
ମାଲକାନଗିରି- ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା । ମନ୍ତ୍ରୀ ଗତକାଲି ସ୍ବାଭିମାନ ଅଞ୍ଚଳ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଆବାସିକ ବିଦ୍ୟାଳୟକୁ ମଧ୍ୟ ଗସ୍ତ କରିଥିଲେ। ପ୍ରଥମେ ବଡ଼ପଡା ଆବାସିକ ବିଦ୍ୟାଳୟକୁ ଯାଇ ସେଠାରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହ ଶିକ୍ଷା ହାରର ଉନ୍ନତି ଦିଗରେ ଛାତ୍ରଛାତ୍ରୀଙ୍କ ସହ କଥା ହେବା ସହ ଶିକ୍ଷାର ମାନ ବୃଦ୍ଧିକୁ ନେଇ ଅଭିଭାବକଙ୍କ ସହ ଆଲୋଚନା କରିଥିଲେ । ପରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ଗଣିତ ଓ ଇଂରାଜୀ ପାଠ ପଢାଇଥିଲେ । ଏହି ଗସ୍ତ କାଳରେ ସ୍ବାଭିମାନ ଅଞ୍ଚଳର ଜୀବନ ରେଖା ପାଲଟିଥିବା ଗୁରୁପ୍ରିୟା ସେତୁକୁ ମଧ୍ୟ ପରିଭ୍ରମଣ କରିଥିଲେ ମନ୍ତ୍ରୀ ସାରକା । ପରବର୍ତ୍ତୀ ସମୟରେ ମନ୍ତ୍ରୀ ଚିତ୍ରକୋଣ୍ଡା ସ୍ଥିତ ଆବାସିକ ବିଦ୍ୟାଳୟକୁ ଯାଇଥିଲେ । ସେଠାରେ ହଷ୍ଟେଲର ଉନ୍ନତି ଦିଗରେ ଆଲୋଚନା କରିଥିଲେ ଓ ମଧ୍ୟାହ୍ନ ଭୋଜନରେ ଦିଆଯାଉଥିବା ଖାଦ୍ୟର ମାନଦଣ୍ଡକୁ ପରଖିବା ପାଇଁ ନିଜେ ପିଲାଙ୍କ ସହ ଭୋଜନ କରିଥିଲେ ।