ମାଲକାନଗିରି – ମାଲକାନଗିରି ଜିଲ୍ଲା ଖଇରୀପୁଟ ବ୍ଲକ ବଣ୍ଡାଘାଟିରେ ଥିବା ବଡଡୁରାଲ ଗ୍ରାମପଚାଂୟତ ଅର୍ନ୍ତଗତ ନୂଆଗୁଡା ଗ୍ରାମରେ ଜଣେ ବାରବର୍ଷର ଅନାଥ ପିଲା କମୁଳୁ କିରସାନିର ପେଟ ଫୁଲିବା ଯୋଗୁ ସେ ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିଲା । ତାକୁ ତୁରନ୍ତ ମେଡିକାଲକୁ ନେବା ନିମନ୍ତେ ଗାଁ ଲୋକ ଆରୋଗ୍ୟ ପ୍ଲସକୁ ଖବର ଦେଇଥିଲେ । ଖବର ପାଇ ଉକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପାଇଁ କାମ କରୁଥିବା ଟାଗୋର ସୋସାଇଟିର ଆରୋଗ୍ୟ ପ୍ଲସ ଡାକ୍ତର ଶକ୍ତି ପ୍ରସାଦ ମିଶ୍ର ଓ ଆମ୍ବୁଲାନ୍ସ ଡ୍ରାଇଭର ତାକୁ ଚିକିତ୍ସା ପାଇଁ ଆଣିବାକୁ ଯାଇଥିଲେ । କିନ୍ତୁ ରାସ୍ତା ନଥିବାରୁ ଗାଁକୁ ଯାଇ ନ ପାରି ନଥିଲା ଆମ୍ବୁଲାନ୍ସ । ଗାଁ ଠାରୁ ୫ କିଲୋମିଟର ଦୂର ବେଲବାଡ଼ିରେ ଅଟକି ରହିଥିଲା । ସେଠାରୁ ଚାଲିଚାଲି ଡାକ୍ତର ଓ ଆମ୍ବୁଲାନ୍ସ ଡ୍ରାଇଭର ଗାଁକୁ ଯାଇ ଅସୁସ୍ଥ କମୁଳୁକୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇ ଯିବାକୁ ଗାଁ ଲୋକଙ୍କୁ କହିଥିଲେ । ହେଲେ ଗାଁ ଲୋକ କେହି ନ ବାହାରିବାରୁ ବାଧ୍ୟ ହୋଇ ଡାକ୍ତର ଦେବଦୂତ ସାଜି ଆମ୍ବୁଲାନ୍ସ ଡ୍ରାଇଭର ସହ ମିଶି ପାଞ୍ଚ କିଲୋମିଟର ପାହାଡିଆ ରାସ୍ତାରେ ନାଳ ପାରହୋଇ ଭାରରେ ବୋହି ବୋହି ବେଲବାଡ଼ି ପର୍ଯ୍ୟନ୍ତ ଆଣିଥିଲେ । ସେ ଗୁରୁତର ଥିବାରୁ ତାକୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ଡାକ୍ତରଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।
Related Stories
December 2, 2024