ବ୍ରହ୍ମପୁର/ଆସିକା : ସମବାୟ ପରିଚାଳନା ପ୍ରତିଷ୍ଠାନ ଗୋପାଳପୁର ବେଳାଭୂମି ତଥା ଓଡିଶା ରାଜ୍ୟ ସମବାୟ ୟୁନିୟନର ମିଳିତ ଆନୁକୂଲ୍ୟରେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଆସିକା ସମବାୟ ସମିତି ସମୂହ ଅଧିନସ୍ତ ସମସ୍ତ କୃଷି ସମବାୟ ସମିତିର ସମ୍ପାଦକ ମାନଙ୍କ ପାଇଁ “ତଥ୍ୟ ସଂଗ୍ରହ ଏବଂ ରକ୍ଷଣାବେକ୍ଷଣ ସହ ପରିଚାଳନା” ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି, ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ତଥା ନିର୍ଦ୍ଦେଶକ, ଓଡିଶା ରାଜ୍ୟ ସମବାୟ ୟୁନିୟନ ଶ୍ରୀଯୁକ୍ତ କାର୍ତ୍ତିକେଶ୍ୱର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆସିକା ସମବାୟ ବ୍ୟାଙ୍କ ଅଧିନସ୍ତ ସମସ୍ତ ସମିତିର ସମ୍ପାଦକ ମାନଙ୍କୁ ସମିତି କିପରି କୃଷକ ମାନଙ୍କୁ ଋଣ ଯୋଗାଇବା ଓ ବିଭିନ୍ନ ପ୍ରକାର ବ୍ୟବସାୟିକ କାର୍ଯ୍ୟକ୍ରମ କରି ଅନ୍ୟ ରାଜ୍ୟ ଭଳି ସମିତି ଲାଭ ଜନକ ହୋଇ ପାରିବ ତାହା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ବିରେନ୍ଦ୍ର କେଶରୀ ଆରୁଖ ମୁଖ୍ୟ ବକ୍ତା ରୂପେ ଯୋଗଦେଇ ସମ୍ପାଦକ ମାନଙ୍କୁ ସମିତିରେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଓଡିଶା ରାଜ୍ୟ ସମବାୟ ୟୁନିୟନର ନିର୍ଦ୍ଦେଶକ ତଥା ସମବାୟ ପରିଚାଳନା ପ୍ରତିଷ୍ଠାନର ଉନ୍ନୟନ କମିଟିର ଅଧକ୍ଷ ଶ୍ରୀଯୁକ୍ତ ସନାତନ ସଂଗ୍ରାମ ସିଂ ଯୋଗ ତାଲିମ ଓ ଶିକ୍ଷା ସମସ୍ତ ସମ୍ପାଦକ ମାନଙ୍କୁ ନିତ୍ୟାନ୍ତ ଆବଶ୍ୟକ ବୋଲି ଉଦବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ଉପନିର୍ଦ୍ଦେଶକ ସମବାୟ ସମିତି ସମୂହ, ବ୍ରହ୍ମପୁର ଶ୍ରୀ ବିଶ୍ୱ ରଞ୍ଜନ ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସମସ୍ତ କୃଷି ସମବାୟ ସମିତି ମାନଙ୍କର ରାଜ୍ୟ ସରକାରଙ୍କ 5T ଉପରେ ଗୁରୁତ୍ୱ ଦେଇଥିଲେ। ଅନ୍ୟମାନଙ୍କ ସମବାୟ ପରିଚାଳନା ପ୍ରତିଷ୍ଠାନର ଅଧକ୍ଷ ତଥା ସହକାରୀ ନିର୍ଦ୍ଦେଶକ, ସମବାୟ ସମିତି ସମୂହ, ବ୍ରହ୍ମପୁର ଶ୍ରୀ ଶିବପ୍ରସାଦ ସ୍ୱାଇଁ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇ ସମ୍ପାଦକମାନେ ସମିତିରେ ତଥ୍ୟ ସଂଗ୍ରହ ଓ ତାହାର ରକ୍ଷଣାବେକ୍ଷଣ ପ୍ରତିଦିନ ସୁଠାର ରୂପେ ବ୍ୟବହାର କରିବା ପାଇଁ ତାଲିମ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଆସିକା ସମବାୟ ସମିତି ସମୂହ ଅଧିନସ୍ତ ଆଠଗୋଟି ବ୍ଳକର ୧୨୫ଟି ସମିତିର ସମ୍ପାଦକ ମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସମବାୟ ସମିତି ସମୂହ,ଆସିକା ଉପସହକାରୀ ସମବାୟ ନିର୍ଦ୍ଦେଶକ ଶ୍ରୀ K.ବିଜୟ ଚନ୍ଦ୍ର ଦାସ, ଶ୍ରୀ ଲଷ୍ମୀନାରାୟଣ ବେହେରା, ଶ୍ରୀ ଉଦୟ ନାଥ ପ୍ରଧାନ, ଶ୍ରୀ ଚନ୍ଦ୍ରଶେଖର ଚୌଧୁରୀ, ଶ୍ରୀ ପୁରୁଷୋତ୍ତମ ପାଢ଼ୀ, ଆସିକା ସମବାୟ ବ୍ୟାଙ୍କର ଅତିରିକ୍ତ ସମ୍ପାଦକ ଶ୍ରୀ ନୀଳାଞ୍ଚଳ ପଣ୍ଡା, ମେନେଜର ଶ୍ରୀ ମହେଶ୍ୱର ବେହେରା ଓ ଆଠ ଗୋଟି ବ୍ଲକର ଶାଖା ପରିଚାଳକ ମାନେ ଯୋଗ ଦେଇଥିଲେ। ସମବାୟ ପରିଚାଳନା ପ୍ରତିଷ୍ଠାନର ଅଧ୍ୟାପିକା ଶ୍ରୀମତୀ ମମତା ସାହୁ ଓ ଅଧ୍ୟାପକ ଶ୍ରୀ D. କୃଷ୍ନାନନ୍ଦ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।