
ଜୟପୁର- ଜୟପୁର ସହର ଶିବରାତ୍ରୀ ପାଇଁ ଚଳଚଂଚଳ ହୋଇଉଠିଛି । ଜୟପୁର ରାଜୁସାହି ସ୍ଥିତ ପଂଚାନନ ମନ୍ଦିର, ବୈଦ୍ୟନାଥ ମନ୍ଦିର, ପୁରୁଣା ଗଡସ୍ଥିତ ନୀଳକଣ୍ଠେଶ୍ୱେର ମନ୍ଦିର,ବାରିଣିପୁଟ ସ୍ଥିତ ଶକ୍ତିଶ୍ୱର ମନ୍ଦିର, ହାତିଶାଳ ସ୍ଥିତ କପିଳେଶ୍ୱର ମନ୍ଦିର, ଗାଗନାପୁର ସ୍ଥିତ ବାଲୁଙ୍କେଶ୍ୱର ମନ୍ଦିର, ଏମ୍.ଜି ରୋଡ ସ୍ଥିତ ହଟେକେଶ୍ୱର ମନ୍ଦିର, ଖଜୁରି ବନ୍ଦ ସ୍ଥିତ ଲୋକେଶ୍ୱର ମନ୍ଦିର, ଜୟନଗର ସ୍ଥିତ ଭୂତନାଥଶ୍ୱ୍ୱର ମନ୍ଦିରରେ ଏବଂ ଜୟପୁର ଘାଟି ସ୍ଥିତ ଅର୍ଦ୍ଧନାରୀଶ୍ୱର ମନ୍ଦିରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ପ୍ରସିଦ୍ଧ ଶୌବପୀଠ ଗୁପ୍ତେଶ୍ୱରରେ ରାତ୍ର ୧୨ ଟାରେ ହରିହର ଭେଟ ଅନୁଷ୍ଠିତ ହୋଇଥିବା ବେଳେ ସାଢେ ୧୨ଟାରେ ମହାଦୀପ ଉଠିବା ନେଇ ସୂଚନା ମିଳିଛି । ଜୟପୁର ପଂଚାନନ ଅଷ୍ଟସମ୍ଭୁ କ୍ଷେତ୍ରରେ ହରିହରି ଭେଟ ସହ ରାଷ୍ଟ୍ର ମଙ୍ଗଳ ପାଇଁ ହୋମ କରାଯାଇଥିଲା । ବାବା ବୈଦନାଥ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା । ଭକ୍ତ ମାନେ ଶାନ୍ତି ଶୃଙ୍ଖଳାର ସହିତ ଲମ୍ବା ଧାଡିରେ ଯାଇ ଦର୍ଶନ କରିଥିଲେ । ଶାନ୍ତିଶୃଙ୍ଖଳା ରକ୍ଷା ସାଙ୍ଗକୁ ପୋଲିସ ତରଫରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଲମ୍ବାଲାଇନରେ ଭକ୍ତ ମାନେ ହାତରେ ନଡିଆ କଦଳୀ, ପଇଡ ଧରି ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଠିଆ ହୋଇଥିବା ଲକ୍ଷ୍ୟ କରାଯାଇଛି । ଭକ୍ତ ମାନେ ରାତି ସାରା ଦୀପ ଜାଳି ଜାଗର ପାଳିଥିବା ବେଳେ ପରିବେଶ ଶିବମୟ ହୋଇଉଠିଛି ।