
ବ୍ରହ୍ମପୁର:ଦିଗପହଣ୍ଡି ବ୍ଳକ ବଡ଼ ଡୁମ୍ବୁଳା ଗ୍ରାମ ସ୍ଥିତ ମାଁ ବାଙ୍କେଶ୍ୱରୀ ଙ୍କ ଯାତ୍ରା ରେ ସୋମବାର ସିଦ୍ଧେଶ୍ୱର ଗଣିଆ ନାଳ ଛକ ରେ ରହୁଥିବା ସୂର୍ଯ୍ୟମଣି ସାହୁ ନାମ୍ନୀ ଜଣେ ମହିଳାଙ୍କ ବେକରୁ ପ୍ରାୟ ୨ ଭରି ଓଜନର ସୁନା ଖାସୁ ମାଳି କେହି ଦୁର୍ବୃତ୍ତ କାଟି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଲୁଟ ମାମଲା ରେ ସମ୍ପୃକ୍ତ ଥିବା ୨ ମହିଳା ଙ୍କୁ ପୋଲିସ ଗିରଫ କରି ବୁଧବାର ଦିଗପହଣ୍ଡି କୋର୍ଟ କୁ ଚାଲାଣ କରିଛନ୍ତି। ଅଭିଯୁକ୍ତା ଦ୍ୱୟ ହେଲେ ପଶ୍ଚିମବଙ୍ଗ ଖଡ଼ଗ ପୁର ଥାନା ଗୋଲବଜାର ଗ୍ରାମର ବିଦ୍ୟା ସେଠୀ ଓ ଲକ୍ଷ୍ମୀ ସେଠୀ। ଥାନା ମାମଲା ନଂ.୪୯/୨୦ ଦଫା – ୩୭୯/୩୪ ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତା ଲକ୍ଷ୍ମୀ ଙ୍କ ନିକଟରୁ ଚୋରି ଯାଇଥିବା ସୁନା ଖାସୁ ମାଳି ଓ ୧୧ ଶହ ଟଙ୍କା ପୋଲିସ ଜବତ କରିଛନ୍ତି।ଗତ ସୋମବାର ସକାଳ ପ୍ରାୟ ସାଢେ଼ ୯ ଟାରେ ଗଣିଆ ନାଳ ଛକ ର ତାରିଣୀ ସାହୁ ଓ ତାଙ୍କ ସ୍ତ୍ରୀ ସୂର୍ଯ୍ୟମଣି ବାଙ୍କେଶ୍ୱରୀ ପୀଠ ରେ ଦର୍ଶନ କରି ଫେରୁଥିବା ବେଳେ ପ୍ରବଳ ଭିଡ଼ ର ସୁଯୋଗ ନେଇ ଦୁଇଜଣ ମହିଳା ତାଙ୍କୁ ଠେଲି କୌଶଳ କ୍ରମେ ତାଙ୍କ ବେକରୁ ୧୧ ଟି ସୁନା ଖାସୁ ଥିବା ମାଳି କୁ କାଟି ନେଇ ଆଖି ପିଛୁଳା କେ ଯାତ୍ରୀ ଙ୍କ ଭିଡ଼ ଭିତର ଦେଇ ଫେରାର ହୋଇଯାଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ୨ ଅଣ ଓଡ଼ିଆ ସନ୍ଦିଗ୍ଧ ମହିଳା ଙ୍କୁ ଚିହ୍ନଟ କରିଥିଲେ। ପୋଲିସ ଉଭୟଙ୍କୁ ଅଟକ ରଖି ପଚରା ଉଚୁରା କରିବା ପରେ ସେମାନଙ୍କ ନିକଟରୁ ଚୋରି ସୁନା ମାଳି ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।