ଭୁବନେଶ୍ୱର- ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିକଟରେ ତାଙ୍କର ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତ ଶେଷ କରିଛନ୍ତି । ଏହି ଅବସରରେ ଶ୍ରୀ ପାତ୍ର କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କୁ ସାକ୍ଷାତ କରି ପୂର୍ବ ଭାରତର ବିଜ୍ଞାନ-ଭିଭିକ ବିକାଶ ପାଇଁ ଏକ ସମନ୍ବିତ ରୋଡ୍ମ୍ୟାପ୍ ଚୂଡ଼ାନ୍ତ ଉପରେ ଆଲୋଚନା କରିଛନ୍ତି।
ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଆଲୋଚନାରୁ ଜଣାପଡିଛି ଯେ ଜାତୀୟ Bio-E3 ଢାଞ୍ଚା (ଅର୍ଥନୀତି, ପରିବେଶ ଏବଂ ରୋଜଗାର ପାଇଁ ଜୈବପ୍ରଯୁକ୍ତିବିଦ୍ୟା) କୁ ଆଗକୁ ନେବା ପାଇଁ ଭୁବନେଶ୍ୱରସ୍ଥିତ ଜୈବ ବିଜ୍ଞାନ ସଂସ୍ଥାର ସମ୍ପ୍ରସାରଣ ପାଇଁ ଅତିରିକ୍ତ ୫୦ ଏକର ଜମି ପାଇଁ ପଦକ୍ଷେପ ନିଆଯିବ । ଏଥିସହ କେନ୍ଦ୍ରୀୟ ବଜେଟରେ ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶାରେ ଅନୁସନ୍ଧାନ, ପ୍ରକ୍ରିୟାକରଣ, ଗୁରୁତ୍ବପୂର୍ଣ୍ଣ ଖଣିଜ ଏବଂ ସାମରିକ ସାମଗ୍ରୀ ନିର୍ମାଣ ଉପରେ ଧ୍ୟାନ ଦେଇ ଏକ ସ୍ବତନ୍ତ୍ର ବିରଳ ମୃତ୍ତିକା କରିଡୋର୍ ପ୍ରତିଷ୍ଠା କରାଯିବ। ଆଗାମୀ ପର୍ଯ୍ୟାୟରେ ଓଡ଼ିଶା ମେରାଇନ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଆଣ୍ଡ୍ ଇନୋଭେସନ୍ କୋରିଡୋର୍ (OMBRIC)କୁ ଭୂ -ବିଜ୍ଞାନ, ସିଏସଆଇଆର ଏବଂ ଜୈବପ୍ରଯୁକ୍ତିବିଦ୍ୟା ବିଭାଗ ସହିତ ନିବିଡ଼ ଭାବରେ ଯୋଡ଼ିବାକୁ ଚେଷ୍ଟା କରାଯିବ ।
ଏହି ଅବସରରେ ଓଡ଼ିଶାରେ ସରକାରୀ ଓ ବେସରକାରୀ ଭାଗିଦାରୀତାରେ ଏକ ସ୍ପେସ୍ ରିସର୍ଚ୍ଚ ଆଣ୍ଡ୍ ମାନୁଫ୍ୟାକ୍ଟରିଂ ସେଣ୍ଟର୍ ବିକଶିତ କରିବା ପାଇଁ ଇସ୍ରୋ ସହିତ ସହବନ୍ଧିତା ସୁଦୃଢ଼ କରିବାକୁ ଘୋଷଣା କରାଯାଇଛି ।
ସ୍ଥାୟୀ ସାମୁଦ୍ରିକ ଅର୍ଥନୀତି ପାଇଁ ଡିପ୍ ଓସନ୍ ମିଶନ୍ ସହିତ ଓଡ଼ିଶା ଡିପ୍ ସି ଫିସିଂ ମିଶନ୍ (୨୦୨୬-୨୦୩୬)ର ସମନ୍ବୟ କରାଯାଇ ଉପକୂଳ ଓ ଗଭୀର ସମୁଦ୍ର ଅର୍ଥନୀତିର ସୁଦୃଢୀକରଣ କରାଯିବ । ଏହି ଅବସରରେ ଯୁବପିଢ଼ିଙ୍କ ମଧ୍ୟରେ ନବସୃଜନ ଓ ବୈଜ୍ଞାନିକ ସଚେତନତା ବୃଦ୍ଧି ପାଇଁ ଓଡ଼ିଶାରେ ଏକ ଅତ୍ୟାଧୁନିକ ‘ ସାଇନ୍ସ ସିଟି’ ପ୍ରତିଷ୍ଠା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।
ସାମୁଦ୍ରିକ ପରିବେଶ ସୁରକ୍ଷା ପାଇଁ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡ଼ିକ ଜାତୀୟ ‘ସ୍ବଚ୍ଛ ସାଗର, ସୁରକ୍ଷିତ ସାଗର’ ଅଭିଯାନରେ ସକ୍ରିୟ ଅଂଶଗ୍ରହଣ କରିବେ । ଏହି କେନ୍ଦ୍ର-ରାଜ୍ୟ ସହଯୋଗିତା ସମୁଦ୍ର ସମ୍ପଦ, ଗୁରୁତ୍ବପୂର୍ଣ୍ଣ ଖଣିଜ, ଜୈବପ୍ରଯୁକ୍ତିବିଦ୍ୟା ଏବଂ ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଓଡ଼ିଶାକୁ ଭାରତର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ମୁଖ୍ୟ ବାହକ ଭାବେ ଗଢ଼ିତୋଳିବ ।
ସେହିଭଳି ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ସାକ୍ଷାତ କରି ଓଡ଼ିଶାରେ ଧାନ ଓ ଚାଉଳ ସଂଗ୍ରହ, ଏଫ୍.ସି.ଆଇ. ଦ୍ବାରା ଚାଉଳ ଉଠାଣ, ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ କେନ୍ଦ୍ରୀୟ ସବସିଡି ପ୍ରାପ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ନୂଆଦିଲ୍ଲୀଠାରେ ହୋଇଥିବା ଏହି ସାକ୍ଷାତ-ଆଲୋଚନାରେ ଏଫ୍.ସି.ଆଇ. ଦ୍ବାରା ଚାଉଳ ଉଠାଣ ତ୍ବରାନ୍ବିତ୍ବ କରିବା, ଉସୁନା ଚାଉଳ ଲକ୍ଷ୍ୟଧାର୍ଯ୍ୟ ସଂଶୋଧନ କରିବା, ଧାନର ରକ୍ଷଣାବେକ୍ଷଣ ଖର୍ଚ୍ଚ ସଂଶୋଧନ କରିବା ଆଦି ବିଷୟରେ ଆଲୋଚନା ହୋଇଥିଲା ।
ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ର ସରକାରଙ୍କ ନିକଟରେ ବକେୟା ସବସିଡି ପ୍ରଦାନ ନିମନ୍ତେ ଦାବି ଉପସ୍ଥାପନା କରିଥିଲେ । ଏହି ବାବଦରେ କେନ୍ଦ୍ର ସରକାର ଗତକାଲି ୨୧୯୩ କୋଟି ପ୍ରଦାନ କରିଛନ୍ତି ।
