ଚମ୍ପୁଆ – ଚମ୍ପୁଆ ଏନଏସିର ସରକାରୀ ଅଧିକାରୀ ମାନଙ୍କର ଦାୟିତ୍ୱହୀନତାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ଅଧିକାରୀ ମାନେ କେବଳ ଟ୍ୟାକ୍ସ ଆଦାୟ କରିବାରେ ସୀମିତ ରହୁଥିବାରୁ ଗରିବ ଓ ଅସହାୟ ଲୋକଙ୍କୁ ନ୍ୟାୟ ତଥା ମୌଳିକ ସୁବିଧା ଯୋଗାଇ ଦେବାରେ ଅସମର୍ଥ ହେଉଥିବା କୁହାଯାଉଛି । ଏହିପରି ଏକ ଉଦାହରଣ ଦେଖିବାକୁ ମିଳିଛି ଚମ୍ପୁଆ ଏନଏସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ଭାଲିଆଢ଼ିପା (ଗୋଧୂଳି) ଅଞ୍ଚଳରେ। ଆଜକୁ ପ୍ରାୟ ୩ ବର୍ଷ ତଳେ, ଭାଲିଆଢ଼ିପାର ସୁଶାନ୍ତ ନାଏକ ଚମ୍ପୁଆ ନିକଟ ପଡୋଶୀ ମୟୁରଭଞ୍ଜ ଜିଲ୍ଲାର ରରୁଆଁକୁ ‘ପଣାସଂକ୍ରାନ୍ତି ଉଡ଼ାଯାତ୍ରା’ ଦେଖିବାକୁ ଯାଇଥିଲେ। ସେଠାରେ ପ୍ରବଳ ଭିଡ଼ରେ ଠେଲା ପେଲା ଯୋଗୁଁ ହଠାତ ସୁଶାନ୍ତଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ତଳେ ପଡ଼ି ଯାଇଥିଲେ। ଜନସମୁଦ୍ରର ଭିଡ଼ ଭିତରେ ଲୋକମାନେ ଜଣେ ପରେ ଜଣେ ତାଙ୍କ ଉପରେ ମାଡ଼ି ଚାଲି ଯାଇଥିଲେ। ସେହି ଦୁର୍ଘଟଣାରେ ସୁଶାନ୍ତଙ୍କ ଦୁଇଟିଯାକ ଗୋଡ଼ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ସେଠାରୁ କୌଣସି ମତେ ଘରକୁ ଫେରି ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲ ଯାଇଥିଲେ, କିନ୍ତୁ ବହୁ ଚିକିତ୍ସା ପରେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ଆର୍ଥିକ ସମସ୍ୟା ଯୋଗୁଁ ଶେଷରେ ସେ ନିରାଶ ହୋଇ ଘରକୁ ଫେରି ଆସିଲେ। ସେହି ଦିନଠାରୁ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ । ସୁଶାନ୍ତଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ଏବଂ ଦୁଇଟି ଛୋଟ ଛୁଆ। ସୁଶାନ୍ତଙ୍କ ଦୁଇଟି ଯାକ ଗୋଡ଼ ଅଚଳ ହୋଇ ପଡିବାରୁ ସେ ଆଉ ଖଟରୁ ଉଠି ପାରୁନାହାନ୍ତି। ତେଣୁ ତାଙ୍କର ସେବା ଶୁଶ୍ରୂଷା ଓ ଦୁଇଟି ଛୋଟ ଛୁଆଙ୍କୁ ସମ୍ଭାଳିବା ପାଇଁ ସ୍ତ୍ରୀ ମୂଲ-ମଜୁରୀ କରିବାକୁ ମଧ୍ୟ ବାହାରକୁ ଯାଇ ପାରୁନାହାନ୍ତି। ପୁରା ପରିବାର ରୋଜଗାର ଶୂନ୍ୟ ହୋଇ ଯାଇଥିବା ବେଳେ ପରିବାରଟି ଏବେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଗତି କରୁଛି। ବଡ଼ ପରିତାପର ବିଷୟ ଯେ, ବିଗତ ୩ ବର୍ଷରୁ ଉର୍ଦ୍ଧ ହେବ ସୁଶାନ୍ତ ଏଭଳି ଗୁରୁତର ଅବସ୍ଥାରେ ଥିବା ବେଳେ ଏସମ୍ପର୍କରେ ଚମ୍ପୁଆ ଏନଏସି ଅଧିକାରୀଙ୍କୁ ସୂଚନା ଦିଆ ଯିବା ସହିତ ସ୍ଥାନୀୟ ବିଧାୟକଙ୍କ ପ୍ରନିଧିଙ୍କୁ ମଧ୍ୟ ଖବର ପଠାଇଥିବା କହିଛନ୍ତି। କିନ୍ତୁ, ଦାୟିତ୍ୱ ହୀନତା ଯୋଗୁଁ ଚମ୍ପୁଆ ଏନଏସି ପ୍ରଶାସନର କୌଣସି ଅଧିକାରୀ ତାଙ୍କ ଦୁଃଖ ବୁଝିବାକୁ ସେଠାରେ ପହଞ୍ଚି ନାହାନ୍ତି କି ସାରା ରାଜ୍ୟରେ ଜଣେ ବାହୁବଳୀ ବିଧାୟକ ଭାବେ ପରିଚିତ ଚମ୍ପୁଆ ବିଧାୟକଙ୍କ କୌଣସି ପ୍ରତିନିଧି ମଧ୍ୟ ପହଞ୍ଚି ନାହାନ୍ତି । ଏପରିକି ତାଙ୍କ ପାଇଁ ଏପର୍ଯ୍ୟନ୍ତ ଦିବ୍ୟାଙ୍ଗ ଭତ୍ତା କିମ୍ବା କୌଣସି ସରକାରୀ ସାହାଯ୍ୟ ମଧ୍ୟ ମିଳିପାରି ନାହିଁ। ଯାହା ଦ୍ୱାରା ଏହି ପରିବାର ଅତି ଅସହାୟ ଅବସ୍ଥାରେ ଓଳିଏ ଖାଇଲେ ଓଳିଏ ଓପାସ ରହି ଜୀବନ ଅତିବାହିତ କରୁଛନ୍ତି। ଯଦି ପ୍ରଶାସନ ପକ୍ଷରୁ ତାଙ୍କର ସରକାରୀ ଭତ୍ତା ବ୍ୟବସ୍ଥା କରାଯାନ୍ତା ତେବେ ଏହି ଗରିବ ପରିବାରଟି ଦୁଇ ଓଳି ଦୁଇ ମୁଠା ଖାଇ ଚଳିଯାନ୍ତେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ତେଣୁ କେନ୍ଦୁଝର ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ଦାୟିତ୍ୱହୀନ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଶଯ୍ୟାଶାୟୀ ସୁଶାନ୍ତ ନାଏକଙ୍କୁ ତୁରନ୍ତ ସରକାରୀ ଭତ୍ତା, ଚିକିତ୍ସା ସହାୟତା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।
