ସୁବର୍ଣ୍ଣପୁର– ଆଜି ପୂର୍ବାହ୍ନ ୮ଟାରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ୨୦୨୬ ସୁବର୍ଣ୍ଣପୁର ରାମେଶ୍ବର ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହୋଇଥିଲା। ଏହି ଅବସରରେ ଭୋର ୪ଟା ୩୦ ରେ ସୋନପୁର ସହର ସାରା ରମଧୁନ ପରିବେଷଣ କରାଯାଇଥିଲା ଓ ପ୍ରଭାତ ଫେରି ଭୋର ୫ଟା ୩୦ ରୁ ୬ଟା ୩୦ ପର୍ଯ୍ୟନ୍ତ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା। ତା’ପରେ ସକାଳ ୬ଟା ୩୦ରୁ ସୋନପୁର ସହର ସ୍ଥିତ ସମସ୍ତ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତି ଉପରେ ଜିଲ୍ଲା ପ୍ରଶାସନ ଦ୍ଵାରା ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପୂର୍ବାହ୍ନ ୮ଟା ୩୦ରେ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ୨୦୨୬ ସୁବର୍ଣ୍ଣପୁର ଜିଲ୍ଲାସ୍ଥିତ ରାମେଶ୍ବର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଡଃ. ନୃପରାଜ୍ ସାହୁ, ଜିଲ୍ଲାପାଳ, ସୁବର୍ଣ୍ଣପୁର ଜାତୀୟ ପତାକା ଉତ୍ତୋଳନ କରି ଜିଲ୍ଲା ସ୍ତରୀୟ ପ୍ୟାରେଡର ଅଭିବାଦନ ଗ୍ରହଣ କରିବା ସହିତ ସମବେତ ଜନତାଙ୍କୁ ତାଙ୍କର ଅଭିଭାଷଣ ପ୍ରଦାନ କରିଥିଲେ। ସେ ଅଭିଭାଷଣରେ ସାଧାରଣତନ୍ତ୍ର ଦିବସର ମହତ୍ତ୍ଵ ବିଷୟ ମତ ରଖିଥିଲେ। ଭାରତର ସ୍ଵାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଦେଶ ଓ ସୁବର୍ଣ୍ଣପୁର ଜିଲ୍ଲା ସଂଗ୍ରାମୀମାନଙ୍କ ସ୍ମୃତି ଚାରଣ କରିଥିଲେ। ତତ୍ ସହିତ ସୁବର୍ଣ୍ଣପୁର ଜିଲ୍ଲାର କଳା, ସଂସ୍କୃତି, ପରମ୍ପରା ମହାନ୍ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ। ଜିଲ୍ଲାରେ ଚାଲୁଥିବା ବିକାଶମୂଳକ କାର୍ଯ୍ୟ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ। ଚଳିତ ବର୍ଷରେ ଖରିଫ ଋତୁରେ ଚାଷୀ ମାନଙ୍କ ଧାନ କ୍ରୟ ସଠିକ୍ ଭାବେ ଚାଲୁଥିବା ବିଷୟ ଜନସାଧାରଣ ଓ ଚାଷୀ ମାନଙ୍କୁ ଅବଗତ କରାଇଥିଲେ। ଚାଷୀଙ୍କ ଧାନ କ୍ରୟରେ କୌଣସି ଚାଷୀ ଅସୁବିଧାର ସମ୍ମୁଖୀନ ହେବେ ନାହିଁ କହିବା ସହିତ ନିର୍ଦ୍ଧାରିତ ସମୟରେ ସମସ୍ତ ଚାଷୀଙ୍କ ଧାନ କରାଯିବ ବୋଲି କହିଥିଲେ।
ଏହି ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ପାଳନ ସମାରୋହରେ ୩୫ ଗୋଟି ପ୍ୟାରେଡ ଦଳ ଅଂଶଗ୍ରହଣ କରିଥିଲେ। ପ୍ୟାରେଡରେ ଭଲ ପ୍ରଦର୍ଶନ କରିଥିବା ଦଳ ଗୁଡିକୁ ବିଚାରକ ମାନଙ୍କ ଦ୍ଵାରା ବଛାଯାଇ ପ୍ରତି ବର୍ଗର ଶ୍ରେଷ୍ଠ ଦୁଇଟି ପ୍ୟାରେଡ ଦଳକୁ ପ୍ୟାରେଡରେ ସମ୍ମାନିତ କରାଯାଇଥିଲା । ପ୍ୟାରେଡରେ ବିଭିନ୍ନ ବିଭାଗର ୧୫ ଗୋଟି ପ୍ରଜ୍ଞାପନ ମେଢ଼ ଜିଲ୍ଲା ସ୍ତରୀୟ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ। ବିଚାରକ ମାନଙ୍କ ଦ୍ଵାରା ଶ୍ରେଷ୍ଠ ତିନୋଟି ପ୍ରଜ୍ଞାପନ ମେଢ଼କୁ ପ୍ୟାରେଡରେ ସମ୍ମାନିତ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର ୬ଟି ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଜିଲାରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଓ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହି ଜିଲ୍ଲାସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହରେ ସୁବର୍ଣ୍ଣପୁର ଜିଲ୍ଲା ଜନସାଧରଣ, ବୁଦ୍ଧିଜୀବୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ସରକାରୀ ଅଧିକାରୀ, କର୍ମଚାରୀ, ନିର୍ବାଚିତ ପ୍ରତିନିଧିଙ୍କ ସମେତ ବିଭିନ୍ନ ସମ୍ବାଦପତ୍ର ଗୁଡିକର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
