କନ୍ଧମାଳ– ଚଳିତ ବର୍ଷର ପ୍ରଥମ ବର୍ଷା ଉଗ୍ର ରୂପ ଧାରଣ କରିଛି। ଏଥିରେ ସମଗ୍ର ରାଜ୍ୟର ଅଧିକାଂଶ ଜିଲ୍ଲlରେ ବର୍ଷା ହୋଇଥିବା ବେଳେ କନ୍ଧମାଳର ଜିଲ୍ଲାରେ ମଧ୍ୟ ଭୀଷଣ ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି। ଆଜି ଜିଲ୍ଲା ପାଣିପାଗ ବିଭାଗର ସୂଚନା ମୁତାବକ ଜିଲ୍ଲାର ସମସ୍ତ ୧୨ଟି ବ୍ଲକରେ ପ୍ରଚୁର ବର୍ଷା ହୋଇଛି। ଜିଲ୍ଲାର ଖଜୁରୀପଡ଼ା ବ୍ଲକରେ ସର୍ବାଧିକ ୨୭୬ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ଜିଲ୍ଲା ସଦରମହକୁମା ଫୁଲବାଣୀରେ ୨୨୪.୪ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ଫିରିଙ୍ଗିଆ ୨୨୩.୬, ଘୁ.ଉଦୟଗିରି ୨୨୦, ଟିକାବଲି ୨୧୭, ବାଲିଗୁଡା ୨୧୦, ଚକାପାଦ ୨୦୪, ରାଇକିଆ ୧୯୦.୬, କ.ନୂଆଗାଁ ୧୬୦, ତୁମୁଡିବନ୍ଧ ୧୦୦.୨, କୋଟଗଡ଼ ୧୦୧ ଏବଂ ଦାରିଙ୍ଗବାଡି ସର୍ବନିମ୍ନ ୫୯ ମି.ମି. ବର୍ଷା ରେକର୍ଡ କରାଯାଇଛି। ଜିଲ୍ଲାରେ ସର୍ବମୋଟ ୨୧୮୬.୪ ମି.ମି. ବର୍ଷା ରେକର୍ଡ ହୋଇଥିବା ବେଳେ ଜିଲ୍ଲାରେ ହାରାହାରି ୧୮୨.୨ ମି.ମି. ବର୍ଷା ହୋଇଥିବା ନେଇ ଜିଲ୍ଲା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ବର୍ଷା ପ୍ରଭାବରେ ସମଗ୍ର ଜିଲ୍ଲାରେ ଜନଜୀବନ ପ୍ରଭାବିତ ହୋଇଛି। କେତେକ ସ୍ଥାନରେ କିଛି ଘର ଭାଙ୍ଗି ଯାଇଛି। ଆଉ କେତେକ ସ୍ଥାନରେ ଭୂସ୍ଖଳନ ମଧ୍ୟ ହୋଇଛି ।ତେବେ ଏଥିରେ କୌଣସି ଧନ ଜୀବନ କ୍ଷତି ହୋଇନାହିଁ। ବର୍ଷାର ପ୍ରଭାବରେ ଜିଲ୍ଲାର ସମସ୍ତ ନଦୀର ଜଳ ସ୍ତର ବୃଦ୍ଧି ପାଇଛି। ତେବେ ଜିଲ୍ଲାରେ ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ବୋଲି କନ୍ଧମାଳ ଜିଲ୍ଲାପାଳ ଶ୍ରୀ ବେଦଭୂଷଣ କହିଛନ୍ତି।
