ଢ଼ାକା/ନୂଆଦିଲ୍ଲୀ- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାଙ୍ଗଲାଦେଶ ଗସ୍ତ ପୂର୍ବରୁ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ପଡେ଼ାଶୀ ଦେଶକୁ ସ୍ପଷ୍ଟ କରିଛନ୍ତି ଯେ, ଆସାମରେ ଲାଗୁ କରାଯାଇଥିବା ରାଷ୍ଟ୍ରିୟ ନାଗରିକତା ପଞ୍ଜିକରଣ (ଏନଆରସି) ପ୍ରକ୍ରିୟା ଭାରତର ଆଭ୍ୟନ୍ତରିଣ ମାମଲା । ଏହାଦ୍ୱାରା ବାଙ୍ଗଲାଦେଶର ଲୋକଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ ।
ବାଙ୍ଗଲାଦେଶ ଗସ୍ତରେ ଥିବା ବୈଦେଶିକ ସଚିବ ଶ୍ରୀଙ୍ଗଲା ଦ୍ୱିପାକ୍ଷିକ ସମ୍ବନ୍ଧକୁ ନେଇ ସୋମବାର ଆୟୋଜିତ ଏକ ଆଲୋଚନାଚକ୍ରରେ ଯୋଗଦେଇ କହିଥିଲେ ଯେ, ଆସାମରେ ଏନଆରସି ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ କ୍ରମେ ଲାଗୁ କରାଯାଇଛି । ଏହାଦ୍ୱାରା ବାଙ୍ଗଲାଦେଶ ସରକାର ଏବଂ ସେଠାକାର ଜନତା ଚିନ୍ତିତ ହେବାର କୌଣସି ଆବଶ୍ୟକତା ନାହିଁ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବାଙ୍ଗଲାଦେଶର ଜାତୀୟ ପିତା ଶେଖ୍ ମୁଜିବୁର ରେହମାନଙ୍କ ଜୟନ୍ତୀ ସମାରୋହରେ ଅଂଶଗ୍ରହଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ତିନି ଦିବସୀୟ ବିଦେଶ ଯାତ୍ରାରେ ମାର୍ଚ୍ଚ ୧୬ ତାରିଖ ଠାରୁ ଢ଼ାକା ଯିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ କାଳରେ ମାର୍ଚ୍ଚ ୧୭ ରେ ମୁଜିବୁର ରେହମାନଙ୍କ ଜୟନ୍ତୀ ସମାରୋହରେ ଭାଗନେବେ ଏବଂ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହିତ ଦ୍ୱିପାକ୍ଷିକ ସମ୍ବନ୍ଧ ଉପରେ ଆଲୋଚନା କରିବେ ମୋଦୀ ।