ବାରିପଦା- ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଦୁଧିଆଣି ରେଞ୍ଜ ତାଟ ବାର୍ହାପାଣପୋଷି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ସାମାନ୍ୟ କାଠ ଚୋରୀ ଅଭିଯୋଗକୁ କେନ୍ଦ୍ର କରି ବନ ବିଭାଗ କର୍ମଚାରୀ କବିତା ବେହେରା ନାମକ ଜନୈକା ଫରେଷ୍ଟଗାର୍ଡ ନିଜର ମାନବିକତା ଭୂଲି ୬୫ ବର୍ଷର ବୃଦ୍ଧା ଏବଂ ତାଙ୍କ ଗର୍ଭବତୀ ନାତୁଣୀଙ୍କୁ ନିସ୍ତୁକ ମାଡ଼ ମାରି ଲହୁ ଲୁହାଣ କରିବା ସହିତ ମହିଳାଙ୍କ ହାତ ଭାଙ୍ଗିଦେଇଥିବାର ଅଭିଯୋଗ ହେଉଛି । ଏପରି ଘଟଣା ଫେବୃଆରୀ 20 ତାରିଖ ବିଳମ୍ବିତ ରାତିରେ ଘଟିଥିବା ବେଳେ ଉଭୟ ଆହତଙ୍କୁ ପ୍ରଥମେ ତାଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ତେବେ କେଵଳ ମହିଳାଙ୍କୁ ଅମାନୁସିକ ଭାବରେ ପିଟି ହାତ ଭାଙ୍ଗିବା ନୁହେଁ, ଗର୍ଭବତୀ ମହିଳାଙ୍କ ପେଟରେ ମାଡ଼ କାରଣରୁ ଗର୍ଭରେ ବଢୁଥିବା ପିଲା ପ୍ରତି ବିପଦ ସୃଷ୍ଟି ହୋଇଛି । ବନ କର୍ମଚାରୀ ଜଣେ ମହିଳା ହୋଇଥିବା ବେଳେ କିପରି ଏତେ ନିଷ୍ଠୁର ଭାବେ ମାରିଲେ ତାହା ସମସ୍ତଙ୍କୁ ଚକିତ କରିଛି । ଅତୀତରେ ତାଙ୍କ ବିରୁଦ୍ଧରେ ଅନେକ ସଙ୍ଗୀନ ଅଭିଯୋଗ ଆସିଥିଲା । ସମସ୍ତ ଅଭିଯୋଗରେ ବିଭାଗୀୟ ଅଧିକାରୀ ଏହି ଦବଙ୍ଗ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କାରଣରୁ ଏପରି ଘଟଣା ବାରମ୍ବାର ଘଟୁଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି । ତେବେ ସାମାନ୍ୟ କାଠ ଚୋରି କରିଥିବା ସନ୍ଦେହରେ ଜଣେ ଗର୍ଭବତୀ ମହିଳା ଏବଂ ବୃଦ୍ଧାଙ୍କୁ ଘରେ ପଶି ଏପରି ନିର୍ଧୁମ ପିଟିବା ପଛରେ କାରଣ କ’ଣ । ପୁଣି ଗର୍ଭବତୀ ମହିଳାଙ୍କୁ ରେଞ୍ଜ ଅଫିସ ଆଣି ପାଖାପାଖି ୨୦ ଥର ଉଠବସ ମଧ୍ୟ କରାଇଥିଲେ ବୋଲି ପୀଡିତା କହିଛନ୍ତି । ଏହି ଘଟଣା ଜଣାପଡିବା ପରେ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ଏହାକୁ ନେଇ ପରିବାର ସଦସ୍ୟଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ସମ୍ପୃକ୍ତ ଫରେଷ୍ଟ ଗାର୍ଡଙ୍କୁ କାର୍ଯ୍ୟରୁ ନିଲମ୍ବନ ଏବଂ ପୀଡ଼ିତାଙ୍କୁ କ୍ଷତିପୂରଣ ଦାବିରେ ଗ୍ରାମବାସୀମାନେ ତାଟୋ ଫରେଷ୍ଟ ଗେଟ ନିକଟରେ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଯାହାଫଳରେ କରଞ୍ଜିଆ – ଯଶୀପୁର ମଧ୍ୟରେ ଯାତାୟାତ ଦୀର୍ଘ ସମୟ ଧରି ଠପ୍ ହୋଇଯାଇଛି । ତେବେ ଘଟଣା ପରେ କ’ଣ ପଦକ୍ଷେପ ନେଉଛି ପ୍ରଶାସନ ତାହା ଦେଖିବାକୁ ବାକି ରହିଲା ।
Related Stories
May 7, 2024