
ବାରିପଦା– ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ନିକଟ ଜୁଡାମ୍ବ ଗ୍ରାମରେ ଗୁରୁବାର ସନ୍ଧ୍ୟାରେ ଏକ ଘର ଉପରକୁ ବଜ୍ରପାତ ହେବାରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ୧୨ ଘଣ୍ଟା ପରେ ଘର ଭିତରୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ଜଣକ ହେଉଛନ୍ତି ଦିଗଧର ଗ୍ରାମପଂଚାୟତ ଅଧିନ ସୁନିନ୍ଦା ଗ୍ରାମର ଦଶରା ସିଂଙ୍କୁ (୫୦) ବୋଲି ଜଣାପଡ଼ିଛି । ସେ ଜୁଡାମ୍ବ ଗ୍ରାମର ଜଣେ ସମ୍ପର୍କୀୟ ଘରକୁ ଦଶାହ କର୍ମରେ ଯୋଗ ଦେବାକୁ ଆସିଥିଲେ । ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ସମୟରେ ସାହିକୁ ବୁଲି ଆସିଥିବା ସମୟରେ କାଳବୈଶାଖି ବର୍ଷା ପବନ ସାଙ୍ଗକୁ ବିଜୁଳି ମାରିବାରୁ ଦଶରା ସାହିର ଫୁଲ ଚାମ୍ପିଆଙ୍କ ଘରେ ଯାଇ ଆଶ୍ରୟ ନେଇଥିଲେ। ଏହି ସମୟରେ ଘର ମାଲିକାଣୀ ଫୁଲ ବାହାରକୁ ଯାଇଥିବାରୁ ପଡୋଶୀ ରଥିଆ ପୂର୍ତ୍ତି ଓ ତାଙ୍କ ସ୍ତ୍ରୀ ବାଲମା ଫୁଲର ଘରକୁ ଜଗିଥିଲେ । ଘରର ଏକ କୋଠରୀ ଭିତରେ ଏହି ୩ ଜଣ ବସିଥିବା ବେଳେ ହଠାତ୍ ଘର ଉପରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଆଶ୍ରୟ ନେଇଥିବା ଦଶରାର ମୃତ୍ୟୁ ଘଟିଥିଲା ଓ ତାଙ୍କ ଶରୀର କିଛି ଅଂଶ ପୋଡି ଯାଇଥିବାର ଦେଖିବାକୁ ମିଳିଥିଲା । ଏଥିସହିତ ରଥିଆ ପୂର୍ତ୍ତୀ ଓ ତାଙ୍କର ସ୍ତ୍ରୀ ବାଲମା ସେଠାରେ ସଂଜ୍ଞାହୀନ ଅବସ୍ଥାରେ ପଡିରହିଥିଲେ ମଧ୍ୟ ପାଖ ପଡୋଶୀ ଜାଣିପାରିନଥିଲେ। ଆଜି ସକାଳେ ପଡୋଶୀ ମାନେ ଦେଖି ୧୦୮ ଆମ୍ବୁଲାନ୍ସକୁ ଖବର ଦେବାପରେ ଘର ଭିତରୁ ମୃତ ଦଶରା ଓ ସଂଜ୍ଞାହୀନ ଅବସ୍ଥାରେ ପଡିରହିଥିବା ସ୍ୱାମୀ,ସ୍ତ୍ରୀଙ୍କୁ ଉଦ୍ଧାର କରାଯାଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରାଯାଇଛି। ଠାକୁରମୁଣ୍ଡା ଥାନା ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି ।