ସମ୍ବଲପୁର, ସମ୍ବଲପୁର ବିଶ୍ୱବିଦ୍ୟାଳୟର (ଏସୟୁ) ବ୍ରହ୍ମପୁତ୍ର ଛାତ୍ରାବାସର ୫୨ ନମ୍ବର କୋଠରୀରୁ ଗତକାଲି ସନ୍ଧ୍ୟାରେ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା। ମୃତକ ଜଣକ ସୁନ୍ଦରଗଡ଼ ଜିଲା କୁତ୍ରାର ସୁରଜ କୁଜୁର(୨୨) ସେ ସ୍ନାତକୋତ୍ତର ଅର୍ଥନୀତି ବିଭାଗର ଦ୍ଵିତୀୟ ବର୍ଷର ଛାତ୍ର ଥିଲେ ବୋଲି ଜଣାପଡିଛି । ସେ ଗତକାଲି ସନ୍ଧ୍ୟାରେ ନିଜ କଠୋରୀରୁ ଆଦୌ ବାହାରି ନଥିବାରୁ ତାଙ୍କର କିଛି ସହପାଠୀ ଛାତ୍ରାବସକୁ ଯାଇ ତାଙ୍କ କଠୋରୀ ଭିତରୁ ବନ୍ଦଥିବା ଦେଖି କବାଟ ବାଡ଼େଇ ଡାକିଥିଲେ। ହେଲେ ଭିତରୁ କୌଣସି ଉତ୍ତର ନମିଳିବାରୁ ସହପାଠୀମାନେ କଠୋରୀର ସ୍କାଲାଇଟ ଫାଙ୍କରୁ ସୁରଜଙ୍କ ଶରୀର ପଙ୍ଖାରେ ଝୁଲୁଥିବା ଦେଖିଥିଲେ। ସଙ୍ଗେସଙ୍ଗେ ସହପାଠୀ ମାନେ ବିଶ୍ଵବିଦ୍ୟାଳୟର କର୍ତୃପକ୍ଷଙ୍କୁ ଖବର କରିଥିଲେ। ବିଶ୍ଵବିଦ୍ୟାଳୟ କର୍ତୃପକ୍ଷଙ୍କଠାରୁ ଅଭିଯୋଗ ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଛାତ୍ରାବାସ କୋଠରୀର କବାଟ ଭାଙ୍ଗି ସୁରଜଙ୍କ ଶବକୁ ଜବତ କରିଥିଲା। ଏହାସହ ସୁରଜଙ୍କ ପରିବାରକୁ ଖବର ଦେଇ ଶବକୁ ଭିମସାରକୁ ପଠାଇଥିଲା। ତାଙ୍କ ପରିବାର ପହଞ୍ଚିଲା ପରେ ବୁଧବାର ତାଙ୍କ ଶବ ବ୍ଯବଛେଦ ହୋଇଛି। ଆତ୍ମହତ୍ୟାର କାରଣ ଅଦ୍ୟାବଧି ଜଣା ପଡ଼ିନାହିଁ। ତେବେ ଛାତ୍ର ଜଣକ ନିଜ କୋଠରୀରେ ଏକାକୀ ରହୁଥିବା ବେଳେ କିଛିଦିନ ହେଲା ସେ ସମ୍ପର୍ଣ୍ଣ ନୀରବ ଓ ସହପାଠୀଙ୍କ ସହ ମଧ୍ଯ ବିଶେଷ କଥାବର୍ତ୍ତା କରୁନଥିଲେ। ତେବେ ବ୍ଯବଛେଦ ରିପୋର୍ଟ ମିଳିବା ପରେ ଆତ୍ମହତ୍ୟାର କାରଣ ଜଣାପଡ଼ିବ ବୋଲି ବୁର୍ଲା ଥାନା ପୋଲିସ କହିଛି।
