ସାଧାରଣ ଲୋକଙ୍କ ଅବଗତି ନିମନ୍ତେ ବମକାଇ କଟନ ଉପରେ ବିଶଦ ଭାବରେ ଆଲୋଚନା କରାଗଲା । କଟନ ବମକାଇ ସାଧାରଣତଃ ବୌଦ୍ଧ, ସୋନପୁର ଓ ବଲାଙ୍ଗିର ଜିଲ୍ଲାରେ ମେହେର ବୁଣାକାରମାନଙ୍କଦ୍ୱାରା ବୁଣାଯାଇଥାଏ । ଏହା ସାଧାରଣତଃ ୨/୧୦୦ ଓ ୨/୧୨୦ ମଶ୍ଚରାଇଜଡ଼୍ କଟନ ସୂତାରେ ପ୍ରସ୍ତୁତ କରାଯାଏ । ଏକ୍ସଟ୍ରା ଭରଣୀ ସୂତା ଦ୍ୱାରା ବିଭିନ୍ନ ପ୍ରକାର ଜୀବଜନ୍ତୁ, ଫୁଲ, ଫଳ, ଟ୍ରାଇବାଲ୍ ମୋଟିଭ୍, ମାଛ, ଗଛ, ରୁଦ୍ରାକ୍ଷ ଆଦିର ଡିଜାଇନ୍ ଆଂଚଲ, ବଡ଼ି ଓ ବୋର୍ଡ଼ର ରେ ବୟନ କରାଯାଇଥାଏ, ଯାହା ଶାଢୀର ସୌନ୍ଦର୍ଯ୍ୟକୁ ଦୁଇଗୁଣିତ କରିଥାଏ । ବମକାଇ କଟନ ଶାଢୀ୨୦୦୦ ଟଙ୍କାରୁ ଆରମ୍ଭ କରି ୫୦୦୦ଟଙ୍କା ମୂଲ୍ୟରେ ଉପଲବ୍ଧ । ଏହାର ଚାହିଦା ଦିନକୁଦିନ ବଢିବାରେ ଲାଗିଛି । ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ ଓ ଅମ୍ଳାନ ବ୍ୟତିତ ପ୍ରାୟ ସମସ୍ତ ଶାଢୀ ଦୋକାନରେ ଏହା ଉପଲବ୍ଧ ।ଗତକାଲି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ଅଧିନସ୍ଥ ବୁଣାକାର ସେବା କେନ୍ଦ୍ର, ଭୂବନେଶ୍ୱରର ନିର୍ଦ୍ଦେଶକ ମନୋଜ ମିଶ୍ର ଉଦ୍ଘାଟନ କରିଥିଲେ । ଏହି ମେଳାର ଆୟୋଜନ ଓ ବିଭିନ୍ନ ବସ୍ତ୍ର ଦିବସ ପାଳନକୁ ସେ ପ୍ରଶଂସା କରିଥିଲେ । ଏହାପରେ କଟକର ତନ୍ମୟ ଓ ଗ୍ରୁପ୍ ଙ୍କ ଦ୍ୱାରା ସୁଗମ ସଂଗୀତ ପରିବେଷଣ କରାଯାଇଥିଲା ।
କାର୍ଯ୍ୟକ୍ରମରେ ତନ୍ମୟ ହୋତା, ନିଶିପ୍ରଭା ପାଣି ଓ ମୋନିକା ଦାସ ଅଂଶଗ୍ରହଣ କରି ପୁରୁଣା ଓଡ଼ିଆ ଗୀତର ଲହରରେ ଦର୍ଶକଙ୍କୁ ଅଭିଭୂତ କରିଥିଲେ । ମ୍ୟୁଜିକ୍ ରେ ଭାଗ ନେଇଥିଲେ ହୃଦୟ କୁମାର, ଚଣ୍ଡି କିଶୋର ଓ ଆଲୋକ ।
ଆସନ୍ତାକାଲି (ବୁଧବାର)ସଂଧ୍ୟାରେ ଏହି ମଂଚରେ ଶେଖର ଘୋଷ ଓ ତାଙ୍କ ଗ୍ରୁପ୍ ଙ୍କ ଦ୍ୱାରା ସଂଗୀତ ସଂଧ୍ୟାର ଆୟୋଜନ କରାଯାଉଅଛି ।