ଭୁବନେଶ୍ୱର, ଆଜି ଖାରବେଳ ଭବନ ଠାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର , ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ପ୍ରଦର୍ଶନ, କାର୍ଯ୍ୟକାରିତା ସ୍ଥିତି ଏବଂ ଆର୍ଥିକ ପ୍ରଗତିର ଏକ ବ୍ୟାପକ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ମୁଖ୍ୟତଃ ‘ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’, ‘ସହରୀ ସମୃଦ୍ଧି ଯୋଜନା’ ଏବଂ ‘ଆହାର’ ଯୋଜନା ଭଳି ପ୍ରମୁଖ ସହରୀ ବିକାଶ ପଦକ୍ଷେପଗୁଡ଼ିକ ଉପରେ ଆଧାରିତ ଥିଲା ।
ମାନ୍ୟବର ମନ୍ତ୍ରୀ, ଏହି ଯୋଜନାଗୁଡ଼ିକର କ୍ଷେତ୍ରସ୍ତରୀୟ ପ୍ରଭାବ ଏବଂ କାର୍ଯ୍ୟନ୍ୱୟନର ଗତି ଅନୁଧ୍ୟାନ କରିଥିଲେ । ସହରାଞ୍ଚଳରେ ପରିମଳ ଏବଂ ସ୍ୱଚ୍ଛତା, ପାର୍କ, ଖୋଲା ସ୍ଥାନ ଏବଂ ପ୍ରମୁଖ ସର୍ବସାଧାରଣ ସେବା କେନ୍ଦ୍ରଗୁଡ଼ିକର ସୌନ୍ଦର୍ଯ୍ୟକରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଥିସହିତ ମନ୍ତ୍ରୀ ସହରର ବିଭିନ୍ନ ଜନହିତକର କାର୍ଯ୍ୟ ଯଥା- ରାସ୍ତାଘାଟ ଏବଂ ସର୍ବସାଧାରଣ ସ୍ଥାନର ସଫେଇ ଓ ରକ୍ଷଣାବେକ୍ଷଣର କାର୍ଯ୍ୟକାରିତାକୁ ମଧ୍ୟ ସମୀକ୍ଷା କରିଥିଲେ । ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ULBs) ରେ କଠିନ ଓ ତରଳ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥାକୁ ବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ଅଧିକାରୀମାନେ ବର୍ଜ୍ୟବସ୍ତୁ ସଂଗ୍ରହ, ପୃଥକୀକରଣ, ପ୍ରକ୍ରିୟାକରଣ ଏବଂ ନିଷ୍କାସନ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ସେବା ପ୍ରଦାନର ମାନ ବୃଦ୍ଧି କରିବା ଏବଂ ସମସ୍ତ ପୌରପାଳିକା ଓ ବିଜ୍ଞପିତ ଅଞ୍ଚଳ ପରିଷଦ (NAC) ରେ ସମାନ ଭାବେ ବର୍ଜ୍ୟବସ୍ତୁ ପରିଚାଳନା କାର୍ଯ୍ୟକାରୀ କରିବା ଉପରେ ଡା. ମହାପାତ୍ର ଗୁରୁତ୍ୱାରୋପ କରିଥିଲେ। ଏହି ବୈଠକରେ ବିଭାଗର ଆର୍ଥିକ ପ୍ରଦର୍ଶନ, ବଜେଟ୍ ଅର୍ଥର ବିନିଯୋଗ, ବିସ୍ତୃତ ପ୍ରକଳ୍ପ ରିପୋର୍ଟ (DPR) ର ଠିକ୍ ସମୟରେ ଅନୁମୋଦନ ଏବଂ ବିଭିନ୍ନ ପ୍ରଶାସନିକ ସ୍ତରରେ ବ୍ୟୟ ଅଟକଳ ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା । ସୁଲଭ ମୂଲ୍ୟର ଗୃହ ନିର୍ମାଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ),ଭଡ଼ା ଘର ପ୍ରକଳ୍ପ ଏବଂ ଟ୍ରାଞ୍ଜିଟ୍ ହାଉସ ଭଳି ପ୍ରମୁଖ ଗୃହ ନିର୍ମାଣ ପଦକ୍ଷେପ ସହିତ ‘ଆଦର୍ଶ ଗୋଶାଳା’ ପ୍ରକଳ୍ପର କାର୍ଯ୍ୟକାରିତା ଓ ସ୍ଥିତିର ମଧ୍ୟ ଆକଳନ କରାଯାଇଥିଲା । ନୂତନ ଭାବେ ଗଠିତ ୨୮ଟି ବିଜ୍ଞପିତ ଅଞ୍ଚଳ ପରିଷଦ (NAC) ର ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା। ଏଥିରେ ଭିତ୍ତିଭୂମିର ଅଭାବ, ପାଣ୍ଠିର ଆବଶ୍ୟକତା ଏବଂ ମୌଳିକ ସହରୀ ସେବା ପାଇଁ ସମୟସୀମା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଗ୍ରାମୀଣ-ସହରୀ ପରିବର୍ତ୍ତନ ବିକାଶ କାର୍ଯ୍ୟ (Rural-urban transition development works),-ଅର୍ବାନ ଅଞ୍ଚଳରେ ନାଗରିକ ସୁବିଧା ଏବଂ ଭିତ୍ତିଭୂମିର ସୁଧାର ପାଇଁ ଉଦ୍ଦିଷ୍ଟ, ତାହା ମଧ୍ୟ ସମୀକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା। କେତେକ କ୍ଷେତ୍ରରେ ଭିତ୍ତିଭୂମି ବିକାଶର ମନ୍ଥର ଗତି ଏବଂ ବିଳମ୍ବ ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ଅଧିକାରୀମାନଙ୍କୁ କାର୍ଯ୍ୟରେ ଅବହେଳା ନ କରିବାକୁ ସତର୍କ କରାଇ ଦେବା ସହ କାର୍ଯ୍ୟ କରୁନଥିବା ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ପାରାମିଟରରେ ବାକି ଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ଦୃଶ୍ୟମାନ ପ୍ରଗତି ନିଶ୍ଚିତ କରିବାକୁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ଅରିନ୍ଦମ ଡାକୁଆ, ଗୃହ ନିର୍ମାଣ ନିର୍ଦ୍ଦେଶକ ଶ୍ରୀ ଶୁଭାନନ୍ଦ ମହାପାତ୍ର, ଶିଖା ବିଶ୍ଵାଳ,ରବୀନ୍ଦ୍ର ସାହୁଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
