
ବଲାଙ୍ଗିର – ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଲରମ୍ଭା ଥାନା ଅନ୍ତର୍ଗତ ଚିଟକାମାଲ୍ ଗାଁରେ ଗୁଣିଗାରେଡ଼ି ସନେ୍ଦହରେ ଦମ୍ପତିଙ୍କୁ ହତ୍ୟା ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ନାରାୟଣ ବରିହା, ସ୍ୱରୂପ ଘିଭେଲା, ଗୌରାଙ୍ଗ ପୋଢ଼ ଓ କୃଷନ ବରିହା । ଗିରଫ ଅଭିଯୁକ୍ତ ମାନେ ନିଜର ଦୋଷ ସ୍ୱୀକାର କରିଛନ୍ତି । ତେବେ ଫେରାର୍ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
ଗତ ମାସ ୨୧ ତାରିଖରେ ଚିଟକାମାଲ ଗ୍ରାମର ନାରାୟଣ ବରିହାଙ୍କ ଦେଢ଼ ବର୍ଷିୟ ଶିଶୁ ପୁତ୍ର ଲକିକୁ ଜ୍ୱର ହୋଇଥିଲା । ତାକୁ ପାଟଣାଗଡ଼ ଡାକ୍ତରଖାନାକୁ ନିଆଯାଉଥିବା ବେଳେ ବାଟରେ ତା’ର ମୃତୁ୍ୟ ଘଟିଥିଲା । ପରିବାର ଲୋକେ ମୃତଦେହକୁ ଆଣି ନିଜ ବାଡିରେ ପୋତି ଦେଇଥିଲେ । ପରବର୍ତୀ ସମୟରେ ଶବ ପୋତାଯାଇଥିବା ସ୍ଥାନରେ କେହି ଫୁଲ, ସିନ୍ଦୁର ରଖି ଦୀପ ଜାଳି ଥିବା ଦେଖିବାକୁ ମିଳିଥିଲା । ଘଟଣା ପ୍ରଘଟ ହେବା ପରେ ଏଠାରେ କେହି ପୂଜାପାଠ କରିଥିବା ଅନୁମାନ କରି ଗାଁରେ ବୈଠକ ବସିଥିଲା । ନିଜ ସମ୍ପର୍କୀୟ ଚିନ୍ତାମଣି ଓ ରୁକ୍ମିଣୀ ବରିହା ଗୁଣି ଗାରେଡ଼ି କରୁଥିବା ନାରାୟଣ କହିଥିଲେ । ପରେ ଏନେଇ ସେ ଲରମ୍ବା ଥାନାରେ ଅଭିଯୋଗ କରିଥିଲେ । ଏହାର ପ୍ରତିବାଦ କରିଥିଲେ ଚିନ୍ତାମଣିଙ୍କ ପତ୍ନୀ ରୁକ୍ମିଣୀ । ଏପରିକି ତାକୁ ଡ଼ାହାଣି କହି ଗାଁ ଲୋକେ ନିର୍ଯାତନା ଦେଉଥିବା ରୁକ୍ମିଣୀ ଥାନାରେ ଅଭିଯୋଗ କରିଥିଲେ । ଏହାକୁ ନେଇ ଦୁଇ ପକ୍ଷଙ୍କ ମଧ୍ୟରେ ଚାପା ଉତେଜନା ଲାଗି ରହିଥିଲା । ପୋଲିସ ମାମଲାର ସମାଧାନ କରିବା ପରିବର୍ତେ ନିରବଦ୍ରଷ୍ଟା ସାଜିଥିଲା । ଯାହାକୁ ନେଇ ଗତକାଲି ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । ଦିନ ଦ୍ୱି ପ୍ରହରରେ ଦମ୍ପତି (ଚିନ୍ତାମଣି ଓ ରୁକ୍ମିଣୀ)ଙ୍କୁ ପିଟି ପିଟି ହତ୍ୟା କରି ଏକ ଅଖାରେ ପୁରାଇ ଜଙ୍ଗଲରେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ସନ୍ଧାନୀ କୁକୁର ଓ ସାଇଂଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରୁ ମାମଲାରେ ଅଭିଯୁକ୍ତ ମାନଙ୍କ ସମ୍ପୃକ୍ତି ସମ୍ପର୍କରେ ଜାଣିପାରି ପୋଲିସ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଥିଲା । ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।