-
ରକ୍ଷଣାବେକ୍ଷଣରେ ତୁରନ୍ତ ସୁଧାର ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର:ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଇନ୍ଦିରା ଗାନ୍ଧୀ ପାର୍କକୁ ଅଚାନକ ଗସ୍ତ କରି ସେଠାକାର ଜନସୁବିଧା ଏବଂ ରକ୍ଷଣାବେକ୍ଷଣର ଅନୁଧ୍ୟାନ କରିଛନ୍ତି। ଭୁବନେଶ୍ୱର ସହରର ଏକ ପ୍ରମୁଖ ସ୍ଥାନରେ ଅବସ୍ଥିତ ଏହି ପାର୍କକୁ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ଆସୁଥିବାରୁ ଏହାର ଯତ୍ନ ଏବଂ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ ବୋଲି ମନ୍ତ୍ରୀ ଡା ମହାପାତ୍ର କହିଛନ୍ତି । ପରିଦର୍ଶନ ସମୟରେ ମନ୍ତ୍ରୀ ସେଠାକୁ ଆସିଥିବା ଦର୍ଶକଙ୍କ ସହ ଆଲୋଚନା କରିଥିଲେ ଏବଂ ଉପଲବ୍ଧ ସୁବିଧା ସୁଯୋଗ ବିଷୟରେ ପଚାରି ବୁଝିଥିଲେ। ପାର୍କର ଅବ୍ୟବସ୍ଥା, ବିଶେଷ କରି ପରିସ୍ରାଗାର ଏବଂ ଶୌଚାଳୟଗୁଡ଼ିକର ଶୋଚନୀୟ ଅବସ୍ଥା ଦେଖି ଡକ୍ଟର ମହାପାତ୍ର ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଏଥିରେ ସୁଧାର ଆଣିବା ସହ ଉପଯୁକ୍ତ ସ୍ୱଚ୍ଛତା, ନିୟମିତ ରକ୍ଷଣାବେକ୍ଷଣ ଏବଂ ସେବା ମାନରେ ଉନ୍ନତି ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହି ଅବହେଳା ଜାରି ରହେ, ତେବେ ଦାୟିତ୍ୱରେ ଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।ଏହି ଗସ୍ତ ସମୟରେ ଭୁବନେଶ୍ୱର ମହାନଗର ନିଗମ (BMC) ର ଡେପୁଟି କମିଶନର ଶ୍ରୀ ଏନ୍. ଗଣେଶ ବାବୁ ମନ୍ତ୍ରୀଙ୍କ ସହ ଉଦ୍ୟାନକୃଷିବିଦ ସୁକାନ୍ତ ସ୍ଵାଇଁ ଉପସ୍ଥିତ ଥିଲେ। ପାର୍କକୁ ସବୁବେଳେ ସ୍ୱଚ୍ଛ, ସୁରକ୍ଷିତ ଏବଂ ଦର୍ଶକ-ଅନୁକୂଳ କରିବା ପାଇଁ ମନ୍ତ୍ରୀ ସେଠାରେ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ନିରୀକ୍ଷଣ ବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
