
ବଣାଇ- ଜମିବାଡ଼ି ଓ ଟଙ୍କା ପଇସାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇଙ୍କ ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ଦେଉଳହୁଡ଼ି ଗ୍ରାମରେ । ମୃତକ ମାନେ ହେଲେ କାନ୍ଦେ ମୁଣ୍ଡା, ତାଙ୍କ ପତ୍ନୀ ସିମୁଳି ମୁଣ୍ଡା ଓ ସେମାନଙ୍କର ଦୁଇ ଶିଶୁ ମାମଲି ମୁଣ୍ଡା (୭) ଏବଂ ମାରା ମୁଣ୍ଡା (୫) । ଅଭିଯୁକ୍ତଙ୍କ ନାମ କାଳୀ ମୁଣ୍ଡା । ସେ କାନ୍ଦେ ମୁଣ୍ଡାଙ୍କ ସାନ ଭାଇ ।
ସୂଚନା ଅନୁଯାୟୀ, କାଳୀ ମୁଣ୍ଡା ଓ ତାଙ୍କ ବଡ଼ ଭାଇ କାନ୍ଦେ ମୁଣ୍ଡାଙ୍କ ମଧ୍ୟରେ ଜମିବାଡ଼ି ଓ ଟଙ୍କା ପଇସାକୁ ନେଇ ପୂର୍ବରୁ ବିବାଦ ରହିଥିଲା । ଗତକାଲି ରାତିରେ କାଳୀ ଓ କାନ୍ଦେଙ୍କ ମଧ୍ୟରେ ଜମିବାଡ଼ି ଓ ଟଙ୍କା ପଇସାକୁ ନେଇ ପୁର୍ନବାର ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ କାଳୀ ପ୍ରଥମେ କାନ୍ଦେ ମୁଣ୍ଡାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଏହାପରେ ଭାଉଜ ସିମୁଳି ଓ ତାଙ୍କର ଦୁଇ ଶିଶୁଙ୍କୁ ହତ୍ୟା କରିଥିଲା । ଏହି ଘଟଣା ପରେ କାଳୀ ମୁଣ୍ଡା ଫେରାର୍ ହୋଇଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ୪ ମୃତଦେହକୁ ଜବତ କରିଛି । ଏଥିସହ କାଳୀ ମୁଣ୍ଡାକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ।