ଗଞ୍ଜାମ- ଗଞ୍ଜାମ ଜିଲ୍ଲା ଶେରେଗଡ଼ ବ୍ଲକର ବିଭିନ୍ନ ଗ୍ରାମରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି । ଏକ ହାତୀ ପଲ ଏଠାରେ ଆତଙ୍କରାଜ ଚଳାଇଛନ୍ତି । ଏହି ପଲରେ ପ୍ରାୟ ୧୨ଟି ହାତୀ ରହିଛନ୍ତି । ସଞ୍ଜ ନଇଁଲେ ହାତୀପଲ କ୍ଷେତରେ ଅମଳ କରି ରଖାଯାଇଥିବା ଧାନ ଓ ଅନ୍ୟାନ୍ୟ ପନିପରିବା ଫସଲ ଖାଇବାକୁ ଗ୍ରାମାଭିମୁଖୀ ହେଉଛନ୍ତି । ହାତୀ ମାନେ ବ୍ୟାପକ ଫସଲ ଖାଇବା ସାଙ୍ଗକୁ ଦଳିଚକଟି ନଷ୍ଟ କରୁଛନ୍ତି । ଏହି ହାତୀ ପଲ ଦିନରେ ଅଶୋକପୁର ଲାଞ୍ଜିଆପଲ୍ଲୀ ପାହାଡ଼ ନିକଟରେ ଲୁଚି ରହୁଥିବା ବେଳେ ସଂନ୍ଧ୍ୟା ଗଡ଼ିଲେ ଚାଷୀଙ୍କ ଫସଲ ଉଜାଡ଼ୁଛନ୍ତି । ହାତୀ ଗୁଡିକ ତାକରଡ଼ା ପଂଚାୟତର ଭୂଷୁଣ୍ଡା ଓ ଚିକିଲି ଗ୍ରାମରେ ବ୍ୟାପକ ମାତ୍ରାରେ ବିଲାତି ବାଇଗଣ ଓ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି । ସଂନ୍ଧ୍ୟା ପରେ ହାତୀ ଭୟରେ ଲୋକେ ଘରୁ ପଦାକୁ ବାହାରିବାକୁ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ।
ବନ ବିଭାଗ ଅଧିକାରିଣୀ ଶୁଭଶ୍ରୀ ଶତପଥୀ ଏନେଇ ଅଧିକ ସୂଚନା ଦେଇ କହିଛନ୍ତି ଯେ, ହାତୀ ପଲ ଉପରେ ବନ ବିଭାଗ ତୀକ୍ଷ୍ନ ନଜର ରଖିଛି । ହାତୀ ମାନଙ୍କୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।