-
ଯାଜପୁର ଜିଲ୍ଲାରେ ବଢୁଛି ନାବାଳିକା ଦୁଷ୍କର୍ମ
ଭୁବନେଶ୍ୱର – ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି । ପ୍ରତିଦିନ ମହିଳାଙ୍କ ସହ ଦୁଷ୍କର୍ମ, ଅସଦାଚରଣ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଶାସକ ଦଳର ନେତା ଓ କର୍ମୀମାନେ ବିଭିନ୍ନ ଦୁଷ୍କର୍ମ ଘଟଣାରେ ସାମିଲ ଥିବାର ପ୍ରମାଣ ମିଳୁଛି । ଯାଜପୁର ଜିଲ୍ଲା କୁଆଖିଆ ରସଲପୁର ବ୍ଲକ ଅତଲପୁର ପଂଚାୟତ ଜଣେ ୧୨ ବର୍ଷୀୟା ଆଦିବାସୀ ନାବାଳିକା ସହ ପୂର୍ବତନ ବିଜେଡି ସରପଂଚ ତଥା ବିଜେଡି ଯୁବ ସଭାପତି ସୁବାଷ ଖୁଂଟିଆ ଦୁଷ୍କର୍ମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ ଘଟଣା ବୋଲି ବିଜେପି ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି ।
ଡ. ସାମନ୍ତସିଂହାର କହିଛନ୍ତି ଯେ, ବିଜେଡି ସଭାପତି ନାବାଳିକା ଆଦିବାସୀ ଝିଅକୁ ଗୋଟିଏ ସ୍ଥାନରେ ବନ୍ଧକ କରି ଲଗାତାର ଦୁଷ୍କର୍ମ କରିଥିଲେ । କୌଶଳକ୍ରମେ ପୀଡିତା ଜଣକ ସେ ସ୍ଥାନରୁ ଖସି ଆସିବା ପରେ ଅଭିଯୁକ୍ତର ସାନ ଭାଇ ପୁଣି ଥରେ ତାକୁ ଅପହରଣ କରି ନିଜ ଘରକୁ ନେଇ ଦୁଷ୍କର୍ମ କରିଛନ୍ତି । ଏହା ସମଗ୍ର ନାରୀ ସମାଜ ପ୍ରତି ଲଜ୍ଜାର ବିଷୟ । ପୀଡିତା ଜଣକ ଘରକୁ ଫେରିବା ପରେ ବି ରସଲପୁର ବିଜେଡି ବ୍ଲକ ସଭାପତି ଅରୁଣ ରାଉତ ଓରଫ ଧୁନା, ଯାଜପୁର ଜିଲ୍ଲା ବିଜେଡି ଯୁବ ସାଧାରଣ ସଂପାଦକ ମନୋଜ ରାଉତ ଥାନାରେ ଆପୋଷ ବୁଝାମଣା କରି କେସକୁ ରଫାଦଫା କରିବା ପାଇଁ ପୀଡିତାର ବାପାଙ୍କୁ ଧମକ ଦେଇଛନ୍ତି । ବାରମ୍ବାର ଯାଜପୁର ଜିଲ୍ଲାରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଚାଲିଛି । ବିଗତ ୩ ବର୍ଷ ମଧ୍ୟରେ ୩୬୮ ନାବାଳିକା ଝିଅଙ୍କୁ ଦୁଷ୍କର୍ମ କରାଯାଇଛି । ସମସ୍ତ ଦୁଷ୍କର୍ମ ଘଟଣାରେ ଶାସକ ଦଳର ସଂପୃକ୍ତି ରହୁଛି ଏବଂ ପୋଲିସ ଶାସକ ଦଳ ନିଦେ୍ର୍ଧଶରେ ଅପରାଧୀଙ୍କୁ ସୁରକ୍ଷା ଦେଇ ଚାଲିଛି ।
ଶାସକ ଦଳ ନେତା ଓ କର୍ମୀମାନେ ଏଭଳି କୁକର୍ମରୁ ନିଜକୁ ଦୂରେଇ ନରଖିଲେ ଆଗାମୀ ଦିନରେ ମୁଖ୍ୟ ବିରୋଧୀ ଭାବେ ବିଜେପି ରାଜ୍ୟବ୍ୟାପୀ ଆନେ୍ଦାଳନ କରିବ ବୋଲି ଡ.ସାମନ୍ତସିଂହାର ଚେତାବନୀ ଦେଇଛନ୍ତି ।
ଏହି ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ବିଜେଡି ଯୁବସଭାପତିଙ୍କୁ ପୋକସୋ ଆକ୍ଟ ଲଗାଇ ଦୃଷ୍ଟାନ୍ତମୂଳକ ଦଣ୍ଡରେ ଦଣ୍ଡିତ କରାଯାଉ । ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ । ମହିଳାଙ୍କ ଅତ୍ୟାଚାର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଜିରୋ ଟଲେରାନ୍ସ ଗ୍ରହଣ କରନ୍ତୁ ଏବଂ ପୀଡିତାର ଜୀବନ ପ୍ରତି ବିପଦ ଥିବାରୁ ତାଙ୍କ ପରିବାରକୁ ତୁରନ୍ତ ପୋଲିସ ସୁରକ୍ଷା ପ୍ରଦାନ କରାଯାଉ ବୋଲି ଡ. ସାମନ୍ତସିଂହାର ଦାବୀ କରିଛନ୍ତି ।