ମାଲକାନଗିରି-ଜିଲ୍ଲା ବଣ୍ଡା ଘାଟିରେ ପାଳିତ ହୋଇଛି ଆଦିମ ଜନଜାତିଙ୍କ ନିଆରା ପର୍ବ ପାଟଖଣ୍ଡା ଯାତ୍ରା । ବର୍ଷକୁ ଥରେ ପାଳିତ ହୋଉଥିବା ଏହି ଯାତ୍ରାରେ ସାମିଲ ହୋଇଥିଲେ ବଣ୍ଡା ଘାଟିର ୧୨ ଖଣ୍ଡ ଗାଁ ଲୋକେ । ଆସନ୍ତା ବର୍ଷର ଭଲ ଫସଲ ଲାଗି ପାରମ୍ପାରିକ ରିତିରେ ଖଣ୍ଡାକୁ ପୁଜା କରିଥିଲେ ବଣ୍ଡା ଜନ ଜାତିର ଲୋକେ ।ତୂରୀ, ମହୂରୀ ଓ ବାଜାରେ ଫାଟି ପଡୁଥିଲା ଗାଁ ଦାଣ୍ଡ । ୧୨ଖଣ୍ଡ ଗାଁର ବଣ୍ଡା ଆଦିବାସୀ ଏକାଠି ହୋଇଥିଲେ । ଏଠି ଦେବୀ ନାହାନ୍ତି କି ଦେବତା, ତଥାପି ହେଉଛି ପୂଜାର୍ଚ୍ଚନା । ଚାଲିଛି ଆଦିମ ଜନଜାତିଙ୍କ ନିଆରା ପର୍ବ ପାଟଖଣ୍ଡା ଯାତ୍ରା । ଖଣ୍ଡାକୁ ରକ୍ଷକ ଭାବି ଏହି ପୂଜା କରାଯାଏ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ମୁଦୁଲିପଡା ଗାଁରେ ବର୍ଷକୁ ଥରେ ଏହି ପର୍ବ ପାଳିତ ହୁଏ । ଏକ ବର ଗଛର ଶୀର୍ଷରେ ଲୁକ୍କାୟିତ ହୋଇ ରହିଥିବା ଖଣ୍ଡାକୁ ଗାଁ ପୂଜାରି ତଳକୁ ଆଣିଥାଆନ୍ତି । ପାରମ୍ପାରିକ ରିତିରେ ଖଣ୍ଡାକୁ ପୁଜା କରାଯାଇ ଛେଳି, କୁକୁଡା ଆଦି ବଳି ପକାଯାଏ । ଏହାପରେ ଆସନ୍ତା ବର୍ଷ ନିଜ ଜମିରେ ଭଲ ଫସଲ ହେବା ଲାଗି ନିଜ ଘରୁ ଆଣିଥିବା ଧାନ, ମାଣ୍ଡିଆ ଓ ସୁଆଁ ବିହନକୁ ପାଟଖଣ୍ଡା ଠାକୁରଙ୍କ ପାଖରେ ରଖିଦିଅନ୍ତି । ପୂଜା ଶେଷ ହେବା ପରେ ପୂଜକ ପୁଣି ସେହି ଖଣ୍ଡାକୁ ଗଛର ଶୀର୍ଷରେ ଲୁଚେଇ ରଖି ଦିଅନ୍ତି ବଣ୍ଡା ଜନଜାତିଙ୍କୁ ରକ୍ଷା କରିବା ପାଇଁ ।ଅନ୍ୟମାନଙ୍କ ପରି ବଣ୍ଡା ଜନଜାତିରେ ମଧ୍ୟ ୧୨ ମାସରେ ରହିଛି ୧୩ ପର୍ବ । ହେଲେ ସମୁଦ୍ର ପତ୍ତନ ଠାରୁ ପ୍ରାୟ ୫ ହଜାର ଫୁଟ ଉଚ୍ଚରେ ବାସ କରୁଥିବା ଏହି ଆଦିମ ଜନଜାତି ବଣ୍ଡାଙ୍କ ପାଟଖଣ୍ଡା ଯାତ୍ରା କିନ୍ତୁ ଅନ୍ୟମାନଙ୍କ ଠାରୁ ନିଆରା । ଏହାକୁ ଦେଖିବା ଲାଗି ପ୍ରତିବର୍ଷ ଅନେକ ପର୍ଯ୍ୟଟକ ମଧ୍ୟ ବଣ୍ଡା ଘାଟିକୁ ଧାଇଁଆସି ଏହାକୁ ମନଭରି ଉପଭୋଗ କରନ୍ତି । ସୁ-ଉଚ୍ଚ ପର୍ବତ ମାଳାରେ ସବୁଜ ବନାନି ପର୍ଯ୍ୟଟଙ୍କୁ ମନ୍ତ୍ରମୁଗ୍ଧ କରିଥାଏ । ପାଟଖଣ୍ଡା ଯାତ୍ରା ଶେଷ ହେବା ପରେ ବଣ୍ଡା ଲୋକେ ସେମାନଙ୍କ ପାରମ୍ପାରିକ ବାଦ୍ୟର ତାଳେ ତାଳେ ନାଚ ଗୀତ କରି ଥାଆନ୍ତି ।
ଯାତ୍ରାରେ ସାମିଲ ହୋଇଥିବା ବିଭିନ୍ନ ଗ୍ରାମର ବଣ୍ଡା ଜନଜାତିର ଲୋକେ ଯାତ୍ରା ଶେଷ ହେବା ପରେ ପୂଜା ବିହନକୁ ନେଇ ନିଜ ନିଜ ଗାଁକୁ ଫେରି ଯାଆନ୍ତି । ଆଗାମୀ ବର୍ଷର ଫସଲ ଲାଗି ଏହାକୁ ନିଜ ଘରେ ଗଚ୍ଛିତ କରି ରଖିବା ସହ ପୁଣି ଥରେ ଅପେକ୍ଷା କରନ୍ତି ଆର ବରଷର ପାଟଖଣ୍ଡା ଯାତ୍ରାକୁ ।
Related Stories
November 23, 2024