-
ପୁନଃ ଜନ୍ମ ପାଇଥିବାରୁ ଜନସାଧାରଣଙ୍କୁ ଧନ୍ୟବାଦ
ବ୍ରହ୍ମପୁର: ବିଶ୍ୱରେ ବର୍ତ୍ତମାନ ଭୟଙ୍କର କରୋନା ଭାଇରସ୍ର ଆତଙ୍କ ଖେଳିଯାଇଥିବା ବେଳେ ଜାପାନ ଜାହାଜରେ ଫଶି ରହିଥିବା ବ୍ରହ୍ମପୁର ପନ୍ଦରାବାଡ ସାହିର ଶିବାଶିଷ ନାୟକ ଗତ ଫେବୃୟାରୀ ୨୭ତାରିଖରେ ଭାରତ ଫେରିଥିଲେ । ୧୫ଦିନଧରି ଦିଲ୍ଲୀର ମିଲେଟାରୀ ଶିବିରରେ ରହିବାପରେ ତାଙ୍କ ଦେହରେ କରୋନା ଭାଇରସ୍ ନେଗେଟିଭ ଆସିଥିଲା । ସେ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ବ୍ରହ୍ମପୁର ଫେରିଛନ୍ତି ଯୁବ ଇଞ୍ଜିନିୟର ସୁବାଶିଷ । ଫେରିବା ଖବରପାଇ ବହୁ ଗଣମାଧ୍ୟମ ପ୍ରତିନିଧି ତାଙ୍କ ବାସଭବନରେ ପହଞ୍ôଚ ଶିବାଶିଷଙ୍କ ସହ ଆଲୋଚନା କରିଥିଲେ । ପୁନଃ ଜନ୍ମ ପାଇଛି ବୋଲି ଶିବାଶିଷ କହିଥିଲେ । ଭଗବାନଙ୍କ କୃପା, ମା’ବାପାଙ୍କ ଆର୍ଶିବାଦ ଓ ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହଯୋଗ ଯୋଗୁ ମୁଁ ଘରକୁ ଫେରି ଆସିଛି ବୋଲି କହିଥିଲେ । ସୂଚନାଥାଉକି, ଶିବାଶିଷ ଦିଲ୍ଲୀ ନୋଇଡାସ୍ଥିତ ଏକ ସପ୍ଟୱେର କମ୍ପାନୀରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ । ଶୁକ୍ରବାର ସେ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ୱର ଫେରିଥିଲେ । ଭୁବନେଶ୍ୱର ବିମାନ ବନ୍ଦରରେ ପୂର୍ବରୁ ଶିବାଶିଷଙ୍କ ବାପା ଲିଙ୍ଗରାଜ ନାୟକ ଓ ମା’ ଝୁନୁ ନାୟକ ପୂର୍ବରୁ ପୁଅର ଫେରିବା ବାଟକୁ ଚାହିଁ ବସିଥିଲେ । ଶିବାଶିଷକୁ ଦେଖି ଆନନ୍ଦରେ ଆତ୍ମବିଭୋର ହୋଇଯାଇଥିଲେ ଉଭୟ ମା’ ବାପା । ନିଜ ଘରକୁ ୪୮ଦିନ ପରେ ଫେରିଥିବାରୁ ଅଜଣା ଆତଙ୍କରୁ ମୁକ୍ତି ପାଇଛି ବୋଲି ଶିବାଶିଷ କହିଛନ୍ତି । ଜାପାନ୍ର ୟକୋହୋମ୍ମା ଡାଇମଣ୍ଡ ପ୍ରିସେନ୍ସ ଜଳ ଜାହାଜରେ ୨୩ଦିନ ରହଣୀର ଅନୁଭୂତି ଓ ଭାରତୀୟ ଜାଠ୍ ରେଜିମେଣ୍ଟରେ ୧୫ଦିନ ରହଣୀ କିପରି ଥିଲା ସେ ସମ୍ପର୍କରେ ବିସ୍ତୃତ ଭାବେ ଶିବଶିଷ ଗଣମାଧ୍ୟମ ନିକଟରେ ଉପସ୍ଥାପନ କରିଥିଲେ । ସେ ରହିଥିବା ଜାହାଜରେ ନବମ ମହଲାରେ ରହୁଥିବା ବେଳେ ଜାହାଜରେ ପ୍ରତି ମୂହୁର୍ତ୍ତରେ କରୋନା ଭୁତାଣୁରେ ଲୋକେ ମରୁଥିଲେ । ଏହି ଭୟରେ କିପରି ଦିନ କଟୁଥିଲା ସେ ସମ୍ପର୍କରେ କହିଥିଲେ । ଅନ୍ୟପଟେ ପୁଅ ସୁରକ୍ଷିତ ଭାବେ ଭାରତ ଫେରିଥିବାରୁ ତାଙ୍କ ମା’ବାପା ଓ ଶୁଭେଚ୍ଛୁମାନେ ଆନନ୍ଦିତ ଥିବା ଜଣାପଡିଛି । ଶିବାଶିଷକୁ ମୁକୁଳାଇବା ପାଇଁ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ବୈଦେଶିକ ମନ୍ତ୍ରଣାଳୟକୁ ଚିଠିକରି ଓ ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଶିବାଶିଷକୁ ଉଦ୍ଧାର କରିବା ପାଇଁ ନିବେଦନ କରିଥିଲେ ।