ଝାରସୁଗୁଡା– ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଲଖନପୁର ବ୍ଲକରେ ପ୍ରଶାସନିକ ପ୍ରସ୍ତୁତି ଜୋରଦାର ହୋଇଛି। ବ୍ଲକର ୧୮ଟି ପ୍ରାଥମିକ କୃଷି ସମବାୟ ସମିତି (ପାକ୍ସ) ଅଧୀନରେ ମୋଟ ୯୪୮୬ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି। ସେଥିମଧ୍ୟରୁ ୯୪୮୦ ଜଣଙ୍କ ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆଉ ମାତ୍ର ୬ ଜଣଙ୍କ ଯାଞ୍ଚ ବାକି ରହିଛି। ଅର୍ଥାତ୍ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ୯୯.୯୪ ପ୍ରତିଶତଙ୍କ ଯାଞ୍ଚ ସମ୍ପୂର୍ଣ୍ଣ ହୋଇଛି। ଅନ୍ୟପକ୍ଷରେ ଆସନ୍ତା ଡିସେମ୍ବର ୧୬ ତାରିଖରୁ ଜିଲ୍ଲାରେ ଧାନ କ୍ରୟ ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି। ଖରିଫ ଧାନ ସଂଗ୍ରହ ନେଇ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ଵାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ ହୋଇ ଡିସେମ୍ବର ୧୬ରୁ ଧାନ କ୍ରୟ ଆରମ୍ଭ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି। ଧାନ କ୍ରୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ସ୍ୱଚ୍ଛ କରିବା ପାଇଁ ପ୍ରତ୍ୟେକ ମଣ୍ଡିରେ ଜଣେ ଲେଖାଏଁ ନୋଡାଲ ଅଫିସର ନିଯୁକ୍ତି ଦିଆଯିବ। ସେହିପରି ୩ରୁ ୪ଟି ମଣ୍ଡିର ତଦାରଖ ଦାୟିତ୍ଵ ଜଣେ ଲେଖାଏଁ ସୁପରଭାଇଜରଙ୍କୁ ପ୍ରଦାନ କରାଯିବ।
ପ୍ରାପ୍ତ ସୂଚନା ଅନୁଯାୟୀ, ଲଖନପୁର ବ୍ଲକରେ ଧାନ କ୍ରୟ ପାଇଁ ମୋଟ ୧୮ଟି ମଣ୍ଡି ନିର୍ଦ୍ଧାରଣ କରାଯାଇଛି। ଏଥିମଧ୍ୟରୁ ୧୭ଟି ପାକ୍ସ ମାଧ୍ୟମରେ ଧାନ କିଣାଯିବାକୁ ଥିବାବେଳେ ଗୋଟିଏ ଅତିରିକ୍ତ ମାର୍କେଟ ୟାର୍ଡକୁ ମଧ୍ୟ କ୍ରୟ କେନ୍ଦ୍ର ଭାବେ ସାମିଲ କରାଯାଇଛି। ଚାଷୀ ପଞ୍ଜୀକରଣ ଓ ଯାଞ୍ଚ ପ୍ରକ୍ରିୟାରେ ପ୍ରଶାସନ ପକ୍ଷରୁ ଗୁରୁତ୍ଵ ଦିଆଯାଇଥିବାରୁ ଧାନ କ୍ରୟ ପୂର୍ବରୁ ଅଧିକାଂଶ ପ୍ରସ୍ତୁତି ଶେଷ ହୋଇଛି। ପାକ୍ସୱାରୀ ପଞ୍ଜୀକରଣ ତଥ୍ୟ ଅନୁଯାୟୀ, ରେମତା ପାକ୍ସରେ ସର୍ବାଧିକ ୧୦୭୦ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ସମସ୍ତଙ୍କ ଯାଞ୍ଚ ଶେଷ ହୋଇଛି। ଚାରପାଲି ପାକ୍ସରେ ୯୪୬, ଅତାବିରାରେ ୮୭୬, ଚିଲିଆରେ ୭୧୯, ସରଣ୍ଡାମାଲରେ ୬୯୪, ସୁନାରୀରେ ୬୬୭, ମଚିଦାରେ ୬୬୬ ଏବଂ କନକତୋରାରେ ୬୬୫ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ସେହିପରି ସମରବଗା ପାକ୍ସରେ ୪୭୪, ଭଅଁରଖୋଳରେ ୪୬୪, ଅଏଁଲାପାଲିରେ ୪୫୫, ସମଡ଼ାରେ ୪୧୭, ରେମେଣ୍ଡାରେ ୩୫୦, ପଞ୍ଚଗାଁରେ ୨୮୫, ଲଖନପୁରରେ ୨୮୨, ପଲସଦାରେ ୨୫୬ ଏବଂ ଭିକମପାଲି ପାକ୍ସରେ ୨୦୧ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଚାଷୀଙ୍କ ପଞ୍ଜୀକରଣ ଓ ଯାଞ୍ଚ ପ୍ରକ୍ରିୟା ସଠିକ୍ ଭାବେ ସମ୍ପନ୍ନ ହେବା ଧାନ ସଂଗ୍ରହ ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଏହାଦ୍ୱାରା ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରିବା ସହ ଧାନ କ୍ରୟରେ ସମ୍ଭାବ୍ୟ ଅନିୟମିତତା ରୋକାଯାଇପାରିବ। ତେବେ ଆଉ ୬ ଜଣ ଚାଷୀଙ୍କ ଯାଞ୍ଚ ଶୀଘ୍ର ଶେଷ କରି ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରିବାକୁ ପ୍ରଶାସନକୁ ପଦକ୍ଷେପ ନେବାକୁ ପଡ଼ିବ। ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରେ ଚାଷୀମାନେ ଯେପରି ମଣ୍ଡିରେ ଅଯଥା ହଇରାଣ ନ ହୁଅନ୍ତି, ସେଥିପାଇଁ ପ୍ରଶାସନ, ଯୋଗାଣ ବିଭାଗ ଓ ସମବାୟ ସମିତି ମଧ୍ୟରେ ସମନ୍ୱୟ ରହିବା ଆବଶ୍ୟକ। ଧାନର ଉଚିତ ମୂଲ୍ୟ, ସ୍ୱଚ୍ଛ କ୍ରୟ ବ୍ୟବସ୍ଥା ଏବଂ ଠିକ୍ ସମୟରେ ଅର୍ଥ ପ୍ରଦାନ ନିଶ୍ଚିତ ହେଲେ ଚାଷୀମାନେ ଉପକୃତ ହୋଇପାରିବେ। ଆଗାମୀ ଦିନରେ ୧୮ଟି ମଣ୍ଡିରେ ଧାନ କ୍ରୟ ବ୍ୟବସ୍ଥା କେତେ ସୁବ୍ୟବସ୍ଥିତ ହେଉଛି, ତାହା ଉପରେ ଚାଷୀଙ୍କ ନଜର ରହିଛି।
