ଭୁବନେଶ୍ୱର, ଓଡ଼ିଶାର ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଇଁ ଏକ ଗୌରବମୟ ମୁହୂର୍ତ୍ତ । ‘ଷ୍ଟାର୍ଟଅପ୍ ଓଡ଼ିଶା’ ସହଯୋଗରେ ଆଗକୁ ବଢ଼ୁଥିବା ତିନିଟି ଷ୍ଟାର୍ଟଅପ୍ ଶୁକ୍ରବାର ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀରେ ଭାଗନେଇ ନିଜର ଅଭିନବ ଉତ୍ପାଦ ପ୍ରଦର୍ଶନ କରିଛନ୍ତି ।
ଏହି ସୁଯୋଗ ପାଇଥିବା ଉଦ୍ୟୋଗଗୁଡ଼ିକ ମଧ୍ୟରେ ରହିଛି ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ, ନ୍ୟୁରୁପ୍ ଟେକ୍ ସଲ୍ୟୁସନ୍ସ ଏବଂ ଅର୍ବାନ୍-ହାଇଫି ବାୟୋସାଇନ୍ସ । ଏହି ନବସୃଜନ ଅଧାରିତ ଷ୍ଟାର୍ଟଅପ୍ ଉଦ୍ୟୋଗର ପ୍ରତିଷ୍ଠାତାମାନେ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସମ୍ମୁଖରେ ନିଜ ନିଜର ଉତ୍ପାଦ ଉପସ୍ଥାପନ କରିବାର ସୁଯୋଗ ପାଇଥିଲେ । ‘ଅଟଳ ଇନୋଭେସନ ମିଶନ’ ଅଧୀନରେ ଦେଶର ବିଭିନ୍ନ ସ୍ଥାନରୁ ଚୟନ ହୋଇ ଆସିଥିବା ତୃଣମୂଳ ସ୍ତରର ଏହି ଯୁବ ଉଦ୍ୟୋଗୀମାନଙ୍କ ମଧ୍ୟରେ ଓଡ଼ିଶାର ତିନି ଉଦ୍ୟୋଗୀ ସାମିଲ ହୋଇଥିଲେ ।
‘‘ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଭାରତ ଏକ ବିକଶିତ ଓ ଦୃଢ଼ ଅର୍ଥନୀତି ଭାବେ ଗଢ଼ି ଉଠୁଛି । ସେହିପରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ନବସୃଜନର କେନ୍ଦ୍ର ପାଲଟିଛି । ତେଣୁ, ଜାତୀୟ ସ୍ତରରେ ଓଡ଼ିଶାର ଷ୍ଟାର୍ଟଅପ୍ଗୁଡ଼ିକୁ ମିଳିଥିବା ଏହି ସ୍ୱୀକୃତି କେବଳ ସେମାନଙ୍କର ବ୍ୟକ୍ତିଗତ ସଫଳତା ନୁହେଁ, ବରଂ ଭାରତୀୟ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟକୁ ଦର୍ଶାଉଛି । ରାଜ୍ୟର ଯୁବ ଉଦ୍ୟୋଗୀମାନଙ୍କୁ ଅଭିନନ୍ଦନ ଜଣାଇବା ଅବସରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହା କହିଛନ୍ତି ।
‘‘ରାଜ୍ୟର ଯୁବ ଉଦ୍ୟୋଗୀ ତଥା ନବସୃଜନକାରୀଙ୍କ ଭିତରେ ଥିବା ଅନନ୍ୟ ପ୍ରତିଭାକୁ ବିକଶିତ କରିବାରେ ‘ଓଡ଼ିଶା ଷ୍ଟାର୍ଟଅପ୍ ନୀତି’ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି । ଫଳରେ ଓଡ଼ିଶାର ଷ୍ଟାର୍ଟଅପ୍ମାନେ ଲଗାତାର ଜାତୀୟ ସ୍ତରରେ ସଫଳତା ହାସଲ କରିବା ସହ ରାଜ୍ୟ ପାଇଁ ଗୌରବ ଆଣୁଛନ୍ତି ବୋଲି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର କମିଶନର ତଥା ଶାସନ ସଚିବ ରଶ୍ମିତା ପଣ୍ଡା କହିଛନ୍ତି ।
‘‘ଯୁବ ଓ ମହିଳା ଉଦ୍ୟୋଗୀମାନଙ୍କ ସୃଜନଶୀଳ ଚିନ୍ତାଧାରାକୁ ଆଗକୁ ନେବା ପାଇଁ ଓଡ଼ିଶା ଏକ ସଶକ୍ତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଗଢ଼ି ତୋଳୁଛି । ଅଭିନବ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଯୁବ ଉଦ୍ୟୋଗୀଙ୍କ ଭିତରେ ନୂତନ ଉତ୍ସାହ ଓ ଅତ୍ମବିଶ୍ୱାସ ସୃଷ୍ଟି କରିବାକୁ ଯାଇ ‘ଷ୍ଟାର୍ଟଅପ୍ ଓଡ଼ିଶା’ ମାଧ୍ୟମରେ ଆର୍ଥିକ ସହାୟତା ଓ ବିଭିନ୍ନ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ବୋଲି ଷ୍ଟାର୍ଟଅପ୍ ଓଡ଼ିଶା ସିଇଓ ସ୍ମୃତିରଞ୍ଜନ ପ୍ରଧାନ କହିଛନ୍ତି ।
ଶୀତଲ ଜିମାନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗାର୍ଗୀ ଅଟୋମେଟେଡ୍ ଆଣ୍ଡ୍ ରୋବୋଟିକ୍ ଗ୍ୟାଜେଟ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଭିନ୍ନକ୍ଷମଙ୍କ ପାଇଁ ଅତ୍ୟାଧୁନିକ ଅଟୋମେଟେଡ୍ ଏବଂ ରୋବୋଟିକ୍ ଉପକରଣ ବିକାଶ କରାଯାଉଛି । ଏହି ଷ୍ଟାର୍ଟଅପ୍ ସ୍ୱୟଂଚାଳିତ ଟ୍ରାନ୍ସଫର୍ମେବଲ୍ ବେଡ୍-ଚେୟାର ଓ ଏକ୍ସୋସ୍କେଲେଟନ୍ ଭଳି ଆଧୁନିକ ଉତ୍ପାଦ ପ୍ରସ୍ତୁତ କରୁଛି ।
ଅନୁପ ପାଇକରାୟଙ୍କ ଦ୍ୱାରା ସ୍ଥାପିତ ଓଡ଼ିଶାର ଷ୍ଟାର୍ଟଅପ୍ ନ୍ୟୁରୁପ୍ ଟେକ୍ ସଲ୍ୟୁସନ୍ସ ପକ୍ଷରୁ ପ୍ରସ୍ତୁତ ଉତ୍ପାଦ ‘ଚୁଲିଭ୍’ ପାରମ୍ପରିକ ରୋଷେଇ ବ୍ୟବସ୍ଥାକୁ ଏକ ଆଧୁନିକ ରୂପ ଦେଇଛି । ଏହା ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ସହ ସ୍ୱାସ୍ଥ୍ୟକର ପରିବେଶ ଓ ଇନ୍ଧନ ସଞ୍ଚୟକାରୀ ରୋଷେଇ ପ୍ରଣାଳୀକୁ ପ୍ରୋତ୍ସାହିତ କରୁଛି ।
ସେହିପରି ଅଧିରାଜ ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଅର୍ବାନ୍-ହାଇଫି ବାୟୋସାଇନ୍ସ ପକ୍ଷରୁ କୃଷି ବର୍ଜ୍ୟବସ୍ତୁକୁ ବ୍ୟବହାର କରି ପରିବେଶ ଅନୁକୂଳ ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ଏହି ଷ୍ଟାର୍ଟଅପ ଛତୁରୁ ଆଧୁନିକ-ଚମଡ଼ା ବିକଶିତ କରି ବଜାର ପାଇଁ ପ୍ରାଣୀ ଚମଡ଼ାର ବିକଳ୍ପ ସୃଷ୍ଟି କରିଛି ।
ରାଜ୍ୟରେ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଆହୁରି ସୁଦୃଢ଼ କରିବା, ଉଦ୍ୟୋଗୀମାନଙ୍କୁ ସହାୟତା ଓ ପ୍ରୋତ୍ସାହନ ପ୍ରଦାନ କରିବା ସହ ସେମାନଙ୍କ ଉଦ୍ଭାବନକୁ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ‘ଷ୍ଟାର୍ଟଅପ୍ ଓଡ଼ିଶା’ ନିରନ୍ତର ପ୍ରୟାସ କରୁଛି । ତେଣୁ, ଜାତୀୟ ସ୍ତରରେ ପ୍ରଦର୍ଶିତ ଏହି ଷ୍ଟାର୍ଟଅପଗୁଡ଼ିକର ସଫଳତା ରାଜ୍ୟର ଯୁବ ଉଦ୍ୟୋଗୀ ତଥା ନବସୃଜନକାରୀଙ୍କ ଭିତରେ ଆଗାମୀ ଦିନରେ ନୂଆ ଉତ୍ସାହ ସୃଷ୍ଟି କରିବ ।
