ଝାରସୁଗୁଡା- ଓଡ଼ିଶା ବିଧାନସଭା ଷ୍ଟାଣ୍ଡିଂ କମିଟି ନମ୍ବର ୧୦ ଝାରସୁଗୁଡ଼ା ଗସ୍ତ ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଶକ୍ତି ଓ ଅବକାରୀ ବିଭାଗର କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ କମିଟିର ଅନ୍ୟାନ୍ୟ ସଦସ୍ୟ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ଧର୍ମଗଡ଼ ଵିଧାୟକ ମଉଷଧି ବାଗ ଓ ସୋର ବିଧାୟକ ପର୍ଶୁରାମ ଧଡ଼ା ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ରାଜସ୍ୱ ମାମଲା ଫଇସଲା, ବିପର୍ଯ୍ୟୟ ପରିଚାଳନା ନେଇ କମିଟି ପଚାରି ବୁଝିବା ସହ ଓଭରଲୋଡିଂ ଯୋଗୁଁ ହେଉଥିବା ଦୁର୍ଘଟଣାକୁ ରୋକିବା ଦିଗରେ ସମୁଚିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ନିଶାଶକ୍ତ ଅବସ୍ଥାରେ ଗାଡ଼ି ଚାଳନା, ଚୋରା ମଦ କାରବାର, ଡ୍ରଗ୍ସ କାରବାର ରୋକିବା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଟି ପରାମର୍ଶ ଦେଇଥିଲେ । ରାଜସ୍ୱ ବିଭାଗ ଓ ବିଦ୍ୟୁତ ବିଭାଗରେ କାର୍ଯ୍ୟର ସୁପରିଚାଳନା ସକାଶେ କର୍ମଚାରୀଙ୍କ ଆବଶ୍ୟକତା ପୂରଣ, ପ୍ରତ୍ୟେକ ଦୁଇଟି ଗ୍ରାମ ପଂଚାୟତରେ ଗୋଟିଏ ଲେଖାଏଁ ଆର .ଆଇ .ସର୍କଲ ସୃଷ୍ଟି, ନୂତନ ଅବକାରୀ ଥାନା ସୃଷ୍ଟି ସାଙ୍ଗକୁ ଯାନର ସୁବିଧା ବିଷୟରେ କମିଟି ଅନୁଧ୍ୟାନ କରିବା ସହ ଏ ଦିଗରେ ସୁପାରିଶ କରିବ ବୋଲି ଅଧ୍ୟକ୍ଷ ଶ୍ରୀ ତରାଇ ପ୍ରକାଶ କରିଥିଲେ ।
ଜିଲ୍ଲାପାଳ ସରୋଜ କୁମାର ସାମଲ, ଜିଲ୍ଲାରେ ବିଭିନ୍ନ ବିଭାଗୀୟ କାର୍ଯ୍ୟ ଅଗ୍ରଗତି ସମ୍ପର୍କରେ କମିଟିକୁ ଅବଗତ କରାଇବା ସହ ଶିଳ୍ପାନୁଷ୍ଠାନଗୁଡିକର ସ୍ଥିତି ସମ୍ପର୍କରେ ମଧ୍ୟ ଅବଗତ କରାଇଥିଲେ । ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।