ଭୁବନେଶ୍ୱର – ରାଜ୍ୟରେ ଓବିସିଙ୍କୁ ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ମିଳୁନଥିବା ପ୍ରତିବାଦରେ କେନ୍ଦ୍ରୀୟ ଓବିସି କମିଶନଙ୍କୁ ବିଜେପିର ଏକ ପ୍ରତିନିଧୀ ଦଳ ଦାବି ପତ୍ର ପ୍ରଦାନ କରିଛି । ଏହା ସହ ଏସଇବିସି ଓ ଓବିସିଙ୍କୁ ରାଜ୍ୟ ସରକାର ପ୍ରଥମେ ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ଦାବିରେ କେନ୍ଦ୍ରୀୟ ଓବିସି କମିଶନଙ୍କ ହସ୍ତକ୍ଷେପ ଲୋଡିଛି ବିଜେପି ପ୍ରତିନିଧୀ ଦଳ ।
ସମ୍ବିଧାନର ଧାରା ୧୫(୪) ଓ ୧୬(୪) ବଳରେ କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ସୁବିଧା ଦେଇଛନ୍ତି । ଏହାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି । ମାତ୍ର ଦେଶରେ ଦୀର୍ଘ ୩୦ ବର୍ଷ ଧରି ଏହା ଲାଗୁ ହେଲା ପରେ ମଧ୍ୟ ଓଡିଶା ସରକାର ଓବିସିଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଓ ଏସଇବିସିଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେଉନାହାନ୍ତି ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ସୁରଥ ବିଶ୍ୱାଳ ଅଭିଯୋଗ କରିଛନ୍ତି ।
ଶ୍ରୀ ବିଶ୍ୱାଳ କହିଛନ୍ତି ଯେ, ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟୁନ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିଥିବା ବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ସେସବୁ ରାଜ୍ୟ ଗୁଡିକରେ ଏହି ଜାତି ଗୁଡିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ତାମିଲନାଡୁ ଭଳି ରାଜ୍ୟରେ ୫୯ ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବା ବେଳେ ଏଥିରୁ ୫୦ ପ୍ରତିଶତ ପଛୁଆ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ମାତ୍ର ଓଡିଶା ଜନସଂଖ୍ୟାରେ ଓବିସି ଓ ଏସଇବିସି ସଂଖ୍ୟା ଯଥେଷ୍ଟ ଅଧିକ ଥିବାବେଳେ ଜନସଂଖ୍ୟା ଅନୁସାରେ ସେମାନେ ସଂରକ୍ଷଣ ସୁବିଧାରୁ ବଂଚିତ ଅଛନ୍ତି । ମହାରାଷ୍ଟ୍ରର ଦେବେନ୍ଦ୍ର ଫଡନାବିସ ସରକାର ମରଠା କମ୍ୟୁନିଟି ପାଇଁ ୧୬ ପ୍ରତିଶତ ନିଯୁକ୍ତି ଓ ଶିକ୍ଷାରେ ବ୍ୟବସ୍ଥା କରିବା ପରେ ମହାରାଷ୍ଟ୍ରର ସ୍ଥାନ ସଂରକ୍ଷଣ ୬୩ ପ୍ରତିଶତକୁ ବୃଦ୍ଧି ପାଇଥିଲା ଓ ଏହା ମାନ୍ୟବର ବମ୍ବେ ହାଇକୋର୍ଟ ରାଜ୍ୟ ସରକାରଙ୍କର ସୀମା ଉପରେ ବିଶେଷ କାରଣ ଯୋଗୁଁ ସଂରକ୍ଷଣ ବଢାଇବାର ଅଧିକାରକୁ ସମ୍ମତି ପ୍ରଦାନ କରିଥିଲେ ।
ସମ୍ବିଧାନର ଧାରା ୧୫(୪) ଓ ୧୬(୪) ଦେଶର ପଛୁଆ ବର୍ଗଙ୍କୁ ସାମ୍ବିଧାନିକ ସଂରକ୍ଷଣ ମାଧ୍ୟମରେ ଚାକିରି ଓ ପାଠପଢାରେ ସ୍ଥାନ ସଂରକ୍ଷଣ ମାଧ୍ୟମରେ ଅଗ୍ରାଧିକାର ଦେବାର ଦାୟିତ୍ୱ ନିର୍ବାଚିତ ସରକାର ମାନଙ୍କ ହାତରେ ଦେଇଛି । ରାଜ୍ୟ ସରକାରଙ୍କ ପାଖରେ ଏସଇବିସି ତାଲିକା ମୂଳରୁ ଉପଲବ୍ଧ ରହିଛି । ମାତ୍ର ୨୦ ବର୍ଷର ଲମ୍ବା ଶାସନରେ ସମ୍ବିଧାନର ଏହି ଦାୟିତ୍ୱକୁ ବୁଝି କାମରେ ଲଗାଇବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବ୍ୟର୍ଥ ହୋଇଛନ୍ତି । ଦୀର୍ଘ ୩୦ ବର୍ଷ ଧରି ଦେଶର ଅନ୍ୟାନ୍ୟ ରାଜ୍ୟ ମାନେ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଅନ୍ୟାନ୍ୟ ପଛୁଆ ବର୍ଗ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିବା ବେଳେ ବର୍ତମାନର ରାଜ୍ୟ ସରକାର ଦୀର୍ଘ ୨୦ ବର୍ଷ ଧରି ଶାସନ କ୍ଷମତାରେ ରହିଥିଲେ ମଧ୍ୟ ଏହି ବ୍ୟବସ୍ଥାକୁ ଓଡିଶାରେ ଲାଗୁ କରିନାହାନ୍ତି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି ।
ଏହି ପ୍ରତିନିଧୀ ଦଳରେ ରାଜ୍ୟ ସାଧାରଣ ସଂପାଦକ ରଂଜନ ପଟେଲ, ହିତେଶ ଭର୍ଗତି, ମହେଶ୍ୱର ସାହୁ, ସନତ ଗଡତିଆ, ଗୋକୁଳାନନ୍ଦ ମଲ୍ଲିକ, ଯୁଗଳ ପୋଢ ଏବଂ ପ୍ରଦୀପ ସାହୁ ପ୍ରମୁଖ ସାମିଲ ଥିଲେ ।