-
କ୍ୟାବିନେଟ୍ ମନ୍ତ୍ରୀ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା, ଓଡ଼ିଶା ସରକାର
ହିତାହିତଂ ସୁଖଂ ଦୁଃଖମାୟୁସ୍ତସ୍ୟ ହିତାହିତମ୍।
ମାନଂ ଚ ତଚ୍ଚ ଯତ୍ରୋକ୍ତମାୟୁର୍ବେଦଃ ସ ଉଚ୍ଚ୍ୟତେ॥
ଭାରତୀୟ ପ୍ରାଚୀନ ଜ୍ଞାନ ପରମ୍ପରା, ଋଷି-ମୁନିଙ୍କ ତପସ୍ୟା ଏବଂ ସନାତନ ଜୀବନଦର୍ଶନର ଏକ ଅମୂଲ୍ୟ ଐତିହ୍ୟ ହେଉଛି ଆୟୁର୍ବେଦ। ହଜାର ହଜାର ବର୍ଷ ଧରି ଏହି ଚିକିତ୍ସା ପରମ୍ପରା କେବଳ ରୋଗର ଉପଚାର ନୁହେଁ, ବରଂ ସୁସ୍ଥ ଜୀବନ, ପ୍ରକୃତି ସହ ସମନ୍ୱୟ, ମନ-ଶରୀର-ଆତ୍ମାର ସନ୍ତୁଳନ ଏବଂ ସର୍ବାଙ୍ଗୀଣ କଲ୍ୟାଣର ବାର୍ତ୍ତା ଦେଇଆସିଛି। ବେଦ, ଉପନିଷଦ ଓ ଚରକ-ସୁଶ୍ରୁତଙ୍କ ଜ୍ଞାନଧାରାରୁ ବିକଶିତ ଆୟୁର୍ବେଦ ଭାରତୀୟ ଜ୍ଞାନ ପ୍ରଣାଳୀର ଏକ ଗୌରବମୟ ପରିଚୟ। ଯୁଗେ ଯୁଗେ ଏହା ମାନବ ସମାଜକୁ ସୁସ୍ଥ, ସନ୍ତୁଳିତ ଓ ମୂଲ୍ୟବୋଧସମ୍ପନ୍ନ ଜୀବନର ପଥ ଦେଖାଇଆସିଛି। ଆଜି ସମଗ୍ର ବିଶ୍ୱ ଯେତେବେଳେ ପ୍ରାକୃତିକ ଓ ସମନ୍ୱିତ ସ୍ୱାସ୍ଥ୍ୟସେବା ପ୍ରତି ଆକର୍ଷିତ ହେଉଛି, ସେତେବେଳେ ଆୟୁର୍ବେଦ ଭାରତର ଅନନ୍ୟ ଜ୍ଞାନ ଐତିହ୍ୟ ଭାବେ ବିଶ୍ୱ ମଞ୍ଚରେ ନୂଆ ସମ୍ମାନ ଓ ସ୍ୱୀକୃତି ଲାଭ କରୁଛି। ଆବହମାନ କାଳରୁ ଆଜି ପର୍ଯ୍ୟନ୍ତ ଆୟୁର୍ବେଦ ଚିକିତ୍ସା ପରମ୍ପରା ମାନବ ସମାଜକୁ ସୁସ୍ଥ ଓ ସନ୍ତୁଳିତ ଜୀବନର ନୂଆ ବାର୍ତ୍ତା ଦେଇଆସିଛି। ଆମ ଇତିହାସରେ ବିଭିନ୍ନ ସମୟରେ ବାହ୍ୟ ଶାସନ ଓ ବିଦେଶୀ ପ୍ରଭାବ ଆସିଥିଲେ ମଧ୍ୟ ଭାରତୀୟ ଚିକିତ୍ସା ପରମ୍ପରା ନିଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିଥିଲା। ତେବେ ବ୍ରିଟିଶ ଶାସନ ସମୟରେ ପାଶ୍ଚାତ୍ୟ ବା ଆଧୁନିକ ଚିକିତ୍ସା ପଦ୍ଧତିର ପ୍ରସାର ଦ୍ରୁତଗତିରେ ହୋଇଥିଲା। ଏହି ସମୟରେ ଆୟୁର୍ବେଦ ଭଳି ପାରମ୍ପରିକ ଭାରତୀୟ ଚିକିତ୍ସା ପଦ୍ଧତିକୁ ଆବଶ୍ୟକ ପ୍ରତିଷ୍ଠାନଗତ ପ୍ରୋତ୍ସାହନ ମିଳିନଥିଲା। ଏହାର ପରିଣାମରେ ଆଧୁନିକ ଚିକିତ୍ସା ପଦ୍ଧତିର ପ୍ରଭାବ ବଢ଼ିଥିଲା ଏବଂ ଆୟୁର୍ବେଦର ପ୍ରତିଷ୍ଠାନଗତ ବିକାଶ ତୁଳନାତ୍ମକ ଭାବେ ପଛକୁ ପଡ଼ିଥିଲା। ଦେଶ ସ୍ୱାଧୀନ ହେବା ପରେ ମଧ୍ୟ ଦୀର୍ଘ ସମୟ ଧରି ଆୟୁର୍ବେଦ ସମେତ ପାରମ୍ପରିକ ଭାରତୀୟ ଚିକିତ୍ସା ପଦ୍ଧତିକୁ ଆଶାନୁରୂପ ଗୁରୁତ୍ୱ ଦିଆଯାଇ ନଥିଲା । ଦୀର୍ଘ ସମୟ ଧରି ଶାସନରେ ଥିବା ସରକାର ଏହି କ୍ଷେତ୍ରକୁ ଗୁରୁତ୍ୱ ଦେଇ ନଥିଲେ।ହେଲେ, ନିଜର ବ୍ୟକ୍ତିଗତ ଜୀବନରେ ସ୍ୱଦେଶୀ ଓ ଭାରତୀୟ ଜ୍ଞାନ ପରମ୍ପରାକୁ ଗୁରୁତ୍ୱ ଦେଇଆସୁଥିବା ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆୟୁର୍ବେଦ ଓ ଆୟୁଷ କ୍ଷେତ୍ରକୁ ମିଳିଲା ନୂଆ ଗତି । ଆୟୁଷ କ୍ଷେତ୍ର ପାଇଁ ପୃଥକ ମନ୍ତ୍ରଣାଳୟ ଗଠନ, ଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ, ଏବଂ ଆୟୁର୍ବେଦକୁ ବିଶ୍ୱସ୍ତରରେ ପହଞ୍ଚାଇବାର ପ୍ରୟାସ ଏହି କ୍ଷେତ୍ରକୁ ଏକ ନୂଆ ପରିଚୟ ଦେଇଛି। ଫଳରେ ଆଜି ଆୟୁର୍ବେଦ କେବଳ ଭାରତର ପ୍ରାଚୀନ ଐତିହ୍ୟ ଭାବେ ନୁହେଁ, ବରଂ ଆଧୁନିକ ସମୟରେ ସୁସ୍ଥ ଜୀବନଶୈଳୀ ଓ ସମନ୍ୱିତ ସ୍ୱାସ୍ଥ୍ୟସେବାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଭାବେ ନୂଆ ରୂପ ନେଉଛି। ଆୟୁର୍ବେଦ ଆଜି ପୁଣି ନୂତନ ଗତିରେ ଆଗକୁ ବଢ଼ୁଛି ଏବଂ ଭାରତୀୟ ଜ୍ଞାନ ପରମ୍ପରାର ଏକ ନୂତନ ଅଧ୍ୟାୟ ଲେଖୁଛି।
ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ଆର୍ଥିକ ବର୍ଷ ୨୦୨୪-୨୫ ଏବଂ ୨୦୨୫-୨୬ରେ ଆୟୁଷ ଭିତ୍ତିଭୂମି ବିକାଶ ପାଇଁ ୪୦୦ କୋଟିରୁ ଅଧିକ ବ୍ୟୟରେ ୫୭୭ଟିରୁ ଅଧିକ ପ୍ରକଳ୍ପ ଅନୁମୋଦନ କରାଯିବା କେବଳ ଏକ ପ୍ରଶାସନିକ ସଫଳତା ନୁହେଁ, ବରଂ ଆୟୁଷ କ୍ଷେତ୍ରକୁ ରାଜ୍ୟର ସ୍ୱାସ୍ଥ୍ୟ ନୀତିର କେନ୍ଦ୍ରବିନ୍ଦୁରେ ଆଣିବାର ଦୃଢ଼ ପ୍ରତିବଦ୍ଧତାର ପ୍ରତୀକ। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୮୫.୭୮ କୋଟି ବ୍ୟୟରେ ନୂତନ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ ଏହି ଯାତ୍ରାର ଏକ ଐତିହାସିକ ଅଧ୍ୟାୟ। ଏହାର ଭିତ୍ତିପ୍ରସ୍ତର ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ସ୍ଥାପନ ହେବା ଏହି ପ୍ରକଳ୍ପର ଗୁରୁତ୍ୱକୁ ଆହୁରି ବଢ଼ାଇଛି। ଏହାସହ ସ୍ଥାୟୀ କଲେଜ ନିର୍ମାଣ ପୂର୍ବରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଓପିଡି ସେବା ଆରମ୍ଭ କରାଯାଇ ସ୍ଥାନୀୟ ଲୋକଙ୍କୁ ତୁରନ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛି। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଆୟୁଷ ଭିତ୍ତିଭୂମି ବିକାଶର ଗତି ସମାନ ଭାବେ ଜାରି ରହିଛି। ଭୁବନେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ଆୟୁର୍ବେଦ ହସ୍ପିଟାଲର ଭୂମିପୂଜନ ହୋଇଥିବା ବେଳେ ପ୍ରାକୃତିକ ଚିକିତ୍ସାକୁ ପ୍ରାଧାନ୍ୟ ଦେଇ ଜଟଣୀଠାରେ ୧୦୦ ଶଯ୍ୟା ବିଶିଷ୍ଟ ନୂତନ ନେଚୁରୋପାଥି ହସ୍ପିଟାଲର ଭୂମିପୂଜନ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ କରାଯାଇଛି। ରାୟଗଡ଼ା, ଗଜପତି ଓ ମାଲକାନଗିରିରେ ତିନୋଟି ନୂତନ ସରକାରୀ ଆୟୁର୍ବେଦ ମେଡିକାଲ କଲେଜ ଏବଂ ନୂଆପଡ଼ା ଓ ନୟାଗଡ଼ରେ ଦୁଇଟି ସରକାରୀ ହୋମିଓପାଥିକ ମେଡିକାଲ କଲେଜ ସ୍ଥାପନ ପାଇଁ ୨୦୦ କୋଟିର ବଜେଟ ବ୍ୟବସ୍ଥା କରାଯାଇଛି। ଏହା ଫଳରେ ଆୟୁଷ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ରାଜ୍ୟର ଅଧିକ ଜିଲ୍ଲାକୁ ବିସ୍ତାର ଲାଭ କରିବ।
ବ୍ରହ୍ମପୁର ଓ ରାଉରକେଲା ସ୍ଥିତ ଉତ୍କଳମଣି ହୋମିଓପାଥିକ ମେଡିକାଲ କଲେଜର ବିସ୍ତାର, ଅଙ୍କୁଶପୁରସ୍ଥିତ କବୀରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମେଡିକାଲ କଲେଜରେ ଆଇପିଡି ଭବନ, ଆଧୁନିକ ପରୀକ୍ଷାଗାର, ଶ୍ରେଣୀଗୃହ, ଅଡିଟୋରିୟମ ଏବଂ ନିଦାନ ଭବନ ନିର୍ମାଣ ଆୟୁଷ ଶିକ୍ଷା ଓ ଚିକିତ୍ସା ସେବାର ମାନକୁ ଆହୁରି ଉନ୍ନତ କରିବ। ବଲାଙ୍ଗୀର, ପୁରୀ ଓ ଅନ୍ୟାନ୍ୟ ଜିଲ୍ଲାରେ ଚାଲିଥିବା ଭବନ ନିର୍ମାଣ ଓ ମରାମତି କାର୍ଯ୍ୟ ଗ୍ରାମାଞ୍ଚଳରେ ମଧ୍ୟ ଉନ୍ନତ ଆୟୁଷ ସେବା ପହଞ୍ଚାଇବାରେ ସହାୟକ ହେବ। କେବଳ ଭବନ ନିର୍ମାଣ ନୁହେଁ, ଚିକିତ୍ସା ସେବାର ଗୁଣବତ୍ତା ବୃଦ୍ଧିକୁ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଇଛି। ନିର୍ମଳ ଯୋଜନା ଅଧୀନରେ ସମସ୍ତ ସରକାରୀ ଆୟୁଷ ମେଡିକାଲ କଲେଜ, ହସ୍ପିଟାଲ ଓ ୧୧୯୧ଟି ଆୟୁଷ ଔଷଧାଳୟରେ ହାଉସକିପିଂ, ପରିଷ୍କାର-ପରିଚ୍ଛନ୍ନତା, ସୁରକ୍ଷା ଓ ଲିନେନ୍ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ଏହା ସ୍ୱାସ୍ଥ୍ୟ ସେବାର ମାନ ବୃଦ୍ଧି ସହିତ ରୋଗୀଙ୍କ ଆସ୍ଥାକୁ ମଧ୍ୟ ସୁଦୃଢ଼ କରିଛି। ନିଦାନ ଯୋଜନା ମାଧ୍ୟମରେ ସମସ୍ତ ସରକାରୀ ଆୟୁର୍ବେଦ ଓ ହୋମିଓପାଥିକ ହସ୍ପିଟାଲରେ ୧୬ ପ୍ରକାରର ମାଗଣା ପାଥୋଲୋଜି ପରୀକ୍ଷା ଆରମ୍ଭ ହେବା ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହା ଫଳରେ ରୋଗୀମାନେ ନିଜ ଅଞ୍ଚଳରେ ନିଶୁଳ୍କ ରୋଗ ନିର୍ଣ୍ଣୟ ସୁବିଧା ପାଇପାରୁଛନ୍ତି। ରାଜ୍ୟରେ ଆୟୁର୍ବେଦ ଓ ହୋମିଓପାଥି ପରି ଔଷଧର ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ୨୧.୪୭ କୋଟି ବ୍ୟୟ କରାଯାଉଛି, ଯାହାକି ଅତ୍ୟାବଶ୍ୟକ ଆୟୁଷ ଔଷଧ ଯୋଗାଣକୁ ନିରବଚ୍ଛିନ୍ନ କରିବାରେ ସହାୟକ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ପଞ୍ଚକର୍ମ ସୁବିଧା ଉପଲବ୍ଧ କରାଇବା ପାଇଁ ଆମ ସରକାର ଘୋଷଣା କରିଥିବା ବେଳେ କିଛି ଜିଲ୍ଲାରେ ଏହାର କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। ଡିଜିଟାଲ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ଓଡ଼ିଶାର ଆୟୁଷ ବ୍ୟବସ୍ଥା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଇ-ସଞ୍ଜୀବନୀ ଟେଲିମେଡିସିନ୍ ସେବା ମାଧ୍ୟମରେ ୫୦ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ବିଶେଷଜ୍ଞ ପରାମର୍ଶ ପହଞ୍ଚାଯାଇଛି। ଏହା ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି। ସେହିପରି ବୟୋମିତ୍ର କାର୍ଯ୍ୟକ୍ରମ, ଅସ୍ଥିସନ୍ଧି ବାତ ପରିଚାଳନା ଓ ବିଭିନ୍ନ ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ବୟସ୍କ ଏବଂ ଦୀର୍ଘକାଳୀନ ରୋଗୀମାନଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଦିଆଯାଉଛି।
ଆୟୁଷ କ୍ଷେତ୍ରର ସ୍ଥାୟୀ ବିକାଶ ପାଇଁ ଶିକ୍ଷା ଓ ମାନବ ସମ୍ବଳ ଉପରେ ମଧ୍ୟ ସମାନ ଗୁରୁତ୍ୱ ଦିଆଯାଇଛି। ଆୟୁର୍ବେଦ ଓ ହୋମିଓପାଥିକ ମେଡ଼ିକାଲ କଲେଜରେ ସ୍ନାତକ ଏବଂ ସ୍ନାତକୋତ୍ତର ପଢୁଥିବା ଛାତ୍ରଛାତ୍ରୀ ମାନଙ୍କ ଷ୍ଟାଇପେଣ୍ଡରେ ଐତିହାସିକ ବୃଦ୍ଧି ଯୁବ ଚିକିତ୍ସକମାନଙ୍କୁ ଉତ୍ସାହିତ କରିଛି। ସେହିପରି ଚୁକ୍ତିଭିତ୍ତିକ ଅଧ୍ୟାପିକ, ରିଡର ଓ ପ୍ରଫେସର ମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରିବା ଏକ ସକାରାତ୍ମକ ପଦକ୍ଷେପ। ଆୟୁର୍ବେଦ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ସହିତ ସ୍ୱାସ୍ଥ୍ୟ ବିଭାଗର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଅନ୍ତର୍ଗତ କାର୍ଯ୍ୟରତ ଚାରି ହଜାରରୁ ଊର୍ଦ୍ଧ୍ୱ ଆୟୁଷ ଡାକ୍ତରମାନଙ୍କର ମାସିକ ଦରମାକୁ ବୃଦ୍ଧି କରାଯାଇଛି। ଆୟୁଷ ମେଡିକାଲ ଅଫିସର ଓ ସହାୟକମାନଙ୍କ ପାଇଁ ଦକ୍ଷତା ବିକାଶ ପ୍ରଶିକ୍ଷଣ ମଧ୍ୟ ସେବାର ଗୁଣବତ୍ତା ବୃଦ୍ଧିରେ ସହାୟକ ହୋଇଛି। ଜନସଚେତନତା କ୍ଷେତ୍ରରେ ମଧ୍ୟ ଆୟୁଷ ନିର୍ଦ୍ଦେଶାଳୟର ଭୂମିକା ପ୍ରଶଂସନୀୟ। ଯୋଗକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଯୋଗର ମାସିକ ସେସନ୍ ସଂଖ୍ୟା ୮ରୁ ବୃଦ୍ଧି କରାଯାଇ ୨୦ କରାଯାଇଛି। ଆନ୍ତର୍ଜାତୀୟ ଯୋଗ ଦିବସ, ଆୟୁର୍ବେଦ ଦିବସ, ବିଶ୍ୱ ହୋମିଓପାଥି ଦିବସ, ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ସହିତ ସ୍ୱାସ୍ଥ୍ୟ ଶିବିର, ଯୋଗ ପ୍ରଦର୍ଶନୀ, ଅଡିଓ-ଭିଜୁଆଲ୍ ପ୍ରଚାରଚିତ୍ର ଓ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଆୟୁଷକୁ ଘରେ ଘରେ ପହଞ୍ଚାଇବାର ଉଦ୍ୟମ କରାଯାଇଛି।
ଆଜି ସ୍ୱାସ୍ଥ୍ୟ ସେବା କେବଳ ଚିକିତ୍ସାରେ ସୀମିତ ନୁହେଁ; ବରଂ ପ୍ରତିରୋଧ, ସଚେତନତା, ପୌଷ୍ଟିକତା ଓ ସୁସ୍ଥ ଜୀବନଶୈଳୀ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଆୟୁଷ ବ୍ୟବସ୍ଥା ଏହି ସମନ୍ୱିତ ଦର୍ଶନକୁ ବାସ୍ତବ ରୂପ ଦେଉଛି। ରାଜ୍ୟରେ ୪୨୨ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ସୁଦୃଢ଼ କରାଯିବା ଏବଂ ସମସ୍ତ ସ୍ତରରେ ଆୟୁଷ ସେବାର ବିସ୍ତାର ଏହାର ପ୍ରମାଣ। ଓଡ଼ିଶାର ଆୟୁଷ କ୍ଷେତ୍ରର ଏହି ଅଗ୍ରଗତି କେବଳ ଏକ ବିଭାଗୀୟ ସଫଳତା ନୁହେଁ; ଏହା ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନର ଏକ ଦୃଢ଼ ଭିତ୍ତି। ପାରମ୍ପରିକ ଜ୍ଞାନ ଓ ଆଧୁନିକ ପରିଚାଳନାର ସଫଳ ସମନ୍ୱୟ ମାଧ୍ୟମରେ ରାଜ୍ୟ ଆଜି ଏକ ନୂତନ ଆୟୁଷ ବିପ୍ଳବର ସାକ୍ଷୀ ପାଲଟିଛି। ଏହି ବିକାଶର ଧାରା ନିରନ୍ତର ରହିଲେ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଆଗାମୀ ଦିନରେ ଓଡ଼ିଶା ଦେଶର ଆୟୁଷ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବେ ନୂଆ ପରିଚୟ ସୃଷ୍ଟି କରିପାରିବ। ଏହି ପ୍ରୟାସ ‘ବିକଶିତ ଓଡ଼ିଶା ୨୦୩୬’ ଏବଂ ‘ବିକଶିତ ଭାରତ ୨୦୪୭’ର ସଂକଳ୍ପକୁ ଆହୁରି ସୁଦୃଢ଼ କରିବ।
