ଭୁବନେଶ୍ୱର- ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୬ ତମ ପବିତ୍ର ତିରୋଧାନ ଦିବସ ଉପଲକ୍ଷେ ସ୍ଥାନୀୟ ରାଜଭବନ ସମ୍ମୁଖସ୍ଥ ଉକ୍ତ ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ଏକ ସ୍ମୃତିଚାରଣ ସଭା ସମ୍ମିଳନୀର ସଭାପତି ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ମଧୁବାବୁଙ୍କ ପ୍ରଚଣ୍ଡ ପ୍ରତିଭା, ପ୍ରତ୍ୟୁତ୍ପନମତିତା ଏବଂ ବିଶେଷ କରି ତାଙ୍କ ତ୍ୟାଗପୂତ ଜୀବନର ଘଟଣାବଳୀ ଉପରେ ଆଲୋକପାତ କରାଯାଇଥିଲା । ସଭାରେ ଅନ୍ୟମାନଙ୍କ ମଧ୍ୟରେ କର୍ମକର୍ତା ଏବଂ ସଦସ୍ୟଗଣ ଏହି ମହାପୁରୁଷଙ୍କ ଜୀବନାଦର୍ଶରେ ଆକୃଷ୍ଟ ହୋଇ ତାଙ୍କର ସମାଜସେବା, ରାଜନୈତିକ ଜୀବନ ଏବଂ ଓଡ଼ିଆ ଜାତିକୁ ପୁନର୍ଜୀବିତ କରି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଥିବା ପ୍ରମୁଖ ଭୂମିକାର ଭୂୟଶୀ ପ୍ରଶଂସା କରିଥିଲେ ।
ମଧୁସୂଦନ ତାଙ୍କର ବୁଦ୍ଧିମତା ବଳରେ ସର୍ବଭାରତୀୟ ସ୍ତରରେ ବିଶେଷ କରି ମହାତ୍ମାଗାନ୍ଧୀଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରି ପାରିଥିଲେ ଯେ ମହାତ୍ମା ତାଙ୍କୁ ନିଜର ପ୍ରବର୍ତକ ଭାବରେ ଗ୍ରହଣ କରିଥିବା କଥା ପ୍ରକାଶ କରିଥିଲେ । ତେଣୁ ଏହି ସମସ୍ତ ଦୃଶ୍ୟପଟ୍ଟକୁ ବିଚାରକୁ ନେଇ ତାଙ୍କୁ ମରଣୋତର ‘ଭାରତରତ୍ନ’ ଉପାଧି ଦେବାକୁ କେନ୍ଦ୍ର ସରକାରଙ୍କଠାରେ ଦ୍ୱିତୀୟ ଥର ଦାବି ଉପସ୍ଥାପନ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା ।