ବନେଶ୍ୱର– ଉତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ଉତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳବର୍ତୀ ଅଂଚଳରେ ସକ୍ରିୟ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହା ରବିବାର ସକାଳ ୮ଟା ୩୦ ସମୟରେ ସେହି ଅଂଚଳରେ ୨୧.୧ ଡ଼ିଗ୍ରୀ ଉତର ଆକ୍ଷାଂଶ ଏବଂ ୮୭.୨ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ହୋଇ ରହିଛି । ଏହା ବର୍ତମାନ ଓଡ଼ିଶାର ବାଲେଶ୍ୱର ଠାରୁ ପ୍ରାୟ ୫୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବ, ଚାନ୍ଦବାଲି ଠାରୁ ୬୦ କି.ମି. ଉତରପୂର୍ବ ଏବଂ ପଶ୍ଚିମବଙ୍ଗର ଦୀଘା ଠାରୁ ୬୦ କି.ମି. ଦକ୍ଷିଣ-ଦକ୍ଷିଣପଶ୍ଚିମ ଦୂରତାରେ ଅବସ୍ଥିତ ।
ଏହା ଆଗାମୀ ୨୪ ଘଂଟା ମଧ୍ୟରେ ପଶ୍ଚିମ- ଉତରପଶ୍ଚିମ ଦିଗକୁ ଗତି କରି ବାଲେଶ୍ୱର ନିକଟବର୍ତୀ ଚାନ୍ଦବାଲି ଏବଂ ଦୀଘା ମଧ୍ୟରେ ଉତର ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହା ପରବର୍ତୀ ୨୪ ଘଂଟା ମଧ୍ୟରେ ଆହୁରି ପଶ୍ଚିମ- ଉତରପଶ୍ଚିମ ଦିଗକୁ ଗତି କରି ଉତର ଓଡ଼ିଶା ଏବଂ ଉତର ଛତିଶଗଡ଼ ଅତିକ୍ରମ କରିବା ନେଇ ସମ୍ଭାବନା ଅଧିକ ରହିଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
