-
ଆସନ୍ତା ଜୁଲାଇ ୫ ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା।
ଭୁବନେଶ୍ୱର,ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍ ଏସ୍ ଗୋପାଲନ ଙ୍କ ଅଧ୍ୟକ୍ଷତାରେ ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬ ର ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କାର୍ଯ୍ୟର ସଫଳ ସମାପ୍ତି, ଡିଜିଟାଇଜେସନର ପ୍ରଗତି ଏବଂ ଚିଠା ଭୋଟର ତାଲିକା (Draft Electoral Roll) ପ୍ରକାଶନ ପାଇଁ ପ୍ରସ୍ତୁତିର ସମୀକ୍ଷା କରାଯାଇଥିଲା।
କୌଣସି ବି ଯୋଗ୍ୟ ଭୋଟର ଯେପରି ବାଦ୍ ନପଡ଼ନ୍ତି ଏବଂ ଭୋଟର ତାଲିକା ଯେପରି ସଠିକ୍, ସମାବେଶୀ ଓ ତ୍ରୁଟିଶୂନ୍ୟ ରହେ, ତାହା ନିଶ୍ଚିତ କରିବାରେ ସାହାଯ୍ୟ କରିବା ପାଇଁ ଚିଠା ଭୋଟର ତାଲିକାର ଯାଞ୍ଚ ଏବଂ ଦାବି ଓ ଆପତ୍ତି ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି।
ଚିଠା ଭୋଟର ତାଲିକା ପ୍ରକାଶ ପାଇଲା ପରେ କୌଣସି ପ୍ରକାରର ଆପତ୍ତି କିମ୍ବା ଅଭିଯୋଗ ଥିଲେ, ୦୫ ଜୁଲାଇ ରୁ ୦୪ ଅଗଷ୍ଟ ୨୦୨୬ ମଧ୍ୟରେ ଆପତ୍ତି ଦାଖଲ କରାଯାଇପାରିବ।
୦୫ ଜୁଲାଇ ପରେ ଯଦି ଚିଠା ଭୋଟର ତାଲିକାରେ କୌଣସି ତ୍ରୁଟି ପରିଲଖିତ ହୁଏ, ଫର୍ମ-୬ (Form 6)-ମାଧ୍ୟମରେ ନୂତନ ନାମ ଯୋଡ଼ିପାରିବେ,ଫର୍ମ-୭ (Form 7) ଦେଇ ଭୋଟର ତାଲିକାରୁ ନାମ ବାଦ୍ ଓ ଫର୍ମ-୮ (Form 8) ମାଧ୍ୟମରେ ଯେକୌଣସି ପ୍ରକାରର ସଂଶୋଧନ କରିପାରିବେ।
ଏହି ବୈଠକରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର ଏସ ଗୋପାଲନ ,ଅତିରିକ୍ତି ସିଇଓ ଶ୍ରୀ ସୁଶାନ୍ତ କୁମାର ମିଶ୍ର ,ଡେ଼ପୁଟି ସିଇଓ ଡ଼. ଲକ୍ଷ୍ମୀପ୍ରସାଦ ସାହୁ ,ଶ୍ରୀମତୀ ଅନାମିକା ସିଂ ଙ୍କ ସମେତ ରାଜନୈତିକ ଦଳ ବହୁଜନ ସମାଜ ପାର୍ଟି(ବିଏସପି) ପକ୍ଷରୁ ଶ୍ରୀ ମଧୁସୂଦନ ଯାଦବ, ସିପିଆଇ(ଏମ୍) ପକ୍ଷରୁ ଶ୍ରୀ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ଭାରତୀୟ ଜାତୀୟ କଂଗ୍ରେସ(ଆଇଏନସି) ପକ୍ଷରୁ ଶ୍ରୀ ପ୍ରକାଶ ମିଶ୍ର, ଆମ୍ ଆଦମୀ ପାର୍ଟି (ଆପ୍) ପକ୍ଷରୁ ଶ୍ରୀ ସନ୍ଦିପ୍ତ ଦାସ ଏବଂ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଶ୍ରୀ ବିଜୟ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
