହରର ପ୍ରତ୍ୟେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ସାଧାରଣ ଲୋକ ଏଥିରେ ସାମିଲ୍ ହୋଇ ଜନତା କର୍ଫ୍ୟୁକୁ ସଫଳ କରିଛନ୍ତି । ବ୍ରହ୍ମପୁର ରେଳ ଷ୍ଟେଶନ୍, ସିଟି ବସ୍ଷ୍ଟାଣ୍ଡରେ ମଧ୍ୟ ଟ୍ରେନ୍ ଓ ବସ୍ ଚଳାଚଳ ଠପ୍ ହୋଇଯାଇଛି । ଷ୍ଟେଶନ୍ ଓ ବସ୍ଷ୍ଟାଣ୍ଡ ଖାଁ ଖାଁ ହୋଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଏସ୍ପି ପିନାକ ମିଶ୍ର ବିଭିନ୍ନ ଅଞ୍ଚଳବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ମେଡିକାଲ୍ ଆଉଟ୍ଡୋରରେ ମଧ୍ୟ ରୋଗୀଙ୍କ ଦେଖା ମିଳିନଥିଲା । ସହରବାସୀ ଜନତା କର୍ଫ୍ୟୁକୁ ପୂର୍ଣ୍ଣ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଜିଲ୍ଲା ଓ ସହରବାସୀ ପୂର୍ଣ୍ଣ ସମର୍ଥନ ଜଣାଇ ସହଯୋଗର ହାତ ବଢ଼ାଇଥିବାରୁ ଉଭୟେ ଜିଲ୍ଲାପାଳ ଓ ଏସ୍ପି ଜନସାଧାରଣଙ୍କୁ ସାଧୁବାଦ ଜଣାଇଛନ୍ତି ।