– ନଛାଡିଲେ କଟିବ ପାଣି ଓ ବିଦ୍ୟୁତ୍ ସଂଯୋଗ
ଭୁବନେଶ୍ୱର – କାର୍ଯ୍ୟକାଳ ଶେଷ ହେବା ପରେ ମଧ୍ୟ ସରକାରୀ କ୍ୱାର୍ଟର ଜବରଦସ୍ତି ନିଜ ଅକ୍ତିଆରରେ ରଖିଥିବା ପୂର୍ବତନ ବିଧାୟକମାନଙ୍କୁ ତୁରନ୍ତ କ୍ୱାର୍ଟର ଛାଡିବାପାଇଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଯଦି କ୍ୱାର୍ଟର ନଛାଡନ୍ତି ତେବେ ଉକ୍ତ ସରକାରୀ ଘରର ପାଣି ଓ ବିଦ୍ୟୁତ୍ ସଂଯୋଗ କଟାଯିବ । ଏନେଇ ସମ୍ପୃକ୍ତ ପୂର୍ବତନ ବିଧାୟକମାନଙ୍କୁ ନୋଟିସ୍ ଜାରୀ କରାଯାଇଛି ।
ଓଡିଶାର ପ୍ରାୟ ୬୦ରୁ ଉଦ୍ଧ୍ୱର୍ ବିଧାୟକ ସରକାରୀ ବାସଭବନ ଛାଡି ନାହାନ୍ତି ବୋଲି ବିଧାନସଭା ସଚିବାଳୟ ପକ୍ଷରୁ ଜଣାପଡିଛି । ଚଳିତ ବର୍ଷ ଲୋକସଭାକୁ ନିର୍ବାଚିତ ହୋଇଥିବା ବସନ୍ତ ପଣ୍ଡା , ନିତେଶ ଗଙ୍ଗଦେବ , ରମେଶ ଚନ୍ଦ୍ର ମାଝୀ , ମହେଶ ସାହୁ ପ୍ରମୁଖ ଭୁବନେଶ୍ୱରର ବିଭିନ୍ନ ୟୁନିଟ୍ ରେ ପାଇଥିବା ସରକାରୀ ଘର ହସ୍ତାନ୍ତର କରି ନାହାନ୍ତି । ସେହିପରି ପୂର୍ବତନ ବିଧାୟକ ଭୂଜବଳ ମାଝୀ , ବିଜୟଶ୍ରୀ ରାଉତରାୟ , ଦେବାଶିଷ ନାୟକ , କିଶୋର ଚନ୍ଦ୍ର ତରାଇ ନନ୍ଦିନୀ ଦେବୀ , ପ୍ରବୀଣ ଚନ୍ଦ୍ର ଭଂଜଦେଓ , ସାନନ୍ଦ ମାରାଣ୍ଡି ଓ ସଂଜୟ ଦାସବର୍ମା ପ୍ରମୁଖ ମଧ୍ୟ ଘର ଫେରସ୍ତ କରି ନାହାନ୍ତି । ଅଧିକାଂଶଙ୍କ ସରକାରୀ ଘରର ଆଲର୍ଟମେଂଟ ଗତ ୨୪ ଜୁନ୍ ୨୦୧୯ରେ ଶେଷ ହୋଇ ସାରିଛି । ଏହା ସତ୍ୱେ ସେମାନେ ରାଜ୍ୟ ସରକାରଙ୍କୁ ଘର ହସ୍ତାନ୍ତର କରି ନାହାନ୍ତି ।
ନବାଗତ ବିଧାୟକମାନେ ବିଧାନସଭା ଏବଂ ରାଜ୍ୟ ଅତିଥି ଭବନରେ ଦିନ କାଟୁଥିବା ବେଳେ ପୂର୍ବତନ ବିଧାୟକମାନେ ସରକାରୀ ବାସଭବନ ଛାଡୁ ନାହାନ୍ତି । ଇତିମଧ୍ୟରେ ଅତିଥିଭବନ ଭଡା ବାବଦକୁ ବିଧାନସଭାକୁ ବିଲ୍ ପଠାଇଛି ।
ବାଚସ୍ପତି କହିଛନ୍ତି ଯେ ଓଡିଶା ବିଧାନସଭାକୁ ଏକ ମଡେଲ ବିଧାନସଭାରେ ପରିଣତ କରାଯାଇଛି । ଓଡିଶା ବିଧାନସଭା ପେପର ଲେସ୍ ହେବ ।