ଭୁବନେଶ୍ୱର – ଝାରସୁଗୁଡ଼ାରେ ସ୍କୁଲ ପିଲାଙ୍କୁ ବିଜେଡି ରାଲିରେ ସାମିଲ କରାଯିବା ଘଟଣାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଓଏସପିସିଆର)ଙ୍କ ତରଫରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନୋଟିସ୍ ଜାରି କରାଯାଇଛି। ନବୀନଙ୍କ ସହ ପୂର୍ବତନ ବିଧାୟିକା ଅଳକା ମହାନ୍ତି, ଦୀପାଳି ଦାସ ଏବଂ ବିଜେଡି ଛାତ୍ର ସଂଗଠନ ସଭାନେତ୍ରୀ ଇପ୍ସିତା ସାହୁଙ୍କୁ ମଧ୍ୟ ନୋଟିସ ଜାରି ହୋଇଛି। ସେହିପରି ୭ ଦିନ ଭିତରେ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ଝାରସୁଗୁଡା ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଓଏସପିସିଆର କହିଛନ୍ତି ୟୁନିଫର୍ମ ପିନ୍ଧି ସ୍କୁଲ୍ ପିଲା ରାଲିକୁ ଆସିବା ଅପରାଧ। ଏଥିପାଇଁ ସମ୍ପୃକ୍ତ ସ୍କୁଲ୍ ର ପ୍ରାଧାନ ଶିକ୍ଷକ ମଧ୍ୟ ଉତରଦାୟୀ। ଏସବୁ ରାଲିରେ ସ୍କୁଲ ପିଲା ସାମିଲ ହେଲେ ଜୀବନ ପ୍ରତି ବିପଦ ରହିଛି।
ସୂଚନାଯୋଗ୍ୟ ଯେ ସ୍କୁଲ ପାଠ୍ୟକ୍ରମରେ ତ୍ରୁଟି ପ୍ରସଙ୍ଗରେ ଝାରସୁଗୁଡାରେ ବିଜେଡି ପକ୍ଷରୁ ଅନୁଷ୍ଠିତ ବିକ୍ଷୋଭ ଶୋଭାଯାତ୍ରାରେ ସ୍କୁଲ ପିଲା ସାମିଲ ହୋଇଥିବା ଚିତ୍ର ସାମ୍ନାକୁ ଆସିଥିଲା।
