-
ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ସହ ଚାଷୀଙ୍କ ଜଳସେଚନ ସୁରକ୍ଷାକୁ ପ୍ରାଥମିକତା
-
ବାତ୍ୟା ଆକ୍ୱାନ୍ର ପ୍ରଭାବ ସମୀକ୍ଷା ସହ ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ଅନୁଧ୍ୟାନ
-
ଜଳସେଚନ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ପଦକ୍ଷେପ ନିମନ୍ତେ ନିର୍ଦ୍ଦେଶ
ଭୁବନେଶ୍ୱର, ସାମ୍ପ୍ରତିକ ବାତ୍ୟା ଆକ୍ୱାନ୍ର ପ୍ରଭାବ ଓ ପରବର୍ତ୍ତୀ ସ୍ଥିତିର ସମୀକ୍ଷା, ବାତ୍ୟା ଅର୍ଣ୍ଣବ ଯୋଗୁଁ କ୍ଷତିଗ୍ରସ୍ତ ଜଳସେଚନ ଭିତ୍ତିଭୂମିର ପୁନରୁଦ୍ଧାର ଏବଂ ଚାଷୀଙ୍କ ସ୍ୱାର୍ଥରକ୍ଷା ନିମନ୍ତେ ଜଳସେଚନ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଇ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ଶନିବାର ଗଞ୍ଜାମ ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ଓ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।
କ୍ଷେତ୍ର ପରିଦର୍ଶନର ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ଶାସନ ସଚିବ ଘାଟକେଶ୍ୱର ବହୁମୁଖୀ ପ୍ରକଳ୍ପ ପରିଦର୍ଶନ କରି ଜଳଭଣ୍ଡାରର ବର୍ତ୍ତମାନର ଜଳ ସଂରକ୍ଷଣ, ଜଳ ପ୍ରବେଶ ଓ ନିଷ୍କାସନ ସ୍ଥିତି ସମୀକ୍ଷା କରିଥିଲେ। ଏଥିସହ ହେଡ୍ ରେଗୁଲେଟର, ସ୍ପିଲୱେ ଏବଂ ସମ୍ପୃକ୍ତ ଯାନ୍ତ୍ରିକ ଉପକରଣଗୁଡ଼ିକର ସ୍ଥିତି ଯାଞ୍ଚ କରିବା ସହ ଜଳଭଣ୍ଡାରର ଜଳସ୍ତର ଓ ଗେଟ୍ ପରିଚାଳନା ସମ୍ପର୍କିତ ରେକର୍ଡ ଯାଞ୍ଚ କରିଥିଲେ। ଜଳଭଣ୍ଡାରର ସୁବ୍ୟବସ୍ଥିତ ପରିଚାଳନା ସହ ଯାନ୍ତ୍ରିକ ଉପକରଣଗୁଡ଼ିକର ନିୟମିତ ରକ୍ଷଣାବେକ୍ଷଣ ଓ ଯାଞ୍ଚ ନିମନ୍ତେ ବ୍ରହ୍ମପୁରସ୍ଥିତ ଯାନ୍ତ୍ରିକ ବିଭାଗକୁ ସେ ନିର୍ଦ୍ଦେଶ ଦେଇଥିଲେ।
ବାତ୍ୟା ଅର୍ଣ୍ଣବ ଯୋଗୁଁ କ୍ଷତିଗ୍ରସ୍ତ ଜଳସେଚନ ଭିତ୍ତିଭୂମିର ପୁନରୁଦ୍ଧାର ସମୀକ୍ଷା କରିବା ପାଇଁ ସେ ବୋଗୀ ନଦୀ ପରିଦର୍ଶନ କରିଥିଲେ। ଏହି ଅବସରରେ ଚିକିଟି ବିଧାୟକ ଏବଂ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧିମାନଙ୍କ ସହ ଆଲୋଚନା କରି ବୋଗୀ ନଦୀର ପୁନରୁଦ୍ଧାର ଏବଂ ବାଘଲାଟି ଜଳସେଚନ ପ୍ରକଳ୍ପର କ୍ଷତିଗ୍ରସ୍ତ କେନାଲ ନେଟୱର୍କର ମରାମତି ସମ୍ପର୍କରେ ସମୀକ୍ଷା କରିଥିଲେ। ଜଳସେଚନ ବ୍ୟବସ୍ଥାର ଶୀଘ୍ର ପୁନରୁଦ୍ଧାର ଉପରେ ଗୁରୁତ୍ୱାରୋପ କରି ସେ ଆବଶ୍ୟକ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ ଆରମ୍ଭ କରିବାକୁ ଅଧିକାରୀମାନଙ୍କୁ କହିଥିଲେ।
ଏହି ଅବସରରେ ସେ କ୍ଷତିଗ୍ରସ୍ତ ଧାନ ଫସଲ ଥିବା କୃଷି କ୍ଷେତ୍ର ମଧ୍ୟ ପରିଦର୍ଶନ କରିଥିଲେ। କେନାଲ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟ ସହିତ କମାଣ୍ଡ ଏରିଆ ଡେଭଲପମେଣ୍ଟ (କ୍ୟାଡ) ବ୍ୟବସ୍ଥାର ଉନ୍ନତିକରଣ ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଥିଲେ। ଏଥିରେ ପାଣି ପଞ୍ଚାୟତଗୁଡ଼ିକର ସକ୍ରିୟ ସହଭାଗିତା ସୁନିଶ୍ଚିତ କରି ଜଳ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଦକ୍ଷ କରିବା ସହ ଜଳର ସୁବିନିଯୋଗ ଉପରେ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଥିଲେ।
ବୋଗୀ ନଦୀର ଡାହାଣ ପାର୍ଶ୍ୱ ବନ୍ଧରେ ସୃଷ୍ଟି ହୋଇଥିବା ଘାଇ ସ୍ଥଳ ପରିଦର୍ଶନ ସମୟରେ ପଞ୍ଚାୟତିରାଜ ଅନୁଷ୍ଠାନର ପ୍ରତିନିଧି ଓ ସ୍ଥାନୀୟ ଚାଷୀମାନେ ବିଭାଗ ପକ୍ଷରୁ ଘାଇ ବନ୍ଦ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ହୋଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ। ବାତ୍ୟା ସମୟରେ ନଦୀରେ ପ୍ରବଳ ଜଳ ପ୍ରବାହ ଯୋଗୁଁ ସୃଷ୍ଟି ହୋଇଥିବା ବିପଦ ସତ୍ତ୍ୱେ ବିଭାଗର ତ୍ୱରିତ ପଦକ୍ଷେପ ସେମାନଙ୍କ ଧାନ ଫସଲକୁ ସୁରକ୍ଷା ଦେବାରେ ସହାୟକ ହୋଇଥିବା ସେମାନେ ମତବ୍ୟକ୍ତ କରିଥିଲେ।
ଏହି କ୍ଷେତ୍ର ପରିଦର୍ଶନ ମାଧ୍ୟମରେ ବାତ୍ୟା ପରବର୍ତ୍ତୀ ସ୍ଥିତିର ଆକଳନ, କ୍ଷତିଗ୍ରସ୍ତ ଭିତ୍ତିଭୂମିର ତ୍ୱରିତ ପୁନରୁଦ୍ଧାର ଏବଂ ଭବିଷ୍ୟତ ପାଇଁ ଜଳସେଚନ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ବିଭାଗର ସମନ୍ୱିତ ଆଭିମୁଖ୍ୟ ପ୍ରତିଫଳିତ ହୋଇଛି। ଚାଷୀଙ୍କ ସ୍ୱାର୍ଥରକ୍ଷା, ଜଳର ସୁଦକ୍ଷ ପରିଚାଳନା ଏବଂ ଜଳସେଚନ ଭିତ୍ତିଭୂମିର ଦୀର୍ଘସ୍ଥାୟୀ ବିକାଶ ଦିଗରେ ବିଭାଗ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛି।
