କଣାସ- ରାଜ୍ୟରେ ଏବେଠାରୁ ତାତି ବଢ଼ିବାରେ ଲାଗିଛି । ଧିରେ ଧିରେ ଗ୍ରୀଷ୍ମର ପ୍ରଭାବ ଆରମ୍ଭ ହେବାକୁ ଯାଉଥିବାବେଳେ ପୁରୀ ଜିଲ୍ଲାରେ ଚିଲିକା ଉପକୂଳରେ ଅବସ୍ଥାପିତ କଣାସ ବ୍ଲକରେ ବର୍ଷସାରା ପାନୀୟ ଜଳ ସମସ୍ୟା ଲାଗି ରହୁଛି । ଏପରିକି ପ୍ରତି ବର୍ଷ ଗ୍ରୀଷ୍ମ ସମୟରେ ତାହା ଉତ୍କଟ ରୂପ ଧାରଣ କରୁଛି ।
ବର୍ତମାନ କଣାସ ବ୍ଲକରେ ଅନେକ ଗ୍ରାମରେ ପାନୀୟ ଜଳପାଇଁ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଛନ୍ତି । ଖବର ନେବାରେ ଜଣାପଡିଛି କଣାସ ବ୍ଲକର ୨୮ଟି ଗ୍ରାମପଂଚାୟତର ୧୩୯ଟି ରାଜସ୍ୱଗ୍ରାମ ଓ ୧୦୮ଟି ପଡାଗ୍ରାମର ୧ ଲକ୍ଷ ୬୦ ହଜାର ଜନସାଧାରଣଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ୯୦୦ଟି ନଳକୂପ ଓ ୬୦ଟି ଗଭୀରକୂପ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଖନନ କରାଯାଇଥିଲା । ସେଥି ମଧ୍ୟରୁ ଅର୍ଦ୍ଧାଧିକ ନଳକୂପରୁ ଲୁଣିପାଣି ବାହାରିବାରୁ ତାହା ପାନୀୟ ଅନୁପଯୋଗୀ ହେବାରୁ ସେହି ନଳକୂପ ଗୁଡିକ ଧିରେ ଧିରେ ଅଚଳହୋଇ ପଡିଛି । ଜଳପତନ ହ୍ରାସଯୋଗୁ ଅନେକ ନଳକୂପରୁ ମାଟି ପଙ୍କ ମିଶ୍ରିତ ଗୋଳିଆପାଣି ବାହାରିବାରୁ ଏବଂ ବାରମ୍ବାର ଏନେଇ ଆନ୍ଦୋଳନ ହେବାରୁ ହାତ ଗଣତି କେତୋଟି ସ୍ଥାନରେ ପାଇପ୍ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି । ଦୟାନଦୀର ବେଣାଗାଁ, ପାଣ୍ଡିଆକେରା, ଜଙ୍କିଆ, ଗଡିଶାଗୋଦା, ଗୋପିନାଥପୁର, ଲୁଣାନଦୀର କରମଳା, ବିଜିପୁର, ମକରା ନଦୀର ଚୁପୁରିଙ୍ଗି, ସୁନାଖେଳା, ବଡାଲ, ରାଜୁଆ ନଦୀର ଢୋଲପାଟଣା, ଗଡବଡପୁଟ ଠାରେ ପାଇପ୍ ଜଳ ପ୍ରକଳ୍ପ ନିର୍ମାଣ କରାଯାଇ କେତୋଟି ହାତ ଗଣତି ଗ୍ରାମକୁ ପାନୀୟ ଜଳ ଯୋଗାଣ ଚାଲିଥିବାବେଳେ ସେହି ପାନୀୟଜଳ ବିଶୁଦ୍ଧ ହୋଇନଥିବାରୁ ତାହା ପାନୀୟ ଅନୁପଯୋଗୀ ହୋଇଛି । ଫଳରେ ଏଠାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି ।
ବିଶେଷ କରି ଦୟା ନଦୀରେ ଭୁବନେଶ୍ୱର ସହରର ନର୍ଦ୍ଦମା ଜଳ ମିଶୁଥିବାରୁ ନଦୀଜଳ ଦୂଷିତ ହେଉଛି । ପାଇପ୍ ଜଳ ପ୍ରକଳ୍ପରେ ବସିଥିବା ଫ୍ଲିଟର ଗୁଡିକ ନିମ୍ନ ମାନର ହୋଇଥିବାରୁ ସମସ୍ତ ପାଇପ୍ ଜଳ ପ୍ରକଳ୍ପର ଫ୍ଲିଟର ଗୁଡିକ ଅଚଳ ହୋଇପଡିଛି । ଯାହାଦ୍ୱାରା କି ନଦୀର ଦୂଷିତ ଜଳ ସିଧା ଜନସାଧାରଣଙ୍କ ପାଖରେ ପହଂଚୁଛି । ଦୟାନଦୀରେ ତିରିମଲଠାରେ କେତେକ ବ୍ୟକ୍ତି ଦୟାନଦୀର ମୁହଁକୁ ବନ୍ଦ କରିଦେଇଥିବାରୁ ଦୟା ନଦୀରେ ଜଳ ପ୍ରବେଶ ନକରି ସିଧା ରାଜୁଆ ନଦୀରେ ଜଳ ଭାସିଯାଉଛି । ଯାହାଦ୍ୱାରାକି ପାଣ୍ଡିଆକେରା ଜଳ ପ୍ରକଳ୍ପ ନଦୀରେ ଜଳ ନଥିବାରୁ ବନ୍ଦ ହୋଇଯାଇଥିବାବେଳେ ବେଣାଗାଁ, ଜଙ୍କିଆ, ଗଡିଶାଗୋଦା ପାଇପଜଳ ପ୍ରକଳ୍ପ ନଦୀର ଜଳ ଅଭାବଯୋଗୁ ପ୍ରଭାବିତ ହେଉଛି ।
କଣାସ ପାନୀୟ ଜଳ ପ୍ରକଳ୍ପର କନଷ୍ଠ ଯନ୍ତ୍ରୀ ରଞ୍ଜନ କୁମାର ସାମନ୍ତରାଙ୍କୁ ଏନେଇ ପଚାରିବାରୁ ସେ କୁହନ୍ତି, ଦୟାନଦୀରେ ଜଳ ଆସୁନଥିବାରୁ କେତୋଟି ପାନୀୟଜଳ ପ୍ରକଳ୍ପ ପ୍ରଭାବିତ ହେଉଛି । ପୁରୀ ଜଳସେଚନ ବିଭାଗ, ଖୋର୍ଦ୍ଧା ଜଳସେଚନ ବିଭାଗ ଓ ପୁରୀ ଜିଲ୍ଲାପାଳ ତୁରନ୍ତ ତିରିମଲଠାରେ ଦୟାନଦୀ ମୁହଁ ଖନନ କରିବା ସହିତ ଜଳକ୍ଲିଷ୍ଟ ଗ୍ରାମମାନଙ୍କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି ।