ଭୁବନେଶ୍ୱର – ରାଜ୍ୟରେ ଅଭାବୀ ଧାନ ବିକ୍ରୀ , ଟୋକେନ୍ ବ୍ୟବସ୍ଥାରେ ଅନିୟମିତତା , ମଣ୍ଡିରେ ଧାନ ଗଜା ହେବା , ବିଦ୍ୟାଳୟରେ ଗଣିତ , ବିଜ୍ଞାନ ଶିକ୍ଷକ ନିଯୁକ୍ତି ନହେବା ,କଂଟ୍ରାକଚୁଆଲ ଅଧ୍ୟାପକଙ୍କ ଦରମା ନଦେବା , ଅନୁସୂଚିତ ଜାତି ବହୁ ଅଂଚଳରେ ପାନୀୟ ଜଳ ପହଂଚିନଥିବା ତଥା ରାସ୍ତା ନଥିବା ଏବଂ ଆଶ୍ରମ ସ୍କୁଲରେ ଛାତ୍ରୀମାନେ ଗର୍ଭବତୀ ହେବା ଆଦି ବିଷୟକୁ ବିରୋଧୀ ଦଳ ବିଜେପି ବିଧାନସଭାରେ ଉପସ୍ଥାପନ କରିବ । ସେହିପରି ନିକଟରେ ଗଂଜାମ ରେ ବିଦ୍ୟୁତ୍ ତାର ଲାଗି ୧୦ ଜଣଙ୍କ ଜୀବନ ଯିବା ଘଟଣାକୁ ମଧ୍ୟ ବିଜେପି ପ୍ରସଙ୍ଗ କରିବାକୁ ଗୁରୁବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତି ହୋଇଥିବା ବିରୋଧୀ ଦଳର ସଚେତକ ମୋହନ ମାଝି ଜଣାଇଛନ୍ତି ।
ଗୁରୁବାର ଅପରାହ୍ନରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ବିରୋଧୀ ଦଳ ନେତା ପ୍ରଦୀପ ନାଏକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।