-
ପ୍ରଦର୍ଶନୀରେ ଗତ କାଲି ସୁଦ୍ଧା ପ୍ରାୟ ୩ କୋଟି ଟଙ୍କାର ବ୍ୟବସାୟ
ଭୁବନେଶ୍ୱର, ଜନସାଧାରଣଙ୍କ ଆଗ୍ରହ, ଚାହିଦା ଏବଂ ଦୀପାବଳି ପର୍ବକୁ ଦୃଷ୍ଟିରେ ରଖି ବାର୍ଷିକ ଟେରାକୋଟା ପ୍ରଦର୍ଶନୀ ‘ ମୃତ୍ତିକା-୨୦୨୬ ’ର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ପ୍ରଦର୍ଶନୀ ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ସ୍ଥିର ହୋଇଥିବା ବେଳେ ଏବେ ଏହା ନଭେମ୍ବର ୭ ତାରିଖ ୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ ।
ସୂଚନାଯୋଗ୍ୟ ଯେ, ଗତ ଅକ୍ଟୋବର ୩୧ ତାରିଖରୁ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଏହି ପ୍ରଦର୍ଶନୀ ଆରମ୍ଭ ହୋଇଥିଲା । ମାନ୍ୟବର ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦିପ ବଳ ସାମନ୍ତ ଏହାକୁ ଉଦ୍ଘାଟନ କରିଥିଲେ । ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଗତକାଲି ସୁଦ୍ଧା ଏହି ପ୍ରଦର୍ଶନୀରେ ପ୍ରାୟ ୩ କୋଟି ଟଙ୍କାର ବ୍ୟବସାୟ ହୋଇଛି । ଟେରାକୋଟା ଓ କୁମ୍ଭାର ଶିଳ୍ପୀମାନଙ୍କ ହାତତିଆରି ସୁନ୍ଦର ଓ ଆକର୍ଷଣୀୟ ସାମଗ୍ରୀର ବିପୁଳ ସମ୍ଭାର ସହ ଏହି ପ୍ରଦର୍ଶନୀ ଗ୍ରାହକମାନଙ୍କୁ ଆକୃଷ୍ଟ କରୁଛି । ପ୍ରଦର୍ଶନୀର ଅବଧି ବୃଦ୍ଧି ଫଳରେ ଜନସାଧାରଣ ଅଧିକ ଦିନ ପର୍ଯ୍ୟନ୍ତ ଏହି ସାମଗ୍ରୀ କ୍ରୟ କରିବା ସହ ରାଜ୍ୟର ମୃତ୍ତିକା ଶିଳ୍ପୀମାନଙ୍କ କଳାକୃତିକୁ ଉତ୍ସାହିତ କରିବାର ସୁଯୋଗ ପାଇପାରିବେ ।
