ଏଇଏସ କମ୍ପାନୀ ସହ ହୋଇଥିବା ଚୁକ୍ତିକୁ ପୁଣି ଥରେ ସମୀକ୍ଷା କରା ଯାଉ – ପ୍ରଦୀପ୍ତ ନାୟକ
ଭୁୁବନେଶ୍ୱର – ଓପିଜିସି କର୍ମଚାରୀ ମାନଙ୍କୁ ଏଇଏସ କମ୍ପାନୀର ମ୍ୟାନେଜମେଂଟ ଦ୍ୱାରା ଲଗାତାର ଅବହେଳିତ କରା ଯିବା ଓ କର୍ମଚାରୀ ମାନେ କଳାବ୍ୟାଜ ପିନ୍ଧି ପ୍ରତିବାଦ କରିବା ମାମଲାରେ ବିଧାନସଭାରେ ଉଦବେଗ ପ୍ରକାଶ କରା ଯାଇଛି । ଉଭୟ ସରକାରୀ ଓ ବିରୋଧୀ ଦଳର ବିଧାୟକ ମାନେ ଏହି ପ୍ରସଙ୍ଗ ଉଠାଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶକ୍ତି ମନ୍ତ୍ରୀଙ୍କୁ ନିର୍ଦେଶ ଦେବାକୁ ଦାବି କରିଥିବା ବେଳେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ ସଂପୃକ୍ତ ବିଦେଶୀ କମ୍ପାନୀ ସହ କରା ଯାଇଥିବା ଚୁକ୍ତିକୁ ପୁଣି ଥରେ ରିଭ୍ୟୁ କରିବାକୁ ଦାବି କରିଛନ୍ତି ।
ଶୂନ୍ୟକାଳରେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପ୍ରଥମେ ଏହି ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ ଏହି କମ୍ପାନୀର ୪୯ ପ୍ରତିଶତ ଅଂଶଧନ ଏଇଏସ କମ୍ପାନୀକୁ ଦିଆ ଯିବା ସତ୍ୱେ ପ୍ରଶାସନିକ ଦାୟିତ୍ୱ ତା ପାଖରେ ଅଛି । ଏହି କମ୍ପାନୀ ଓପିଜିସି କମ୍ପାନୀର କର୍ମଚାରୀ ମାନଙ୍କୁ ଅତ୍ୟନ୍ତ ହୀନ ବ୍ୟବହାର କରୁଛି । ଓପିଜିସି କର୍ମଚାରୀ ମାନେ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରୁଥିବା ବେଳେ ତେଣୁ ରାଜ୍ୟ ସରକାର ଏହାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେବାକୁ ସେ ଦାବି କରିଛନ୍ତି ।
ସେହିପରି ବିଜେଡି ବିଧାୟକ କିଶୋର ମହାନ୍ତି ଓ ଅମର ପ୍ରସାଦ ଶତପଥୀ ମଧ୍ୟ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଏଇଏସ କମ୍ପାନୀର କର୍ମଚାରୀ ମାନଙ୍କ ତୁଳନାରେ ଓପିଜିସି କର୍ମଚାରୀ ମାନଙ୍କୁ ଖୁବ କମ ଦରମା ମିଳୁଛି । ଏ ସମ୍ପର୍କରେ ଦାବି କଲେ ମଧ୍ୟ କିଛି ଲାଭ ମିଳୁ ନାହିଁ । ତେଣୁ କର୍ମଚାରୀ ମାନେ କଳା ବ୍ୟାଜ ପିନ୍ଧି ପ୍ରତିବାଦ କରୁଛନ୍ତି । ଯଦି ସେମାନଙ୍କର କଥା ନ ଶୁଣା ଯାଏ ତେବେ ଆଗାମୀ ଦିନରେ ସ୍ଥିତି ଆହୁରି ଖରାପ ହେବ । ତେଣୁ ଏ ବାବଦରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶକ୍ତି ମନ୍ତ୍ରୀଙ୍କୁ ନିର୍ଦେଶ ଦେବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି ।
ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିକଟରେ ୫୧ ପ୍ରତିଶତ ଶେୟାର ଥିବା ସତ୍ୱେ ଉକ୍ତ କମ୍ପାନୀ କେମିତି ପ୍ରଶାସନିକ କାମ କରୁଛି । ତେଣୁ ଯଦି ଅତୀତରେ ଉକ୍ତ କମ୍ପାନୀର ସହ ଚୁକ୍ତି କରାଯାଇଥିବା ବେଳେ କୌ÷ଣସି ଭୁଲ ରହି ଯାଇଥାଏ ତେବେ ତାହାକୁ ରିଭ୍ୟୁ କରା ଯାଉ ବୋଲି ସେ କହିଛନ୍ତି ।