ବ୍ରହ୍ମପୁର: କରୋନା ଭାଇରସ୍ରୁ ଦୂରରେ ରହିବା ପାଇଁ ମାସ୍କ ଓ ଷ୍ଟେନଲାଇଜରର ଆବଶ୍ୟକତା ଥିବାରୁ ସହରରେ ଅଭାବି ବିକ୍ରି ଦେଖାଦେଇଛି । ମାସ୍କ ତିଆରି ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାରେ ଥିବା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀମାନେ ମାସ୍କ ତିଆରିକରି ୨୫ଟଙ୍କାରେ ଗୋଟିଏ ମାସ୍କକୁ ବିକ୍ରି କରନ୍ତୁ ବୋଲି ନିର୍ଦ୍ଦେଶ ଦେବାପରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜିଲ୍ଲାର ସମସ୍ତ ବ୍ଲକ୍ରେ ଥିବା ସିଡିପିଓମାନଙ୍କୁ ନିଜ ନିଜ ଅଞ୍ଚଳର ଯେଉଁମାନେ ସିଲେଇ ଜାଣିଛନ୍ତି ସେମାନଙ୍କୁ ନେଇ ମାସ୍କ ତିଆରିକରି ବିକ୍ରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମର୍ମରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିନସ୍ଥ ସିଡିପିଓ-୨ ଅଧିନରେ ଥିବା ୪୬୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରେ ସିଲେଇ ଜାଣିଥିବା ଓ ଶିଖିଥିବା ୩୩ଜଣ ମହିଳାଙ୍କୁ ୨ଟି ୟୁନିଟ୍ରେ ଗଠନ କରାଯାଇ ମାସ୍କ ତିଆରି କରାଯାଉଥିବା ଜଣାପଡିଛି । ସିଡିପିଓ ବିଜୟଲକ୍ଷ୍ମୀ ନାୟକଙ୍କ ତତ୍ତ୍ୱାବଧାନରେ ସୁପରଭାଇଜର ମିନତୀରାଣୀ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି ୨ଟି ୟୁନିଟ୍ ସିଲେଇ ଆରମ୍ଭ କରିଛନ୍ତି । ମା’ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀରେ ୧୮ଜଣ ମହିଳା ମାସ୍କ ସିଲେଇ କରୁଥିବା ବେଳେ ମା’ ତାରାତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀରେ ୧୫ଜଣ ମହିଳା ସିଲେଇ କରୁଛନ୍ତି । ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏହି ୨ଟି ୟୁନିଟ୍ ବ୍ରହ୍ମପୁର ଉପଜିଲ୍ଲାପାଳ, ଜିଲ୍ଲା ଜଜ୍ କୋର୍ଟ, ବଡ ମେଡିକାଲ୍, ସିଡିଏମ୍ଓ ଅଫିସ୍କୁ ପ୍ରଥମ ପର୍ଯ୍ୟାୟରେ ମାସ୍କ ସିଲେଇକରି ଗୋଟିଏ ମାସ୍କକୁ ୨୫ଟଙ୍କା ଦରରେ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେହି ମର୍ମରେ ସୋମବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ୩୦ଟି ଓ ଜିଲ୍ଲା କୋର୍ଟକୁ ୨୦୭ଟି ମାସ୍କ ସିଲେଇକରି ଦିଆଯାଇଥିବା ସୁପରଭାଇଜର ଶ୍ରୀମତୀ ପଣ୍ଡା ସୂଚନା ଦେଇଛନ୍ତି । ସହରରେ ବିଭିନ୍ନ ଔଷଧ ଦୋକାନ ଓ ବ୍ୟବସାୟିକ ଅନୁଷ୍ଠାନମାନେ ଚଢ଼ା ଦରରେ ମାସ୍କ ବିକ୍ରି କରୁଥିବାରୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ମାସ୍କ ସୁଲଭ ଦରରେ ମିଳୁଥିବା ଜଣାପଡିଛି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଲୋକଙ୍କ ଆବଶ୍ୟକତାକୁ ଦେଖି ମାସ୍କ ତିଆରି ଜାରି ରହିବ ବୋଲି ସୁପରଭାଇଜର ଶ୍ରୀମତୀ ପଣ୍ଡା ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024