ବ୍ରହ୍ମପୁର: କରୋନା ଭାଇରସ୍କୁ ନେଇ ଗଞ୍ଜାମ ଜିଲ୍ଲାରେ ମାସ୍କର ଅଭାବି ଦେଖାଦେଇଥିବା ବେଳେ ଏହାକୁ ପାଇବା ପାଇଁ ଲୋକଙ୍କ ଭିତରେ ଚିନ୍ତା ବଢ଼ିଯାଇଛି । କେତେକ ସ୍ଥାନରେ କଳାବଜାର ହୋଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି । ବୁଧବାର ଠାରୁ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ ଅଧିନ ୫୦୩ ପଞ୍ଚାୟତ କାର୍ଯ୍ୟାଳୟରେ ମାସ୍କ ମିଳିବ ବୋଲି ମଙ୍ଗଳବାର ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ପ୍ରତି ମାସ୍କର ମୂଲ୍ୟ ୨୫ଟଙ୍କା ଧାର୍ଯ୍ୟ କରାଯାଇଥିବା ସେ କହିଛନ୍ତି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜିଲ୍ଲାରେ ଥିବା ସମସ୍ତ ବ୍ଲକ୍ ଅଧିନରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ କଟନ କପଡାରେ ମାସ୍କ ତିଆରି କରୁଛନ୍ତି । ଏହି ମାସ୍କକୁ ଜନସାଧାରଣଙ୍କୁ ସୁଲଭ ଦରରେ ଯୋଗାଇବା ପାଇଁ ସ୍ଥିର କରାଯାଇଥିବା ସେ ସୂଚନା ଦେଇଛନ୍ତି । ମାସ୍କ ବଦଳରେ ରୁମାଲ୍କୁ ମଧ୍ୟ ମାସ୍କ ଭାବେ ବ୍ୟବହାର କରିହେବ । ଏହାକୁ ଧୋଇ ପୁନଃ ବ୍ୟବହାର କରିବା ପାଇଁ ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଥିବା ଜଣାପଡିଛି । ବ୍ରହ୍ମପୁରର ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମାସ୍କ ତିଆରି କରୁଥିବା ଦେଖିବାକୁ ମିଳିଛି ।