
ଭୁବନ- ଭୁବନରୁ ଜିଲ୍ଲା ହେଡକ୍ୱାଟର ଢେଙ୍କାନାଳକୁ ସଂଯୋଗ ରେ ବାଧାସୃଷ୍ଟି କରୁଥିବା ବ୍ରାହ୍ମଣୀନଦୀ ଉପରେ ବହୁ ପ୍ରତିକ୍ଷୀତ ବାଜିରାଉତ ସେତୁ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଚାୟତ ନିର୍ବାଚନକୁ ଆଖିଆଗରେ ରଖି ଅତ୍ୟନ୍ତ ତରବରିଆ ଭାବେ ଗତ ୧୩ ମାର୍ଚ୍ଚ ୨୦୧୬ ରେ ଉଦଘାଟନ କରିଥିଲେ । ଉଦଘାଟନ ହେବା ପରଠାରୁ ଏବେ ସୁଦ୍ଧା ମରାମତି କାମ ଚାଲିଛି । ଏହି ରାସ୍ତାଦେଇ ଦୈନିକ ଶହଶହ ଗାଡି ମଟର ଚଳାଚଳ କରୁଛି । ଫଳରେ ବ୍ରିଜ ଉପରୁ ସ୍ଥାନେ ସ୍ଥାନେ କଂକ୍ରିଟ ଉଠିଗଲାଣି ଓ ସାଇଡବ୍ୱାଲ ଭାଙ୍ଗିଗଲାଣି । ତେବେ ଏଥିପ୍ରତି ପୂର୍ତ ବିଭାଗର ନଜର ନାହିଁ ବରଂ ଚୂନ ଲିପା କାମ ଚାଲିଛି । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସେତୁ ଟି ସଂପୂର୍ଣ୍ଣ ଅନ୍ଧକାର ରହୁଥିବାରୁ ଅସାମାଜିକ ବ୍ୟକ୍ତି ଙ୍କ ଦୌରାମ୍ୟ ସାଙ୍ଗକୁ ଚୋରି, ରାହାଜାନୀ ଓ ଦୁର୍ଘଟଣା ବୃଦ୍ଧି ପାଉଛି । ସେତୁରେ ଆଲୋକୀକରଣ କରାଯିବା ପାଇଁ ଅଂଚଳବାସୀ ଙ୍କ ତରଫରୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖଣି,ଇସ୍ପାତ ଓ ପୂର୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ନିବେଦନ କରାଯାଇଥିଲା । ମନ୍ତ୍ରୀ ମଲ୍ଲିକ ଗତ ମାର୍ଚ୍ଚ ମାସରେ ଆଲୋକୀକରଣ ପାଇଁ ଶିଳାନ୍ୟାସ କରିଥିଲେ । । ଇତିମଧ୍ୟରେ ଦୀର୍ଘ ୧୧ ମାସ ବିତିଯାଇଥିବା ବେଳେ ଅଦ୍ୟାବଧି ସେତୁରେ ଅଲୋକୀକରଣ କରାଯାଇନାହିଁ । ପୂର୍ତ ବିଭାଗ ମନ୍ତ୍ରୀ ଓ ବିଭାଗୀୟ ଉଚ୍ଚ କର୍ତୃପକ୍ଷ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ଜନସାଧାରଣରେ ଦାବିହୋଇଛି ।